ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମର ସମୀକ୍ଷା କଲେ ମୁଖ୍ୟ ସଚିବ

ଭୁବନେଶ୍ୱର : ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇଦିନଆ ଓଡ଼ିଶା ଗସ୍ତରେ ଆସୁଥିବାରୁ ତାଙ୍କୁ ଭବ୍ୟ ସ୍ବାଗତ କରିବା ପାଇଁ ରାଜ୍ୟ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ମଙ୍ଗଳବାର ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏ ସଂକ୍ରାନ୍ତରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗୃହ ବିଭାଗ ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା ଏବଂ ପୁଲିସ ମହାନିର୍ଦେଶକ ସତ୍ୟଜିତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ସମସ୍ତ ପ୍ରସ୍ତୁତି ​‌େ​‌ଶଷ କରିବାକୁ ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗକୁ ନିର୍ଦେଶ ଦେଇଥିଲେ।
ସ୍ବତନ୍ତ୍ର ଶାସନ ସଚିବ ସନ୍ତୋଷ ବାଲା ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ରାଷ୍ଟ୍ରପତି ଦୁଇଟି ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ। ଆସନ୍ତା ୭ତାରିଖ ସନ୍ଧ୍ୟା ୭ଟା ୩୦ରେ ରାଷ୍ଟ୍ରପତି ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧା ରାଜଭବନକୁ ଯିବେ। ସେଠାରେ ସେ ରାତ୍ରିଯାପନ କରିବେ। ୮ତାରିଖ ସକାଳେ ରାଷ୍ଟ୍ରପତି ଖୋର୍ଦ୍ଧା ଜିଲାର ବରୁଣେଇକୁ ସକାଳ ୯ଟା ୩୦ରେ ଯାତ୍ରା କରିବେ। ଦିନ ସାଢ଼େ ଦଶଟା ସମୟରେ ରାଷ୍ଟ୍ରପତି ବରୁଣେଇ ପାହାଡ଼ରେ ପ୍ରସିଦ୍ଧ ପାଇକ ବିଦ୍ରୋହ ସହିଦ ସ୍ମାରକୀ(ମେମୋରିଆଲ)ର ଶିଳାନ୍ୟାସ କରିବେ। ଏହାପରେ ସେଠାରୁ ରାଷ୍ଟ୍ରପତି ଉତ୍କଳ ବିଶ୍ବବିଦ୍ୟାଳୟ ଗସ୍ତରେ ଯିବା ସହିତ ଦିନ ୧୨ଟା ୪୦ ରେ ବିଶ୍ବବିଦ୍ୟାଳୟ ପ୍ଲାଟିନମ ଜୁବିଲି ଉଦଯାପନ ସମାରୋହରେ ଯୋଗଦେବେ। ସେଠାରୁ ସେ ରାଜଭବନକୁ ଫେରିବେ ଏବଂ ସନ୍ଧ୍ୟା ୫ଟାରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି।
ବୈଠକରେ ରାଷ୍ଟ୍ରପତିଙ୍କ ପାଇଁ ଗାର୍ଡ଼ ଅଫ ଅନର, ନିରାପତ୍ତା ବ୍ୟବସ୍ଥା, ରାଜଭବନରେ ରହଣି, କାରକେଡ଼, ପରିବହନ, ଭିଭିଆଇ ସ୍ବାସ୍ଥ୍ୟସେବା, ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ, ହଟ ଲାଇନ ଯୋଗାଯୋଗ, ବ୍ୟାରିକେଡ଼, ମଞ୍ଚ ନିର୍ମାଣ ଓ ଏଠିକାର ସୁରକ୍ଷା ବ୍ୟବସ୍ଥା ସଂକ୍ରାନ୍ତରେ ଆଲୋଚନା ହୋଇଥିଲା। ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଯେପରି କୌଣସି ପ୍ରକାର ତ୍ରୁଟି ବିଚ୍ୟୁତି ଦେଖା ନଦେବ ସେଥିପ୍ରତି ସଜାଗ ରହିବାକୁ ମୁଖ୍ୟ ସଚିବ ଦାୟିତ୍ବରେ ଥିବା ବିଭାଗଗୁଡ଼ିକୁ ନିର୍ଦେଶ ଦେଇଥିଲେ। ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ ସହିତ ଜଡ଼ିତ ବିଭାଗୀୟ ଅଧିକାରୀ ଗୃହ ଓ ପୁଲିସ ବିଭାଗ ସହିତ ନିୟମିତ ସମ୍ପର୍କରେ ରହିବାକୁ କୁହାଯାଇଛି। ବୈଠକରେ ବିଭିନ୍ନ ବିଭାଗର ସଚିବ, ବରିଷ୍ଠ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ।

Comments are closed.