ଗରିବ ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାରେ ସିଲିଂ ବହିର୍ଭୁତ ଓ ସରକାରୀ ଜମି ବଣ୍ଟନ ଆଜିବି ମୁଖ୍ୟ ପ୍ରସଙ୍ଗ ହୋଇ ରହିଛି

ଭୁବନେଶ୍ୱର : ସାରା ଦେଶରେ ଓଡ଼ିଶା ଏକ ଆର୍ଥିକ ଅନଗ୍ରସର ପଛୁଆ ରାଜ୍ୟ। ପୁଣି ଆମ ରାଜ୍ୟ ଭିତରେ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଗୁଡ଼ିକ ସବୁଠୁ ଗରିବ ଓ ଅବହେଳିତ। ରାୟଗଡ଼ା ଜିଲାରେ ତଫସିଲଭୁକ୍ତ ଜାତି (ଏସ୍‌ସି) ସେହି ଜିଲାର ଜନସଂଖ୍ୟାର ୧୪.୪୧% ଓ ତଫସିଲଭୁକ୍ତ ଜନଜାତି ସଂଖ୍ୟା ହେଉଛି ୫୫.୯୯ ଅର୍ଥାତ୍ ୫୬%। ମୋଟାମୋଟି ଭାବେ ଜିଲାର ୭୦% ଲୋକ ହେଉଛନ୍ତି ଏହି ଦୁଇ ସମ୍ପ୍ରଦାୟର। କିନ୍ତୁ ଏମାନଙ୍କ ପାଖରେ ଜମି ନାହିଁ ଓ ଏମାନଙ୍କର ଘରଡ଼ିହ ବି ନାହିଁ। ଏମାନେ ଭୂମିହୀନ ଓ ବାସହୀନ। ଆଜି ବି ବଞ୍ଚିବାର ଏକମାତ୍ର ରାହା ହେଉଛି ଜମି। ସବୁ ଜମି ଜମିଦାର, ସାହୁକାରଙ୍କ ପାଖରେ ଅଛି। ତେଣୁ ଜିଲାର ଦୁଇ ତୃତୀୟାଂଶ ଲୋକ ଜିଲାରେ ମଜୁରୀ ଲାଗି ପେଟ ପୋଷୁଛନ୍ତି। ସ୍ୱାଧୀନତା ପରେ ଅନୁସୂଚିତ ଅଞ୍ଚଳରେ ୧୯୬୦ ମସିହା ବେଳକୁ ଓଡ଼ିଶାରେ ଯେଉଁ ଜମିଜମା ବନ୍ଦୋବସ୍ତ କରାଗଲା। ବହୁ କାଳ ଧରି ବସବାସ ଓ ଚାଷ କରି ଆସୁଥିବା ଗରିବ ଆଦିବାସୀ, ଦଳିତ ଓ ଅନ୍ୟାନ୍ୟ ଜଙ୍ଗଲବାସୀମାନଙ୍କ ନାମରେ ଚଞ୍ଚକତା କରି ପଟ୍ଟା କରାଗଲା ନାହିଁ। ଅପର ପକ୍ଷରେ ସେଠାକାର ସାହୁକାର ଓ ଜମିଦାରମାନଙ୍କ ନାମରେ ଜମି ସେମାନେ କରାଇନେଲେ। ଓଡ଼ିଶାରେ ଶିକ୍ଷିତ ସଂଖ୍ୟା ଶତକଡ଼ା ୭୨ ଭାଗ ହୋଇଥିଲା ବେଳେ ରାୟଗଡ଼ା ଜିଲ୍ଳା ୫୦.୮୮ ଶତାଂଶ। ତେଣୁ କେବଳ ଆର୍ଥିକ ଦିଗରୁ ନୁହଁ, ଶିକ୍ଷା, ସ୍ୱାସ୍ଥ୍ୟ ସବୁ ଦିଗରୁ ଏମାନେ ପଛୁଆ। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ଟଙ୍କା ଅଧିକାଂଶ ଲୋକଙ୍କ ପାଖକୁ ଯାଏ ନାହିଁ। ଲୋକେ କାମ ନକରି ମେସିନ କରେ। ଜବକାର୍ଡ଼ ବନ୍ଧା ପଡ଼ିଥାଏ ନଚେତ୍ ମିଛ ରେକର୍ଡ଼ ପାଇଁ ବ୍ୟବହାର କରାଯାଏ। ନନ୍ଦିନୀ ଦେବୀଙ୍କ ମୁଖ୍ୟମନ୍ତ୍ରୀତ୍ୱ ବେଳେ ଜନ ଆନ୍ଦୋଳନ ଚାପରେ ହୋଇଥିବା ଭୂସଂସ୍କାର ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। ବହୁଳ ପ୍ରଚାରିତ ସିଲିଂ ବର୍ହିଭୁତ ଜମି ଗରୀବ ତଥା ଆଦିବାସୀଙ୍କ ମଧ୍ୟରେ ବଣ୍ଟା ଗଲାନାହିଁ। କେତେକ ଜାଗାରେ କେବଳ କାଗଜପତ୍ରରେ ବଣ୍ଟାଯାଇଛି ଓ କେତେକ ଜାଗାରେ ଆଦିବାସୀ ପଟ୍ଟା ପାଇଥିଲେ ବି ସରକାର ଦଖଲ ଦେଇନାହାଁନ୍ତି। ଫଳରେ ଜମି ସେହି ଜମିଦାର ନିଜ ଦଲାଲଙ୍କ ପାଖରେ ରଖି ଭୋଗ ଦଖଲ କରୁଛନ୍ତି। ପୁଣି ସରକାରଙ୍କ ସଲାସୁତୁରାରେ ପ୍ରଭାବଶାଳୀ ଜମିଦାର ସାହୁକାର କୋର୍ଟ କଚେରୀରୁ ସ୍ଥଗିତାଦେଶ ଆଣି ବର୍ଷ ବର୍ଷ ଧରି ସିଲିଂ ବଳକା ଜମିକୁ ଦଖଲ କରୁଛନ୍ତି। ଏହା ଆଇନକୁ ଆଖି ମିଟିକା ମାରିବା। ପ୍ରବଳ ପ୍ରତାପୀ ସାହୁକାରମାନେ ପୁରୁଣା ପଟ୍ଟାକୁ ପ୍ରଶାସନିକ ଅଧିକାରୀଙ୍କୁ ଦେଖାଇ ଗରିବ-ଆଦିବାସୀ ଭୂମିହୀନଙ୍କୁ ଧମକାଇବା, ମିଥ୍ୟା କେସ୍ରେ ଫସାଇବା, ଆନ୍ଦୋଳନକାରୀ ନେତୃତ୍ୱକୁ ମାଓବାଦୀ କହି ଜେଲ୍ ପଠାଇବା ଏକ ସାଧାରଣ କଥା। ଜମିଜମା ସମସ୍ୟା ହିଁ ଏହି ଜିଲ୍ଲାର ମୁଖ୍ୟ ସମସ୍ୟା ହୋଇଥିବାରୁ କୃଷି ସମ୍ପର୍କୀୟ ସମସ୍ତ ସରକାରୀ ଯୋଜନା ଏଠାରେ ମୂଲ୍ୟହୀନ ହୋଇଯାଉଛି।

ସାଥୀ ନାଗଭୂଷଣ ପଟ୍ଟନାୟକ, ସାଥୀ ପୂର୍ଣ୍ଣ ଗମାଙ୍ଗୋଙ୍କ ଅମଳରୁ ଗୁଡ଼ାରୀ, ଗୁଣୁପୁରୁ, ବୋରିଗୁମା, ଉଣ୍ଡୁରଗୁଡ଼ା, ଖମାପଦର, କୋଇଲିକଟା, ବିଷମକଟକ, ରାୟଲପଦର ସମେତ ଏକ ବ୍ୟାପକ ଅଞ୍ଚଳରେ ଜମି ଦଖଲ ଅନ୍ଦୋଳନ ଏକ ଉଚ୍ଚତମ ଶିଖରକୁ ଛୁଇଁଥିଲା ଯାହା ସରକାର କରୁନଥିଲେ ଲୋକେ ସିପିଆଇ (ଏମଏଲ) ଲିବରେସନ ନେତୃତ୍ୱରେ ତାହା କରିଥିଲେ। ସେଥିପାଇଁ ଜେଲ୍, ଜୋରିମାନା ଓ ଦଣ୍ଡକୁ ଖାତିର କରୁନଥିଲେ। ସରକାର ଆନ୍ଦୋଳନ ଚାପରେ ଲୋକ ଦେଖାଣିଆ କିଛି କାର୍ଯ୍ୟ କଲେ। ପୁଣି ସବୁ ଥଣ୍ଡା ପଡ଼ିଗଲା। ଧୃତ ଜମିଦାର ଗୋଷ୍ଠୀ ମଠ, ଟ୍ରଷ୍ଟ, ମନ୍ଦିର, ବଗିଚା ଓ ନିଜ ସମ୍ପର୍କୀୟ ନାଁରେ ଶହ ଶହ ଏକର ଜମି ଲୁଚାଇ ରଖିଛନ୍ତି। ତଥାପି ଲୋକେ କିଛି ଜମି ଦଖଲ କରି ଏବେ ବି