ମହମ୍ମଦଙ୍କ ଜନ୍ମବାର୍ଷିକୀ ଅବସରରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ଧର୍ମଗୁରୁ ପୟଗମ୍ବର ମହମ୍ମଦଙ୍କ ଜନ୍ମବାର୍ଷିକୀ ଅବସରରେ ଆଜି ଦେଶର ବିଭିନ୍ନ ସ୍ଥାନରେ ଇଦ-ମିଲାଦ୍‍-ଉନ୍‍-ନବୀ ପାଳିତ ହେଉଛି। ତେବେ କୋଭିଡ ମହାମାରୀ ପରିପ୍ରେକ୍ଷୀରେ ଆଜି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମିଲାଦ୍‍ ଶୋଭାଯାତ୍ରା ନ କରିବା ଲାଗି ନିଷ୍ପତ୍ତି ନିଆଯାଇଥିବା ବେଳେ କୋଭିଡ ନିର୍ଦ୍ଦେଶାବଳୀ ପାଳନ କରି କେବଳ ‘ମିଲାଦ୍‍ ମେହଫିଲ୍‍’ ଓ ‘ସିରତ୍‍ ମଜଲିସ୍‍’ ଅନୁଷ୍ଠିତ ହେଉଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଏମ୍‍. ଭେଙ୍କିୟାନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅବସରରେ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ରାଷ୍ଟ୍ରପତି ନିଜ ବାର୍ତ୍ତାରେ କହିଛନ୍ତି ପୟଗମ୍ବର ମହମ୍ମଦ ପ୍ରେମ ଓ ଭ୍ରାତୃତ୍ୱର ବାର୍ତ୍ତା ଦେବା ସହ ବିଶ୍ୱକୁ ମାନବିକତାର ପଥରେ ଆଗେଇ ନେଇଥିଲେ। ତାଙ୍କ ଉପଦେଶକୁ ପାଥେୟ କରି ଦେଶରେ ଶାନ୍ତି ଓ ସଦ୍‍ଭାବ ବଜାୟ ରଖିବା ସହ ସମାଜର କଲ୍ୟାଣ ଦିଗରେ କାର୍ଯ୍ୟ କରିବାକୁ ଶ୍ରୀ କୋବିନ୍ଦ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି।

ଉପରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି, ପରିବାର ଓ ବନ୍ଧୁଙ୍କ ସହ ଏକତ୍ର ହୋଇ ପ୍ରାର୍ଥନା କରିବାର ସୁଯୋଗ ମିଲାଦ ଉନ୍‍ ନବୀ ଭଳି ଉତ୍ସବ ପ୍ରଦାନ କରିଥାଏ। ତେବେ କୋଭିଡ ମହାମାରୀ ଦୃଷ୍ଟିରୁ ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବା ସହ ମହମ୍ମଦଙ୍କ ଦ୍ୱାରା ପ୍ରଦର୍ଶିତ ବିଶ୍ୱ ଭ୍ରାତୃତ୍ୱ ପଥରେ ଅଗ୍ରସର ହେବାକୁ ଶ୍ରୀ ନାଇଡୁ ପରାମର୍ଶ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ଏହି ଅବସରରେ ତାଙ୍କ ଟ୍ୱିଟ୍‍ ବାର୍ତ୍ତାରେ ସମାଜରେ ଦୟା ଓ ଭ୍ରାତୃତ୍ୱର ପ୍ରସାର ଦିଗରେ କାର୍ଯ୍ୟ କରିବାକୁ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି।

Comments are closed.