‘ମମିତା ହତ୍ୟାକାଣ୍ଡ ସହ ସମ୍ପୃକ୍ତି ନାହିଁ’

ପ୍ରେସ୍‌ ବାର୍ତ୍ତା ଜରିଆରେ ମୁହଁ ଖୋଲିଲେ ମନ୍ତ୍ରୀ ଦିବ୍ୟଶଙ୍କର

ଭୁବନେଶ୍ୱର : ‘ମମିତା ମେହେରଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁ ଘଟଣାରେ ମୁଁ ଗଭୀର ଭାବେ ଦୁଃଖିତ ଓ ମର୍ମାହତ। ମୁଁ ଜଣେ ବାପା। ଏଭଳି ପରିସ୍ଥିତିରେ ନମିତାଙ୍କ ପରିବାର କିଭଳି ଯନ୍ତ୍ରଣାରେ ଅଛନ୍ତି ତାହା ବୁଝିପାରୁଛି। ତାଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହ ଆଇନ ଅନୁଯାୟୀ ଘଟଣାରେ ସମ୍ପୃକ୍ତ ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବା ଆବଶ୍ୟକ। ଏହି ହତ୍ୟାକାଣ୍ଡ ଘଟଣା ସହ ମୋ’ର କୌଣସି ସପୃକ୍ତି ନାହିଁ। ଅପରାଧରେ ମୋ’ର ସଂପୃକ୍ତିର ପ୍ରମାଣ ଦେଲେ ମନ୍ତ୍ରୀ ପଦ କ’ଣ ରାଜନୀତିରୁ ସନ୍ୟାସ ନେଇଯିବି।’ ମମିତା ମେହେରଙ୍କ ବୀଭତ୍ସ ହତ୍ୟାକାଣ୍ଡ ଘଟଣାରେ ବିବାଦୀୟ ହୋଇପଡ଼ିଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଦୀର୍ଘ ୨୧ ଦିନର ନୀରବତା ପରେ ଶୁକ୍ରବାର ଏକ ପ୍ରେସ୍‌ ବିବୃତିରେ ଉପରୋକ୍ତ ମନ୍ତବ୍ୟ ରଖିଛନ୍ତି। ଶ୍ରୀ ମିଶ୍ର ଉଲ୍ଲେଖ କରିଛନ୍ତି ଯେ, ରାଜନୀତିରେ ଯୋଗଦେବା ଆଗରୁ ମୁଁ ଦେଶର ସଶସ୍ତ୍ର ବାହିନୀରେ କାର୍ଯ୍ୟ କରୁଥିଲି। ବାୟୁସେନାରେ ଥିଲି। ନିଜକୁ ପଛେ ବଳି ଦେଇଦେବ ହେଲେ ଜଣେ ସାଧାରଣ ନାଗରିକକୁ ଆହତ ହେବାକୁ ଦେବନାହିଁ – ଏହା ଶିଖିଛି। ରାଜନୀତିରେ ଯୋଗଦେବା ବେଳେ ବାୟୁସେନାର ଆଦର୍ଶ ବି ମୋ ସାଙ୍ଗରେ ଆଣିଥିଲି। ସାଧାରଣ ଜୀବନରେ ପ୍ରବେଶ କରିବା ଦିନଠାରୁ ମୁଁ ମୋ ନିର୍ବାଚନମଣ୍ଡଳୀ ଜୁନାଗଡ଼ ଓ କଳାହାଣ୍ଡିର ବିକାଶ ପ୍ରତି ଧ୍ୟାନ ଦେଇଛି। ଯେତେବେଳେ ମିଥ୍ୟା ଆଧାରରେ କିଛି ଗଣମାଧ୍ୟମ ମତେ ବଦନାମ କରିବା ସହିତ ମୋ ଚରିତ୍ର ସଂହାର ଅଭିଯାନ ଆରମ୍ଭ କଲେ ସେତେବେଳେ ମୁଁ ବ୍ୟଥିତ ହେଲି। ସଂକୀର୍ଣ୍ଣ ବ୍ୟକ୍ତିଗତ ରାଜନୈତିକ ଫାଇଦା ପାଇଁ ମିଥ୍ୟା, ଭିତ୍ତିହୀନ ଓ ମନଗଢ଼ା ଅଭିଯୋଗ ଆଣି ମୋ ଚରିତ୍ର ସଂହାର କରିଥିବା ଓ ମାନସିକ ନିର୍ଯାତନା ଦେଇଥିବା ତିନିଟି ନିର୍ଦିଷ୍ଟ ଗଣମାଧ୍ୟମ ବିରୋଧରେ ମୋ ପରିବାର ମାନହାନି ମକଦ୍ଦମା ଦାଏର କରିଛନ୍ତି।
ନିଜର ନୀରବତା ସଂପର୍କରେ ଯୁକ୍ତି ବାଢି ଶ୍ରୀ ମିଶ୍ର ପ୍ରେସ୍‌ ବିବୃତ୍ତିରେ ଉଲ୍ଲେଖ କରିଛନ୍ତି ଯେ, ‘ସମ୍ବେଦନଶୀଳ ଜଘନ୍ୟ ଅପରାଧରେ ଆଇନ କାର୍ଯ୍ୟକାରୀ କରୁଥିବା ସଂସ୍ଥାଗୁଡ଼ିକ ମୁକ୍ତ ଓ ନିରପେକ୍ଷ ଢଙ୍ଗରେ କାର୍ଯ୍ୟ କରିବା ଉଚିତ ବୋଲି ମୁଁ ବିଶ୍ୱାସ କରେ। ଏହାଦ୍ୱାରା ଆଇନ ଅନୁଯାୟୀ ଅଭିଯୁକ୍ତର ବିଚାର ହୋଇପାରିବ। ତେଣୁ ମୁଁ ଏହି ଜଘନ୍ୟ ଅପରାଧ ଉପରେ ମନ୍ତବ୍ୟ ଦେବାଠାରୁ ଦୂରେଇ ରହିଥିଲି। ଗଣମାଧ୍ୟମର ଏଭଳି ଅଭିଯାନ ମୋ ପରିବାରକୁ ପ୍ରଭାବିତ କରିଥିବାରୁ ମୁଁ ମନ୍ତବ୍ୟ ଦେବାର ଆବଶ୍ୟକତା ଅନୁଭବ କଲି।
କିଛି ନିର୍ଦିଷ୍ଟ ଗଣମାଧ୍ୟମ ଏବଂ ବିରୋଧୀ ରାଜନୈତିକ ଦଳ ଦ୍ୱାରା କରାଯାଉଥିବା ଏଭଳି ଅଭିଯାନ ଖରାପ ରାଜନୈତିକ ପରମ୍ପରା ସୃଷ୍ଟି କରିଛି। ବିଶେଷକରି ଗଣମାଧ୍ୟମର କିଛି ନିର୍ଦିଷ୍ଟ ଗୋଷ୍ଠୀ ଏଭଳି ଜଘନ୍ୟ ଅପରାଧରେ ସଂକୀର୍ଣ୍ଣ ରାଜନୈତିକ ଫାଇଦା ପାଇଁ ସତ୍ୟ, ସହାନୁଭୂତି ଓ ସମ୍ବେଦନତାର ମୂଲ୍ୟକୁ ଜଳାଞ୍ଜଳି ଦେଇଛନ୍ତି। ଜନପ୍ରତିନିଧିମାନେ ଶିକ୍ଷାନୁଷ୍ଠାନ କାର୍ଯ୍ୟକ୍ରମରେ ଯୋଗ ଦେଇଥାଆନ୍ତି। ମୁଁ ଜଣେ ବିଧାୟକ ଓ ବାୟୁସେନାର ପୂର୍ବତନ ଅଧିକାରୀ ଭାବେ ଅନେକ ଶିକ୍ଷାନୁଷ୍ଠାନର କାର୍ଯ୍ୟକ୍ରମରେ ଯୋଗଦିଏ। ଯଦି ଏପରି କୌଣସି କାର୍ଯ୍ୟକ୍ରମରେ ଯୋଗଦେଇଥାଏ ଓ ସେଠାରେ ପରବର୍ତ୍ତୀ ସମୟରେ କୌଣସି ଅପରାଧ ଘଟେ ସେଥିପାଇଁ ମତେ ଦାୟୀ କରାଯାଇପାରିବ ନାହିଁ।