ସେହି ଆୟରେ ଚଳୁଛନ୍ତି। ଏଭଳି ଜ୍ୱଳନ୍ତ ଘଟଣା ହେଉଛି, ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ କୋଇଲିକଟା ଗାଁରେ। ମୃତ ଜମିଦାର ପ୍ରକାଶ ସାହୁଙ୍କର ସିଲିଂ ବଳକା ପ୍ରାୟ ୧୪ଏକର ଜମି ସେହି ଗାଁର ୩୦ ଭୂମିହୀନ ପରିବାର ଆଜକୁ ଦୀର୍ଘଦିନ ଧରି ଦଖଲ କରୁଛନ୍ତି। ଏବେ ତାଙ୍କ ପୁଅ ସେହି ଜମିକୁ ଦଲାଲ ଲଗାଇ ଦଖଲ କରିବାରେ ବିଫଳ ହେବାରୁ ନିଜେ ଟ୍ରାକ୍ଟର ନେଇ ଜୋର କରି ଦଖଲ କରିବାକୁ ଉଦ୍ୟମ କରି ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ କରିବାକୁ ଉଦ୍ୟମ କରି ବିଫଳ ହୋଇଛନ୍ତି। ସେ ପ୍ରଶାସନକୁ ଦେଖାଇବାକୁ ଚାହୁଁଛି ଯେ, ଏହା ତାଙ୍କର ରେକର୍ଡ଼ଭୁକ୍ତ ଜମି ଯାହା ଡ଼ାହା ମିଛ। ପ୍ରକୃତରେ ଏହା ସରକାରୀ ଜମି। ନିୟମତଃ ଏହି ୧୪ ଏକର ହେଉଛି ସରକାରୀ ଜମି। ସରକାର ଦଖଲରେ ଥିବା ଗରିବ ଲୋକଙ୍କୁ ବଣ୍ଟନ କରିନଥିବାରୁ ଏଭଳି ବିଶୃଙ୍ଖଳା ସୃଷ୍ଟି ହେଉଛି। ସେହିଭଳି ଗୁଣୁପୁରୁ ଓ ଗୁଡ଼ାରୀ ଅଞ୍ଚଳରେ ଲୋକଙ୍କ ଦଖଲରେ ରହିଥିବା ସରକାରୀ ଜମି ଓ ରାୟଲ ପଦରେ ମୁନିନାର୍ସୁଆଣି ପାଢୀଙ୍କ ୫୦ଏକର ସିିଲିଂ ଜମି ଓ ମଠ ମନ୍ଦିର ନାମରେ ଲୁଚାଯାଇଅଛି। ସି.ପି.ଆଇ. (ଏମ୍.ଏଲ୍) ଲିବରେସନର କେନ୍ଦ୍ର କମିଟି ସଭ୍ୟ ତଥା ରାୟଗଡ଼ା ଜିଲା ସମ୍ପାଦକ ସାଥୀ ତ୍ରୀପତି ଗମଙ୍ଗୋଙ୍କ ନେତୃତ୍ୱରେ ଗରିବ ଲୋକେ ଜମି ଦଖଲ ସାରା ଜିଲ୍ଲା ଆନ୍ଦୋଳନ ଚଳାଇ ରଖିଛନ୍ତି। ଆମର ଦାବି ସରକାର ତୁରନ୍ତ ସିଲିଂ ବହିର୍ଭୁତ ଜମି ପଟ୍ଟା ଭୂମିହୀନଙ୍କୁ ଦିଅନ୍ତୁ ଓ ଦଖଲ ବି ଦିଅନ୍ତୁ। ବର୍ଷ ବର୍ଷ ଧରି କୋର୍ଟ କଚେରୀରେ ପଡ଼ିଥିବା ଜମି ମାମଲାକୁ ତୁରନ୍ତ ଫଇସଲା କରି ବଳକା ଜମି ବାଣ୍ଟନ୍ତୁ ପୋଲିସ୍ ଓ ପ୍ରଶାସାନିକ ଅଧିକାରୀମାନେ ବାସ୍ତବତାକୁ ଅନୁଭବ କରି ଜମିର ସରଜମିନ ତଦନ୍ତ କରିବା ସହ ଗରିବ ଲୋକଙ୍କୁ ନ୍ୟାୟ ଦିଅନ୍ତୁ। ନଚେତ୍ ଅତୀତ ଦିନ ଭଳି ଜମି ଆନ୍ଦୋଳନ ତୀବ୍ର ରୂପ ନେବ ଓ ଏଥିପାଇଁ ସରକାର ଦାୟୀ ରହିବେ।

Comments are closed.