ନିର୍ଭୟା ମାମଲା: ସବୁ ବିକଳ୍ପ ଶେଷ, ଏଥର ଫାଶୀ ନିଶ୍ଚିତ

ନୂଆଦିଲ୍ଲୀ: ନିର୍ଭୟା ମାମଲାର ଦୋଷୀ ପୱନ ଗୁପ୍ତାର ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର ଖାରଜ କରିଦେଇଛନ୍ତି। ଏହା ସହିତ ୪ ଦୋଷୀଙ୍କ ସମସ୍ତ ଆଇନଗତ ବିକଳ୍ପ ଶେଷ ହୋଇଯାଇଛି। ଏଥର ଦୋଷୀମାନଙ୍କୁ ଫାଶୀ ପାଇବାରୁ କେହି ରକ୍ଷା କରିପାରିବେ ନାହିଁ।

ପୱନର ରାଜକ୍ଷମା ଆବେଦନ ଖାରଜ ହେବା ଏବଂ ଦୋଷୀଙ୍କ ପାଖରେ କୌଣସି ଆଇନଗତ ବିକଳ୍ପ ନ ଥିବାରୁ ଏବେ ତିହାର ଜେଲ ପ୍ରଶାସନ ପଟିୟାଲା ହାଉସ କୋର୍ଟରେ ନୂଆ ଡେଥ ୱାରେଣ୍ଟ(ଫାଶୀ ତାରିଖ) ପାଇଁ ଆବେଦନ କରିବ। ଦୋଷୀମାନଙ୍କୁ ଚଳିତ ମାସରେ ହିଁ ଫାଶୀ ଦିଆଯିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି।

ସୂଚନାଯୋଗ୍ୟ, ମାର୍ଚ୍ଚ ୩ ତାରିଖ ସକାଳ ୬ଟାରେ ନିର୍ଭୟା ଦୋଷୀମାନଙ୍କୁ ଫାଶୀ ଦିଆଯିବା ନେଇ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଏହା ପୂର୍ବରୁ ୨ ତାରିଖ ଦିନ କୋର୍ଟ ୩ୟ ଥର ଲାଗି ଦୋଷୀମାନଙ୍କ ଫାଶୀ ତାରିଖ ଘୁଞ୍ଚାଇ ଦେଇଥିଲେ। ପୱନର ରାଜକ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ନିକଟରେ ବିଚାରାଧୀନ ରହିଥିବାରୁ କୋର୍ଟ ଏହି ନିଷ୍ପତ୍ତି ନେଇଥିଲେ।

Comments are closed.