ବଲାଙ୍ଗିର ଜିଲ୍ଲା ଆଦିବାସୀ ସଙ୍ଘ ସଭାପତିଙ୍କ ଦେହାନ୍ତ

ଟିଟିଲାଗଡ଼: ବଲାଙ୍ଗିର ଜିଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ତଥା ସଂଘର ପଶ୍ଚିମ ଓଡ଼ିଶା ଶାଖା କାର୍ଯ୍ୟକାରୀ ସଭାପତି ବ୍ରଜକିଶୋର ସିଂଭୋଇଙ୍କ ରବିବାର ସକାଳ ୮ଟା ୪୦ ମିନିଟ ସମୟରେ ବଲାଙ୍ଗିର ବିବିଏମସି ସରକାରୀ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ସେ ବହୁ ଦିନ ହେଲା ଜ୍ଵର ରୋଗରେ ଆକ୍ରାନ୍ତ ଥିବା ଜଣାପଡିଛି। ଆଜି ସକାଳୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ସଇଁତଲା ଗ୍ରାମରୁ ନେଇ ବଲାଙ୍ଗୀର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ପରଲୋକ ଘଟିଛି।

ସଇଁତଳାର ପୂର୍ବତନ ବିଧାୟକ ରମେଶ ସିଂଭୋଇଙ୍କ ବଡ଼ ପୁଅ ବ୍ରଜକିଶୋର ବ୍ୟାଙ୍କ ଚାକିରିରୁ ଅବସର ପରେ ସମାଜ ସେବାରେ ନିୟୋଜିତ ଥିଲେ। ବିଶେଷ କରି ଆଦିବାସୀ ସମାଜକୁ ନ୍ୟାୟ ପ୍ରଦାନ ପାଇଁ ତାଙ୍କର ଅନବରତ ପ୍ରୟାସ ଜାରି ରହିଥିଲା। ଜଣେ ନିର୍ଭୀକ, ମିଷ୍ଟଭାଷୀ, ପରୋପକାରୀ, ସୁଵକ୍ତା, ଆଇନଜ୍ଞ, ବିଚକ୍ଷଣ ପ୍ରତିଭାବାନ ବ୍ୟକ୍ତି ଭାବରେ ସେ ସଭିଙ୍କ ପ୍ରିୟପାତ୍ର ହୋଇ ପାରିଥିଲେ। ପ୍ରଥମେ ସେ କଂଗ୍ରେସ ଦଳ ତଥା ପରେ ବିଜେଡି ଦଳରେ ଯୋଗ ଦେଇ ସକ୍ରିୟ ରାଜନୀତିକୁ ଓହ୍ଲାଇଥିଲେ। ମୃତ୍ୟୁ ପର୍ଯ୍ୟନ୍ତ ସେ ଜନସେବାରେ ସକ୍ରିୟ ରହିଥିଲେ। ଗତ ଫେବୃୟାରୀ ୧୯ରେ ତାଙ୍କ ପତ୍ନୀଙ୍କ ପରଲୋକ ପରେ ଠିକ ଦୁଇ ମାସ ପରେ ଆଜି ଏଭଳି ଦୁଃଖଦ ଘଟଣାକୁ ନେଇ ଟିଟିଲାଗଡ଼, ସଇଁତଲା, ବେଲଗା ତଥା ବଲାଙ୍ଗିର ଜିଲା ଆଦିବାସୀ ସଙ୍ଘର ଲକ୍ଷାଧିକ କର୍ମକର୍ତା, ତାଙ୍କ ଶହ ଶହ ସମର୍ଥକଙ୍କ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି। ତାଙ୍କ ପରଲୋକରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ରାଜ୍ୟ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ, ପୁର୍ବତନ ସାଂସଦ ଶରତ ପଟ୍ଟନାୟକ, ପଶ୍ଚିମ ଓଡ଼ିଶାର ଆଦିବାସୀ ସଂଘ ମହାସଚିବ ନିରଞ୍ଜନ ବିଶି ପ୍ରମୁଖ ଶୋକ ବ୍ୟକ୍ତ କରିବା ସହ ଜିଲାରେ ଏକ ଦୃଢ଼ ନେତୃତ୍ବର ଅବସାନ ଘଟିଲା ବୋଲି କହିଛନ୍ତି।

Comments are closed.