ଓଡିଶା ଆସୁଛନ୍ତି ରାଷ୍ଟ୍ରପତି କୋବିନ୍ଦ

ନୂଆଦିଲ୍ଲୀ: ୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ୭ ଡିସେମ୍ବର ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବାୟୁସେନାର ସ୍ବତନ୍ତ୍ର ବିମାନଯୋଗେ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରିବେ। ଏହାପରେ ବିମାନବନ୍ଦରରୁ ରାଷ୍ଟ୍ରପତି କୋବିନ୍ଦ ସିଧାସଳଖ ରାଜଭବନ ଅଭିମୁଖେ ଯିବେ। ସେଠାରେ ରାଷ୍ଟ୍ରପତି ରାତ୍ରି ଯାପନ କରିବେ। ୮ ଡିସେମ୍ବର ସକାଳେ ରାଷ୍ଟ୍ରପତି ଖୋର୍ଦ୍ଧାର ବରୁଣେଇ ଅଭିମୂଖେ ଯାତ୍ରା କରିବେ। ସେଠାରେ ରାଷ୍ଟ୍ରପତି ପାଇକ ବିଦ୍ରୋହର ସ୍ମାରକୀର ଶିଳାନ୍ୟାସ କରିବେ। ଏହାପରେ ରାଷ୍ଟ୍ରପତି କୋବିନ୍ଦ ଭୁବନେଶ୍ବର ଫେରି ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ଲାଟିନମ୍‌ ଜୁବୁଲି ସମାରୋହରେ ଯୋଗଦେବେ। ଏହାପରେ ରାଷ୍ଟ୍ରପତି ରାଜଭବନ ଫେରି ସେଠାରେ ମଧ୍ୟାହ୍ନ ଭୋଜନ କରିବେ। ସେହିଦିନ ଅର୍ଥାତ ୮ ଡିସେମ୍ବର ସନ୍ଧ୍ୟା ୫ଟାରେ ରାଷ୍ଟ୍ରପତି ଦିଲ୍ଲୀ ଫେରିଯିବେ। ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତକୁ ନେଇ କମିଶନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରାଷ୍ଟ୍ରପତି ରାଜଭବନରୁ ଖୋର୍ଦ୍ଧା ବରୁଣେଇ ଏବଂ ସେଠାରୁ ପୁଣି ବାଣୀବିହାର ଅଭିମୁଖେ ସଡକ ପଥରେ ଯାତ୍ରା କରିବାର ଥିବାରୁ ତାଙ୍କର ସୁରକ୍ଷା ପ୍ରତି ବିଶେଷ ଦୃଷ୍ଟି ଦିଆଯାଇଛି। ଏଥି ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ପ୍ରାୟ ୫୦ ପ୍ଲାଟୁନ୍ ପୁଲିସ ମୁତୟନ କରାଯିବାର ସୂଚନା ମିଳିଛି।

ଏଠାରେ ସୂଚନାଯୋଗ୍ୟ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୬ ଡିସେମ୍ବରରୁ ୮ ଡିସେମ୍ବର ମଧ୍ୟରେ ରାଜସ୍ତାନ ଏବଂ ଓଡିଶା ଗସ୍ତରେ ଆସୁଛନ୍ତି। ୬ ଡିସେମ୍ବରରେ ରାଷ୍ଟ୍ରପତି ରାଜସ୍ତାନର ମାଉଣ୍ଟଆବୁରେ ଥିବା ପ୍ରଜାପତି ବ୍ରହ୍ମକୁମାରୀ ମୁଖ୍ୟ କାର୍ଯ୍ୟାଳୟରେ ମହିଳା ସଶକ୍ତିକରଣ ଉପରେ ହେଉଥିବା ରାଷ୍ଟ୍ରୀୟ ସମାବର୍ତ୍ତନ ସମାରୋହରେ ଯୋଗଦେବେ। ୭ ଡିସେମ୍ବରରେ ରାଷ୍ଟ୍ରପତି ଯୋଧପୁର ଏମସର ଦ୍ବିତୀୟ ସମାବର୍ତ୍ତନ ସମାରୋହରେ ଯୋଗଦେବେ ଏହାପରେ ରାଜସ୍ତାନ ହାଇକୋର୍ଟର ନୂତନ କୋଠାର ଉଦଘାଟନ କରିବେ। ଏହପରେ ୭ ଡିସେମ୍ବର ସନ୍ଧ୍ୟାରେ ଓଡିଶା ଅଭିମୁଖେ ଯାତ୍ରା କରି​‌ବେ।

Comments are closed.