ଆସନ୍ତାକାଲି ରାଷ୍ଟ୍ରପତିଙ୍କ ପୁରୀ ଓ କୋଣାର୍କ ଗସ୍ତ

ସୁରକ୍ଷା ବ୍ୟବସ୍ଥା କଡାକଡି

ପୁରୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତାକାଲି (ସୋମବାର) ପୁରୀ ଶ୍ରୀମନ୍ଦିର ଓ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନରେ ଯିବେ।  ରାଷ୍ଟ୍ରପତି କାଲି  ପୂର୍ବାହ୍ନ ୮ଟା ୪୫ରେ ସେନାବାହିନୀ ହେଲିକେପ୍ଟର ଯୋଗେ ପୁରୀ ତାଳବଣିଆ ଠାରେ ପହଞ୍ଚିବେ। ସେଠାରୁ ବୁଲେଟ ପ୍ରୁଫ୍‍ କାର ଯୋଗେ କଡା ସୁରକ୍ଷା ମଧ୍ୟରେ ଭିଆଇପି ରୋଡ ଓ ବଡଦାଣ୍ଡ ଦେଇ ଶ୍ରୀମନ୍ଦିରକୁ ଯିବେ। ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ନିକଟରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରାଯିବ। ରାଷ୍ଟ୍ରପତିଙ୍କ ପ୍ରବେଶର ପ୍ରାୟ ୩୦ ମିନିଟ୍‍ ପୂର୍ବରୁ ଶ୍ରୀମନ୍ଦିର ଭିତରକୁ ଅନ୍ୟ କୌଣସି ଭକ୍ତଙ୍କୁ ପ୍ରବେଶ ଲାଗି ଅନୁମତି ଦିଆଯିବ ନାହିଁ। ଏହି ସମୟରେ ପାଳିଆ ସେବକ, ମନ୍ଦିର କର୍ମଚାରୀ ଓ ସୁରକ୍ଷା କର୍ମୀଙ୍କ ସମେତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିବେ। ସିଂହଦ୍ୱାର ନିକଟରେ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବାର କାର୍ଯ୍ୟକ୍ରମ ରହିଛି।

ରତ୍ନସିଂହାସନ ନିକଟରେ ଠିଆ ହୋଇ ରାଷ୍ଟ୍ରପତି ଶ୍ରୀଜୀଉଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବେ। ଏହାପରେ ସେ ମା’ ବିମଳା ଓ ମହାଲକ୍ଷ୍ମୀଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ପୂର୍ବାହ୍ନ ୯ଟା ୫ରୁ ୯ଟା ୪୫ ମିନିଟ୍‍ ପର୍ଯ୍ୟନ୍ତ ରାଷ୍ଟ୍ରପତି ଶ୍ରୀମନ୍ଦିରରେ ରହିବେ। ଏହାପରେ ରାଷ୍ଟ୍ରପତି ହେଲିକେପ୍ଟର ଯୋଗେ ଯାଇ ଦିନ ୧୦ଟା ୨୫ରେ କୋଣାର୍କରେ ପହଞ୍ଚିବେ। ଦିନ ୧୦ଟା ୪୫ରୁ ୧୧ଟା ୧୫ ପର୍ଯ୍ୟନ୍ତ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବେ। ଏହାପରେ ରାଷ୍ଟ୍ରପତି କୋଣାର୍କ ବ୍ୟାଖାନ କେନ୍ଦ୍ର ପରିଦର୍ଶନ କରିବେ। ସେଠାରୁ ଓଡିଟିସି ଯାତ୍ରୀ ନିବାସ ଯାଇ ମଧ୍ୟାହ୍ନ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନ ୪ଟା ୧୫ରେ ସେଠାରୁ ରାଷ୍ଟ୍ରପତି ଭୁବନେଶ୍ୱର ଫେରିବେ।

ରାଷ୍ଟ୍ରପତିଙ୍କ ଗସ୍ତ ଲାଗି ଏହି ଦୁଇ ସହରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ରାଷ୍ଟ୍ରପତିଙ୍କ କାରକେଡ ଅଭ୍ୟାସ ମଧ୍ୟ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ସମର୍ଥ ବର୍ମା ଓ ଏସ୍‍ପି କେ.ବି ସିଂହ  ବିଭିନ୍ନ ସ୍ଥାନ ପରିଦର୍ଶନ କରି ପ୍ରସ୍ତୁତି କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି।  ରାଷ୍ଟ୍ରପତିଙ୍କ ପୁରୀ ଓ କୋଣାର୍କ ଗସ୍ତକୁ ଦୃଷ୍ଟିରେ ରଖି ୨୦ ପ୍ଲାଟୁନ ପୋଲିସ ଫୋର୍ସଙ୍କ ସମେତ କେନ୍ଦ୍ରୀୟ ସୁରକ୍ଷା ବାହିନୀ, ବୋମା ନିଷ୍କ୍ରିୟକାରୀ ଦଳ, କେନ୍ଦ୍ରୀୟ ଗୁଇନ୍ଦା ବାହିନୀ ଓ ଡଗ୍ ସ୍ୱାଡ୍‍ଙ୍କୁ ବିଭିନ୍ନ ସ୍ଥାନରେ ନିୟୋଜିତ କରାଯିବ। ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଉପସ୍ଥିତ ହେବାକୁ ଥିବା ସେବାୟତ, ସୁରକ୍ଷା କର୍ମୀ ଓ ଅଧିକାରୀଙ୍କ କୋଭିଡ୍‍ ପରୀକ୍ଷା କରା ଯାଇଛି।

 

Comments are closed.