ବିରୋଧୀ ରାଜନୈତିକ ଦଳ ଓ ଗଣମାଧ୍ୟମକୁ ସେ ଅନୁରୋଧ କରି କହିଛନ୍ତି, ଯଦି ଏହି ପ୍ରସଙ୍ଗରେ ମୋ ବିରୋଧରେ କିଛି ପ୍ରମାଣ ଅଛି ତେବେ ତାହା ପୁଲିସ କିମ୍ବା ଅଦାଲତ ନିକଟରେ ଦାଖଲ କରନ୍ତୁ। ମୁଁ କେବଳ ମୋ ପଦରୁ ଇସ୍ତଫା ଦେବି ନାହିଁ ବରଂ ସାଧାରଣ ଜୀବନରୁ ସନ୍ନ୍ୟାସ ନେବି।
ନିର୍ଦିଷ୍ଟ ଗଣମାଧ୍ୟମ ଗୋଷ୍ଠୀ ଏହି ଘୃଣ୍ୟ ଅପରାଧକୁ ବ୍ୟକ୍ତିଗତ ରାଜନୈତିକ ଏଜେଣ୍ଡା ଭାବେ ବ୍ୟବହାର ନ କରିବାକୁ ସେ ଅନୁରୋଧ କରିଛନ୍ତି। ସାମ୍ବାଦିକତା ନୈତିକତା ଅନୁଯାୟୀ ବଞ୍ଚାଇ ରଖିବା ସାମ୍ବାଦିକ ଓ ଗଣମାଧ୍ୟମ ସଂସ୍ଥାଠାରୁ ଆଶା କରାଯାଏ।
ବିବୃତିରେ ସେ ଉଲ୍ଲେଖ କରିଛନ୍ତି ଯେ, ମୁଁ ଉଚ୍ଚବେତନ ପ୍ରାପ୍ତ ପାଇଲଟ ଚାକିରି ଛାଡ଼ି ଜୁନାଗଡ଼ ଓ କଳାହାଣ୍ଡିର ଲୋକଙ୍କ ସେବା ପାଇଁ ରାଜନୀତିରେ ଯୋଗ ଦେଇଥିଲି। ମା’ ମାଣିକେଶ୍ୱରୀଙ୍କ ନାମରେ ଶପଥ କରି ଏହି ଅପରାଧ ସହ ତାଙ୍କର କୌଣସି ସମ୍ପର୍କ ନଥିବା ସେ ଉକ୍ତ ପ୍ରେସ୍‌ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି।
ପ୍ରମାଣ ନଷ୍ଟ ପରେ ମା’ ମାଣିକେଶ୍ୱରୀଙ୍କ ନାଁ ନେଇ ଖସିପାରିବେ ନାହିଁ ଦିବ୍ୟଶଙ୍କର : ବିଜେପି
– ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଲେଖାଶ୍ରୀଙ୍କ ୪ ପ୍ରଶ୍ନ
ଭୁବନେଶ୍ୱର : ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଦେଇଥିବା ପ୍ରେସ୍‌ ବିବୃତିର ଉପରେ ଜବାବ ରଖିଛି ବିଜେପି। ମନ୍ତ୍ରୀ ଦିବ୍ୟଶଙ୍କର ପ୍ରେସ୍‌ ବିବୃତି ଜାରିର କିଛି ଘଣ୍ଟା ପରେ ଏନେଇ ବିଜେପି ସାମ୍ବାଦିକ ସମ୍ମିଳନୀ କରି ପାଲଟା କେତେକ ପ୍ରଶ୍ନ ତାଙ୍କୁ ପଚାରିଛି। ଦଳର ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ସିଧାସଳଖ ୪ଟି ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ, ପ୍ରମାଣ ନଷ୍ଟ କରିସାରିବା ପରେ ଗୋଟେ ମା’କୁ କନ୍ଦେଇ ମା’ ମାଣିକେଶ୍ୱରୀଙ୍କ ନାଁ ନେଇ ଖସିପାରିବେ ନାହିଁ ମନ୍ତ୍ରୀ ଦିବ୍ୟଶଙ୍କର। ମନ୍ତ୍ରୀଙ୍କ ଏହି ବିବୃତି ବିଭ୍ରାନ୍ତିକର ଓ ନିନ୍ଦନୀୟ। ନିଜକୁ ନିର୍ଦୋଷ ପ୍ରମାଣିତ କରିବାକୁ ମନ୍ତ୍ରୀ ଅପଚେଷ୍ଟା କରୁଛନ୍ତି। ନିଜ ନିର୍ବାଚନ ମଣ୍ଡଳୀରେ ଘଟିଥିବା ଘଟଣାର ୨୧ ଦିନ ପରେ ମନ୍ତ୍ରୀ ଲିଖିତ ଭାବରେ ବିବୃତି ଜଣାଇବା ଦୁର୍ଭାଗ୍ୟଜନକ। ବାୟୁସେନାର ସେ ଜଣେ ପୂର୍ବତନ ସୈନିକ କହି ପ୍ରଶଂସା ସାଉଁଟିବା ପାଇଁ ଅପଚେଷ୍ଟା କରିଛନ୍ତି। ଘଟଣା ଘଟିବାର ୨୧ଦିନ ବିତିଯାଇଥିଲେ ମଧ୍ୟ ଦିବ୍ୟଶଙ୍କର, ବିଜେଡି ଏବଂ ତାଙ୍କର ଦଳର ମୁଖିଆ ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ପରିବାରବର୍ଗଙ୍କୁ ସମବେଦନା ଜଣାଇଲେନାହିଁ କାହିଁକି ? ଶ୍ରୀ ମିଶ୍ର ମହାଲିଙ୍ଗ ମହାବିଦ୍ୟାଳୟକୁ ବାରମ୍ବାର ଅନ୍ଧାରୀ ବିଜେ କାହିଁକି କରନ୍ତି ବୋଲି ଅଭିଯୋଗ ହେଉଛି। ଯଦି ଦିବ୍ୟଶଙ୍କରଙ୍କ ତଦନ୍ତ ପାଇଁ ଭୟନାହିଁ ଏବଂ ମନ୍ତ୍ରୀ ପଦ ପାଇଁ ଲୋଭନାହିଁ ପ୍ରଥମେ ଗୃହରାଷ୍ଟ୍ର ମନ୍ତ୍ରୀ ସିବିଆଇ ତଦନ୍ତ ପାଇଁ ସୁପାରିସ କରନ୍ତୁ।
ଶ୍ରୀମତୀ ସାମନ୍ତସିଂହାର ମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ଯେ, ମମିତା ମେହେରଙ୍କ ପାଖରେ ଦିବ୍ୟଶଙ୍କରଙ୍କ କେଉଁ ଭିଡିଓ ଥିଲା, ଯେଉଁଥିପାଇଁ ମମିତାଙ୍କୁ ବୀଭତ୍ସ ଭାବେ ହତ୍ୟା କରାଗଲା ? ରାୟପୁର ଘରେ ସେ ହତ୍ୟାକାରୀ ଗୋବିନ୍ଦ ସାହୁଙ୍କ ସହ କ’ଣ ବୁଝାମଣା କରିବାକୁ ଯାଇଥିଲେ ? ଗୋବିନ୍ଦକୁ ଫେରାର କରାଇବା ଏବଂ ଘଟଣାକୁ ଚାପି ଦେବା, ପ୍ରମାଣ ନଷ୍ଟ କରିବାରେ ତାଙ୍କର ସମ୍ପୃକ୍ତି ଅଛି ନା ନାହିଁ, ସ୍ପଷ୍ଟ କରନ୍ତୁ। ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ କେଉଁ ଉଚ୍ଚପଦସ୍ଥ ଅଧିକାରୀଙ୍କ ନିର୍ଦେଶରେ ଗୋବିନ୍ଦ ସାହୁ ଯାଇଥିଲେ ତାହା ଉପରେ ମନ୍ତ୍ରୀ ଉତ୍ତର ରଖିବା ପାଇଁ ଲେଖାଶ୍ରୀ ଦାବି ରଖିଛନ୍ତି।

Comments are closed.