ବାକ୍ ସ୍ବାଧୀନତାର ଅଧିକାର ଲଗାମହୀନ ଘୋଡ଼ା ନ ହେଉ – ରାଷ୍ଟ୍ରପତି

ନୂଆଦିଲ୍ଲୀ: କୌଣସି କ୍ଷେତ୍ରରେ ବାଛବିଚାର ନ ରହିବା ହିଁ ମାନବାଧିକାର ସୁରକ୍ଷା ପ୍ରତି ସର୍ବାଧିକ ସମ୍ମାନ ହେବ ବୋଲି ମତ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ବାର୍ଷିକ ମାନବ ଅଧିକାର ଦିବସ ଅବସରରେ ଆୟୋଗ ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି ଯେ ବାକ୍ ସ୍ବାଧୀନତା ରକ୍ଷା ସୁସ୍ଥ ସମାଜଗଠନ କ୍ଷେତ୍ରରେ ସବୁଠୁ ମହତ୍ତ୍ବପୂର୍ଣ୍ଣ; ତେବେ ଏଥିପ୍ରତି ସମସ୍ତେ ଯତ୍ନଶୀଳ ହେବା ଉଚିତ।

ଏହି ଅବସରରେ ଜଳବାୟୁ ସଙ୍କଟ ବିରୋଧରେ ଲଢ଼େଇ ଉପରେ ଗୁରୁତ୍ବାରୋପ କରି ସେ କହିଛନ୍ତି ଯେ ପ୍ରକୃତିର ଅବନତି ଜଳବାୟୁରେ ଯେଉଁ ପରିବର୍ତ୍ତନ ଆଣିବ ତାହାର କ୍ଷତିକାରକ ପ୍ରଭାବକୁ ଆମେ ସମସ୍ତେ ଅନୁଭବ କରୁଛେ। ଆଗାମୀ ପିଢ଼ି ପାଇଁ ବିଶ୍ବକୁ ଅତି ଉତ୍ତମ ସ୍ଥାନ କରିବା ପାଇଁ ଶିଳ୍ପାୟନର ଅତି ଖରାପ ପ୍ରଭାବରୁ ପ୍ରକୃତିକୁ ସୁରକ୍ଷା ଦେବାକୁ ପଡ଼ିବ ବୋଲି ରାଷ୍ଟ୍ରପତି କହିଛନ୍ତି। ଉତ୍ସବରେ ଜାତୀୟ ମାନବାଧିକାର ଆୟୋଗ ଅଧ୍ୟକ୍ଷ ବିଚାରପତି ଅରୁଣ ମିଶ୍ର କହିଛନ୍ତି ଯେ ବାକ୍ ସ୍ବାଧୀନତାର ଅଧିକାରକୁ କସ୍ମିନ୍ କାଳେ ଲଗାମହୀନ ଘୋଡ଼ା ଭଳି ବ୍ୟବହାର କରା ନ ଯାଉ। ଏହାର ଅପବ୍ୟବହାର ଉପରେ ବିତର୍କର ଆବଶ୍ୟକତା ରହିଥିବା ସେ ମତ ଦେଇଛନ୍ତି।

Comments are closed.