ଲାଇଭ ଅପଡେଟ: ଆତ୍ମନିର୍ଭରଶୀଳ ଭାରତ ଅଭିଯାନ – ଆଜି କୃଷି କ୍ଷେତ୍ର ପାଇଁ ଆର୍ଥିକ ସହାୟତା ଘୋଷଣା

ସମାଜ ପୋର୍ଟାଲ ଡେସ୍କ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆତ୍ମନିର୍ଭରଶୀଳ ଭାରତ ଅଭିଯାନର ଦ୍ଵିତୀୟ ଦିନରେ କୃଷି କ୍ଷେତ୍ର ପାଇଁ ଆର୍ଥିକ ସହାୟତା ପ୍ୟାକେଜ ଘୋଷଣା କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିବା ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜରେ ରହିଥିବା ବଳକା ଅର୍ଥ କୃଷି କ୍ଷେତ୍ର ପାଇଁ କେଉଁ କେଉଁ କ୍ଷେତ୍ରରେ ବିନିଯୋଗ ହେବ ସେ ନେଇ ଅର୍ଥମନ୍ତ୍ରୀ ଘୋଷଣା କରୁଛନ୍ତି।

କେନ୍ଦ୍ର ଅର୍ଥ ମନ୍ତ୍ରୀ କହିଛନ୍ତି ଯେ କୃଷି କ୍ଷେତ୍ର ପାଇଁ ମାର୍ଚ୍ଚ ଏବଂ ଏପ୍ରିଲ ମାସରେ ୬୩ ଲକ୍ଷ ଋଣ ମଂଜୁର କରାଯାଇଛି ଯେଉଁଥିରେ ୮୬ ହଜାର ୬୦୦ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଛି। ସମବାୟ ଏବଂ ଗ୍ରାମୀଣ ବ୍ୟାଙ୍କଗୁଡିକ ପାଇଁ ନାବାର୍ଡ ପକ୍ଷରୁ ଚଳିତ ବର୍ଷ ମାର୍ଚ୍ଚ ମାସ ପାଇଁ ୨୯ ହଜାର ୫୦୦ କୋଟି ଟଙ୍କାର ଅତିରିକ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଗ୍ରାମୀଣ କ୍ଷେତ୍ରର ବିକାଶ ପାଇଁ ମାର୍ଚ୍ଚରେ ରାଜ୍ୟଗୁଡ଼ିକୁ ୪୨୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି।

ବିତ୍ତ ମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଏଭଳି ପରିସ୍ଥିତିରେ ପ୍ରବାସୀ ଶ୍ରମିକମାନଙ୍କ ଖାଦ୍ୟ ଓ ରହଣି ବ୍ୟବସ୍ଥା ପାଇଁ ରାଜ୍ୟଗୁଡ଼ିକୁ ଖର୍ଚ୍ଚ କରିବା ପାଇଁ ସରକାର ଅନୁମତି ଦେଇଛନ୍ତି। ସହରାଂଚଳ ଗରିବମାନଙ୍କ ପାଇଁ କେନ୍ଦ୍ର ସରକାର ବ୍ୟବସ୍ଥା କରୁଥିବା ବେଳେ ରାଜ୍ୟ ସରକାର ବିଶେଷ ଭାବରେ ଗ୍ରାମାଞ୍ଚଳ ପାଇଁ ବ୍ୟବସ୍ଥା କରିବା ପାଇଁ ଅନୁମତି ଦିଆଯାଇଥିବା ସେ କହିଛନ୍ତି। ଏଥି ପାଇଁ ୧୧ ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ସୀତା ରମଣ କହିଛନ୍ତି। ଆଶ୍ରୟସ୍ଥଳୀ ଗୁଡିକରେ ରହୁଥିବା ବ୍ୟକ୍ତିଙ୍କ ପାଇଁ ପ୍ରତିଦିନ ୩ଟି ମିଲ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ଅର୍ଥମନ୍ତ୍ରୀ କହିଛନ୍ତି। ମାର୍ଚ୍ଚ ଏବଂ ଏପ୍ରିଲ ମାସରେ ଦେଶରେ ୭ ହଜାର ୨୦୦ଟି ସ୍ୱୟଂ ସହାୟିକା ଗୋଷ୍ଠୀ ଗଠନ କରାଯାଇଥିବା ସେ କହିଛନ୍ତି।

ଅର୍ଥମନ୍ତ୍ରୀ ନିର୍ମଳା କୃଷକମାନଙ୍କ ହିତ ଦୃଷ୍ଟିରୁ କେତେକ ସୁବିଧା ଘୋଷଣା କରି କହିଛନ୍ତି ଯେ ନାମମାତ୍ର କୃଷକ, ପ୍ରବାସୀ ଶ୍ରମିକ, ରାସ୍ତାକଡ ବିକାଳୀ ଓ କ୍ଷୁଦ୍ର ବ୍ୟବସାୟୀଙ୍କ ନିମନ୍ତେ ସରକାର ସଚେତନ ଅଛନ୍ତି ଓ ସେମାନଙ୍କ ପାଇଁ ୩ ମାସ ପର୍ଯ୍ୟନ୍ତ ଋଣ ଆଦାୟ କ୍ଷେତ୍ରରେ କୋହଳ କରାଯିବା ସହ ୩ କୋଟି କୃଷକଙ୍କୁ ୪.୨୨ ଲକ୍ଷ କୋଟି ଟଙ୍କା ଋଣ ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି। କୃଷକମାନଙ୍କ କ୍ଷେତ୍ରରେ ସୁଧ ହାର ମଧ୍ୟ ହ୍ରାସ କରାଯାଇଥିବା ବିତ୍ତମନ୍ତ୍ରୀ କହିଛନ୍ତି। ଅନ୍ୟ ପକ୍ଷରେ ୨୫ ଲକ୍ଷ ନୂଆ କିସାନ କ୍ରେଡିଟ କାର୍ଡ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।

