ବିଜୟା ଦଶମୀରେ ଦେଶବାସୀଙ୍କୁ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ବିଜୟା ଦଶମୀ ବା ଦଶହରା ପର୍ବ ଆଜି ଦେଶବ୍ୟାପୀ ପାଳନ କରାଯାଉଛି। ଅନ୍ୟାୟ ଉପରେ ନ୍ୟାୟର ବିଜୟ ପ୍ରତୀକ ସ୍ୱରୂପ ଏହି ପର୍ବ ପାଳନ କରାଯାଇଥାଏ। ଆଜି ହେଉଛି ଦୁର୍ଗାପୂଜା ବା ନବରାତ୍ରିର ମଧ୍ୟ ଶେଷଦିନ। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଏମ୍‍. ଭେଙ୍କିୟାନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ବାର୍ତ୍ତାରେ ଶ୍ରୀ କୋବିନ୍ଦ କହିଛନ୍ତି, ଏହି ପର୍ବ ଭାରତର ସାଂସ୍କୃତିକ ଏକତାକୁ ମଜବୁତ କରିଥାଏ ଏବଂ ଅନ୍ୟାୟର ପଥ ପରିହାର କରି ନ୍ୟାୟପଥରେ ଶାନ୍ତିର ସହ ବଞ୍ଚିବା ପାଇଁ ଆମକୁ ପ୍ରେରଣା ଦେଇଥାଏ। ସେ କହିଛନ୍ତି ଏହି ପର୍ବ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ଜୀବନ ଓ ଦର୍ଶନ ସହ ଜଡ଼ିତ, ଯାହାଙ୍କ ଜୀବନ ନୈତିକତା ଓ ମୂଲ୍ୟବୋଧରେ ଭରପୂର। ରାଷ୍ଟ୍ରପତି କହିଛନ୍ତି, ଏହି ପର୍ବ ଆମକୁ ବର୍ତ୍ତମାନର ମହାମାରୀର କୁ-ଦୃଷ୍ଟିରୁ ସୁରକ୍ଷା ଦେବ ଏବଂ ଦେଶବାସୀଙ୍କ ପାଇଁ ଉନ୍ନତି ଆଣିଦେବ।


ଉପରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ ଦଶହରା ପାଳନ ସମୟରେ ସମସ୍ତେ କୋଭିଡ୍‍ ନାଇଣ୍ଟିନ୍‍ ନିୟମାବଳୀ ପାଳନ କରିବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି ଦଶହରା ପର୍ବ ଅସତ୍ୟ ଉପରେ ସତ୍ୟର ବିଜୟକୁ ପ୍ରତୀକାତ୍ମକ ଭାବେ ଦର୍ଶାଇଥାଏ। ମା’ ଦୁର୍ଗା ମହିଷାସୁରକୁ ନିଧନ କରିବା ଏହାର ଏକ ଉଦାହରଣ।


ବିଜୟା ଦଶମୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ ଅସତ୍ୟ ଉପରେ ସତ୍ୟ ଓ ଅନ୍ୟାୟ ଉପରେ ନ୍ୟାୟର ବିଜୟର ଏହି ପର୍ବ ସମସ୍ତଙ୍କ ଜୀବନରେ ନୂତନ ପ୍ରେରଣା ଆଣିଦେଉ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Comments are closed.