ଦେଶବାସୀଙ୍କୁ ଦୁର୍ଗା ପୂଜା ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ନୂଆଦିଲ୍ଲୀ : ରାଷ୍ଟ୍ରପତି  ରାମନାଥ କୋବିନ୍ଦ ଦୁର୍ଗା ପୂଜା ଉପଲକ୍ଷେ ଦେଶବାସୀଙ୍କୁ  ଶୁଭେଚ୍ଛା ଜଣାଇଛନ୍ତି । ରାଷ୍ଟ୍ରପତି ଏକ ବାର୍ତ୍ତାରେ କହିଛନ୍ତି, “ଦୁର୍ଗା ପୂଜାର ଶୁଭ ଅବସରରେ ମୁଁ ଭାରତ ତଥା ବିଦେଶରେ ଥିବା ମୋର ଦେଶବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି ।

ପୁରୁଣା କାଳରୁ ପାଳନ ହୋଇ ଆସୁଥିବା ଏହି ଦୁର୍ଗା ପୂଜା ସମଗ୍ର ଭାରତରେ ବିଶେଷ କରି ଭାରତର ପୂର୍ବ ଭାଗରେ ଦଶ ଦିନ ଧରି ପାଳନ କରାଯାଏ । ଏହି ପର୍ବ ସମୟରେ ଭକ୍ତମାନେ ଶକ୍ତିର ଦେବୀ – ଦେବୀ ଦୁର୍ଗା, ଜ୍ଞାନର ଦେବୀ – ଦେବୀ ସରସ୍ୱତୀ ଏବଂ ଧନର ଦେବୀ – ଦେବୀ ଲକ୍ଷ୍ମୀଙ୍କୁ ପୂଜା କରନ୍ତି । ନାରୀମାନଙ୍କ ପ୍ରତି ଆମର ପରମ୍ପରାଗତ ସମ୍ମାନ ଏହି ଦୁର୍ଗା ପୂଜା ପର୍ବରେ ପ୍ରତିଫଳିତ ହୋଇଥାଏ । ଏହି ଅବସରରେ, ଆମେ ସମସ୍ତେ ଆମର ମହିଳାମାନଙ୍କୁ ସମ୍ମାନ ପ୍ରଦର୍ଶନ କରି ନାରୀଶକ୍ତିକୁ ସଶକ୍ତ କରିବା ପାଇଁ ଏକ ଦୃଢ ସଂକଳ୍ପ ନେବା ଉଚିତ ।

ବିଶ୍ୱାସ କରାଯାଏ ଯେ ଦେବୀ ଦୁର୍ଗା ଦୁଷ୍ଟ ଶକ୍ତି ଉପରେ ବିଜୟ ଲାଭ କରିବା ପାଇଁ ସମସ୍ତ ଦେବତାଙ୍କ ଶକ୍ତିକୁ ସାମୂହିକ ଭାବେ ବ୍ୟବହାର କରିଥିଲେ । ଏହା ଆମକୁ ବାର୍ତ୍ତା ଦେଇଥାଏ ଯେ, ଏହି କଠିନ ସମୟରେ, ଯଦି ଆମେ ଏକଜୁଟ ହୋଇ ଛିଡା ହେବା ତେବେ ଆମେ ସାମ୍ନା କରୁଥିବା ସମସ୍ତ ସଙ୍କଟକୁ ଦୂର କରିପାରିବା” ।

Comments are closed.