ମନରେଗା ଉପରେ ବିବରଣୀ ପ୍ରଦାନ କରି ଅର୍ଥମନ୍ତ୍ରୀ କହିଛନ୍ତି ଯେ ଚଳିତ ମାସ ୧୩ ସୁଦ୍ଧା ୧୪ କୋଟି ୬୨ ଲକ୍ଷ ଲୋକଙ୍କୁ କାମ ଯୋଗାଇ ଦିଆଯାଇଛି ଏବଂ ଶ୍ରମ ବାବଦକୁ ୧୦ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହି ଯୋଜନା ଅଧୀନରେ ଏକ ଲକ୍ଷ ୮୭ ହଜାର ଗ୍ରାମ ପଂଚାୟତରେ ୨.୩୩ କୋଟି ଲୋକଙ୍କୁ କାମ ଯୋଗାଇ ଦିଆଯାଇଛି। ଅର୍ଥମନ୍ତ୍ରୀ ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରି କହିଛନ୍ତି ଯେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ୪୦ରୁ ୫୦ ପ୍ରତିଶତ ଅଧିକ କାର୍ଯ୍ୟଦିବସ ସୃଷ୍ଟି କରାଯାଇଛି। ଅନ୍ୟ ପକ୍ଷରେ ସରକାର ମନରେଗା ଯୋଜନାରେ ଦୈନିକ ମଜୁରୀ ୧୮୨ ଟଙ୍କାରୁ ୨୦୨ ଟଙ୍କାକୁ ଵୃଦ୍ଧି କରିଥିବା ସେ କହିଛନ୍ତି।

ସମସ୍ତ କର୍ମଚାରୀଙ୍କ ପାଇଁ ସର୍ବନିମ୍ନ ବେତନ ସ୍ଥିର କରିବାକୁ ସରକାର ଚେଷ୍ଟା କରୁଛନ୍ତି। ପ୍ରାୟ ୩୦ ପ୍ରତିଶତ କର୍ମଚାରୀ ସର୍ବନିମ୍ନ ମଜୁରୀର ଲାଭ ପାଇବାକୁ ସକ୍ଷମ ହେଉଛନ୍ତି। ଏହା ଦ୍ୱାରା ରାଜ୍ୟ ମଧ୍ୟରେ ସର୍ବନିମ୍ନ ମଜୁରୀର ପାର୍ଥକ୍ୟକୁ ଦୂର କରାଯାଇପାରିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ ଏହା ଆଇନଗତ ହେବ। ସମସ୍ତ ଶ୍ରମିକ ନିଯୁକ୍ତି ପତ୍ର ପାଇବେ ଏବଂ ବର୍ଷକୁ ଥରେ ସେମାନଙ୍କର ସ୍ୱାସ୍ଥ୍ୟ ଯାଞ୍ଚ କରାଯିବ। ଅସଂଗଠିତ କ୍ଷେତ୍ରre କାର୍ଯ୍ୟ କରୁଥିବା ଲୋକଙ୍କୁ ସାମାଜିକ ସୁରକ୍ଷା ଯୋଜନାର ଲାଭ ମିଳିବ ବୋଲି ସେ କହିଛନ୍ତି। ଶ୍ରମିକମାନଙ୍କ ପାଇଁ ESIC ସୁବିଧା କାର୍ଯ୍ୟକାରୀ ହେବ। ଯଦି ମହିଳାମାନଙ୍କୁ ରାତିରେ କାମ କରିବାକୁ ପଡିବ, ସେମାନଙ୍କ ପାଇଁ ବିଭିନ୍ନ ସୁରକ୍ଷା ବ୍ୟବସ୍ଥା ଅଣାଯିବ ବୋଲି ସେ କହିଛନ୍ତି।

ଆଠ କୋଟି ପ୍ରବାସୀ ଶ୍ରମିକଙ୍କ ପାଇଁ ରାସନ ସୁବିଧା ଯୋଗାଇ ଦେବାକୁ ସରକାର ୩୫୦୦ କୋଟି ଟଙ୍କା ପ୍ରଦାନ କରିବେ। ଯେଉଁମାନେ ଜାତୀୟ ଖାଦ୍ୟ ସୁରକ୍ଷାରେ ସାମିଲ ନାହାନ୍ତି କିମ୍ବା ରାଜ୍ୟସ୍ଥରୀୟ ରେସନ କାର୍ଡ ପାଇନାହାଁନ୍ତି ସେମାନଙ୍କ ପାଇଁ ଏହି ବ୍ୟବସ୍ଥା କରାଯାଇଛି। ଏଥିରେ ପ୍ରତି ବ୍ୟକ୍ତି ପାଇଁ ୫ କିଲୋଗ୍ରାମ ଗହମ କିମ୍ବା ଚାଉଳ ପାଇବେ। ଆସନ୍ତା ଦୁଇମାସ ପାଇଁ ପରିବାର ପ୍ରତି ଏକ କିଲୋଗ୍ରାମ ଗ୍ରାମ ଡାଲି ମଧ୍ୟ ଯୋଗାଇ ଦିଆଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଏହାକୁ କାର୍ଯ୍ୟକାରୀ କରିବା ରାଜ୍ୟ ସରକାରଙ୍କ ଦାଇତ୍ୱ ବୋଲି ସେ ସ୍ପଷ୍ଟ କରିଛନ୍ତି।

Comments are closed.