ବିଜ୍ଞାନକୁ ଲୋକାଭିମୁଖୀ କରିବା ଉଚିତ୍‍ – ରାଷ୍ଟ୍ରପତି ରାମନାଥ କୋବିନ୍ଦ

ସମାଜ ପୋର୍ଟାଲ ଡେସ୍କ: ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି, ବିଜ୍ଞାନକୁ ଲୋକମାନଙ୍କର ବିକାଶ ଓ ମଙ୍ଗଳ ପାଇଁ ବ୍ୟବହାର କରାଯିବା ଉଚିତ୍‍। ଆଜି ନୂଆଦିଲ୍ଲୀରେ ଜାତୀୟ ବିଜ୍ଞାନ ଦିବସ ଉତ୍ସବରେ ଉଦ୍‍ବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି, ବିଜ୍ଞାନ ଗବେଷଣାର ସୁଫଳ ଯେତେବେଳେ ସମାଜର ତଳ ସ୍ତରର ଲୋକ, ଯୁବପୀଢ଼ି, ମହିଳା ଓ ସାମାଜିକ – ଅର୍ଥନୈତିକ ଅନଗ୍ରସର ଶ୍ରେଣୀର ଲୋକମାନଙ୍କ ପାଖରେ ପହଞ୍ଚିବ ସେତେବେଳେ ଯାଇଁ ଏହା ସଫଳ ହେବ। କୋବିନ୍ଦ ଦେଶରେ ବିଜ୍ଞାନର ଉନ୍ନତି ପ୍ରତି ସଂକଳ୍ପବଦ୍ଧ ହେବାକୁ ଆହ୍ୱାନ ଦେଇଛନ୍ତି। ରାଷ୍ଟ୍ରପତି କହିଛନ୍ତି, ସ୍ୱାଧୀନତା ପରଠାରୁ ଭାରତ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି ଉପରେ ଗୁରୁତ୍ୱ ଦେଇଆସୁଛି ଓ ଭାରତୀୟ ସମ୍ବିଧାନରେ ଏହା ଏକ ମୌଳିକ କର୍ତ୍ତବ୍ୟ ଭାବେ ସ୍ଥାନ ପାଇଛି। ଚଳିତ ବର୍ଷର ଜାତୀୟ ବିଜ୍ଞାନ ଦିବସର ଶୀର୍ଷକ ‘ବିଜ୍ଞାନରେ ମହିଳା’ ରଖାଯାଇଛି।

ରାଷ୍ଟ୍ରପତି କହିଛନ୍ତି, ବିଜ୍ଞାନରେ ଉଚ୍ଚଶିକ୍ଷା ଲାଭ କରିବାକୁ ମହିଳାମାନଙ୍କୁ ଉତ୍ସାହିତ କରିବା ପାଇଁ ବିଭିନ୍ନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ମହିଳାମାନଙ୍କ ପ୍ରତିନିଧିତ୍ୱକୁ ସେ ବୃଦ୍ଧି କରିଛନ୍ତି। ରାଷ୍ଟ୍ରପତି କହିଛନ୍ତି, ଭାରତର ଗବେଷଣା ଓ ବିକାଶ କ୍ଷେତ୍ରରେ ଯଥେଷ୍ଟ ସଂଖ୍ୟକ ମହିଳା ନଥିବା ସତ୍ତ୍ବେ ଭାରତ ମହିଳା ବୈଜ୍ଞାନିକମାନଙ୍କୁ ସର୍ବଦା ଉତ୍ସାହିତ କରି ଆସୁଛି। ଏହି ଅବସରରେ ଉଦବୋଧନ ଦେଇ ବିଜ୍ଞାନ ଓ ବୈଷୟିକ ଜ୍ଞାନ ମନ୍ତ୍ରୀ ଡକ୍ଟର ହବର୍ଷବର୍ଦ୍ଧନ ବିଭିନ୍ନ କ୍ଷେତ୍ରରେ ଉପୁଜୁଥିବା ସମସ୍ୟାଗୁଡ଼ିକର ସମାଧାନରେ ସହାୟତା କରିବାକୁ ବୈଜ୍ଞାନିକମାନଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ଯୁବ ବୈଜ୍ଞାନିକମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ବିଜ୍ଞାନ ଓ ବୈଷୟିକ ଜ୍ଞାନ ମନ୍ତ୍ରଣାଳୟ ଅନେକ ଯୋଜନା ଆରମ୍ଭ କରିଛି।

Comments are closed.