ନାଗରିକ ସଂଶୋଧନ ଆଇନ୍‍ ଐତିହାସିକ – ରାଷ୍ଟ୍ରପତି

ନୂଆଦିଲ୍ଲୀ: ନାଗରିକ ସଂଶୋଧନ ଆଇନକୁ ଐତିହାସିକ ବୋଲି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସେ କହିଛନ୍ତି, ଏହା ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ଇଚ୍ଛା ପୂରଣ କରିପାରିଛି। ଆଜି ସଂସଦର ଉଭୟ ସଭାର ମିଳିତ ବୈଠକକୁ ଉଦବୋଧନ ଦେଇ କୋବିନ୍ଦ କହିଛନ୍ତି, ଯେ କୌଣସି ପ୍ରସଙ୍ଗ ଉପରେ ବିତର୍କ ଓ ଆଲୋଚନା ଗଣତନ୍ତ୍ରକୁ ଅଧିକ ମଜବୁତ କରୁଥିବା ବେଳେ ହିଂସାତ୍ମକ ପ୍ରତିବାଦ ଏହାକୁ ଦୁର୍ବଳ କରିଥାଏ। ଧାରା ୩୭୦ ଓ ୩୫-ଏ ର ଉଚ୍ଛେଦ ବିଷୟରେ ରାଷ୍ଟ୍ରପତି କହିଛନ୍ତି, ଏହା ଜାମ୍ମୁ-କାଶ୍ମୀର ଓ ଲଦାଖ ଅଞ୍ଚଳର ଲୋକମାନଙ୍କର ସମାନ ବିକାଶ ପାଇଁ ରାସ୍ତା ଉନ୍ମୁକ୍ତ କରିବ ଓ ସେହି ତିନୋଟି ଅଞ୍ଚଳ ଦେଶର ଅନ୍ୟାନ୍ୟ ଅଞ୍ଚଳ ସହ ସମାନୁପାତିକ ଭାବେ ବିକାଶ ପଥରେ ଅଗ୍ରସର ହୋଇପାରିବ।

କୃଷକମାନଙ୍କର ଅବଦାନର ଭୂୟସୀ ପ୍ରଶଂସା କରି ରାଷ୍ଟ୍ରପତି କହିଛନ୍ତି, କୃଷକମାନଙ୍କର ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବାକୁ ସରକାର ଅଗ୍ରାଧିକାର ଦେଇଆସୁଛନ୍ତି। ସ୍ୱାସ୍ଥ୍ୟ କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପଗୁଡ଼ିକର ଉଲ୍ଲେଖ କରି ରାଷ୍ଟ୍ରପତି କହିଛନ୍ତି, ଦେଶର ସ୍ୱାସ୍ଥ୍ୟକ୍ଷେତ୍ର ଉପରେ ଆୟୁଷ୍ମାନ ଭାରତ ଯୋଜନାର ପ୍ରଭାବ ସର୍ବବିଦିତ। ମହିଳାମାନଙ୍କ ସୁରକ୍ଷା ବିଷୟରେ ରାଷ୍ଟ୍ରପତି କହିଛନ୍ତି, ଦେଶରେ ୬୦୦ରୁ ଅଧିକ ୱାନ୍‍ ଷ୍ଟପ୍‍ ସେଣ୍ଟର ସ୍ଥାପନ କରାଯାଇଛି ଓ ମହିଳାମାନଙ୍କ ପ୍ରତିଅପରାଧ କରୁଥିବା ବ୍ୟକ୍ତିମାନଙ୍କ ବିଷୟରେ ଏକ ଜାତୀୟ ଡାଟାବେସ୍‍ ସୃଷ୍ଟି କରାଯାଇ ପାରିଛି। ସେ କହିଛନ୍ତି, ଦେଶରୁ ଆତଙ୍କବାଦକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ପାଇଁ ସରକାର ପୂର୍ଣ୍ଣପ୍ରାଣରେ ଦୃଢ଼ ମନୋବଳ ସହ କାର୍ଯ୍ୟ କରୁଛନ୍ତି।

Comments are closed.