ସାଧାରଣତନ୍ତ୍ର ଦିବସ ଆମ ଗଣତନ୍ତ୍ରର ଉତ୍ସବ : ରାଷ୍ଟ୍ରପତି

ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତିଙ୍କ ସମ୍ବୋଧନ

ନୂଆଦିଲ୍ଲୀ : ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ସନ୍ଧ୍ୟାରେ ରାଷ୍ଟ୍ରକୁ ସମ୍ବୋଧନ କରିଛନ୍ତି । ସେ କହିଛନ୍ତି ୨୬ ଜାନୁଆରୀରେ ଆମର ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । କିନ୍ତୁ ଏହା ପୂର୍ବରୁ ଏହି ତାରିଖର ସ୍ବତନ୍ତ୍ର ମହତ୍ବ ଥିଲା। ‘ପୂର୍ଣ୍ଣ ସ୍ବରାଜ୍ୟ’ର ସଂକଳ୍ପ ନେବା ପରେ ଆମ ଦେଶବାସୀ ୧୯୩୦ରୁ ୧୯୪୭ ପର୍ଯ୍ୟନ୍ତ ପ୍ରତିବର୍ଷ ୨୬ ଜାନୁଆରୀକୁ ‘ପୂର୍ଣ୍ଣ ସ୍ବରାଜ୍ୟ ଦିବସ’ ଭାବେ ପାଳନ କରୁଥିଲେ। ଏଥିପାଇଁ ୧୯୫୦ରେ ସେହି ଐତିହାସିକ ଦିବସରେ ଆମେ ଭାରତବାସୀ ୨୬ ଜାନୁଆରୀକୁ ସାଧାରଣତନ୍ତ୍ର ଦିବସ ଭାବେ ପାଳନ କରୁଛୁ।

ସରକାର ଅନେକ ଗୁଡ଼ିଏ କଲ୍ୟାଣକାରୀ ଯୋଜନା ଆରମ୍ଭ କରିଛନ୍ତି ଏବଂ ସେଗୁଡ଼ିକର ସବୁଠାରୁ ଉଲ୍ଲେଖଯୋଗ୍ୟ ବୈଶିଷ୍ଟ୍ୟ ଏହାଯେ, ଦେଶର ଜନସାଧାରଣ ହିଁ ସେସବୁକୁ ଲୋକପ୍ରିୟ ଆନ୍ଦୋଳନରେ ପରିଣତ କରିସାରିଛନ୍ତି। ଏତେ କମ ସମୟ ମଧ୍ୟରେ “ସ୍ୱଚ୍ଛ ଭାରତ ଅଭିଯାନ” ଅଭୂତପୂର୍ବ ସଫଳତା ହାସଲ କରିପାରିଛି। ଅନ୍ୟାନ୍ୟ ପ୍ରୟାସରେ ମଧ୍ୟ ଅନୁରୂପ ମନୋଭାବ ପରିଲକ୍ଷିତ ହୋଇଛି। ତାହା ରନ୍ଧନ ଗ୍ୟାସ ସବସିଡି ଫେରସ୍ତ ହେଉ ଅଥବା ଡିଜିଟାଲ ପେମେଂଟକୁ ଆଗେଇ ନେବା ହେଉ, ସାଧାରଣ ଜନତା ସରକାରୀ କାର୍ଯ୍ୟକ୍ରମଗୁଡ଼ିକୁ ସେମାନଙ୍କର ନିଜସ୍ୱ ବୋଲି ଭାବି ନେଇଛନ୍ତି ଏବଂ ସେସବୁକୁ ବାସ୍ତବରେ ଫଳପ୍ରସୂ କରାଇପାରିଛନ୍ତି। “ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା”ର ସଫଳତା ଆମ ସମସ୍ତଙ୍କ ପାଇଁ ଏକ ଗର୍ବର ବିଷୟ ଏବଂ ସେଥିରେ ଧାର୍ଯ୍ୟ କରାଯାଇଥିବା ୮କୋଟି ହିତାଧିକାରୀ ଲକ୍ଷ୍ୟ ପୂରଣ ହୋଇସାରିଛି। ଏହାଦ୍ୱାରା ପ୍ରକୃତ ହିତାଧିକାରୀଙ୍କ ନିକଟରେ ସ୍ୱଚ୍ଛ ଇନ୍ଧନ ପହଞ୍ଚି ପାରିଛି। “ସୌଭାଗ୍ୟ” ଯୋଜନା ଭାବେ ଲୋକପ୍ରିୟ “ପ୍ରଧାନମନ୍ତ୍ରୀ ସହଜ ବିଜୁଳି ହର ଘର ଯୋଜନା” ମଧ୍ୟ ସାଧାରଣ ଜନତାଙ୍କ ଜୀବନକୁ ଆଲୋକିତ କରିଛି। “ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି” ଅଧୀନରେ ଦେଶର ୧୪ କୋଟିରୁ ଅଧିକ କୃଷକ ପରିବାର ବାର୍ଷିକ ଛଅ ହଜାର ଟଙ୍କା ପାଇବାକୁ ଯୋଗ୍ୟ ହୋଇପାରିଛନ୍ତି। ଯେଉଁ କୃଷକମାନେ ଆମକୁ ଆହାର ଯୋଗାଇ ସମ୍ମାନର ସହ ଜୀବନ ବଞ୍ଚିବାର ସୁଯୋଗ ପ୍ରଦାନ କରିଛନ୍ତି ସେମାନଙ୍କ ପ୍ରୟାସରେ ଏହି ଅର୍ଥ ସହାୟକ ହୋଇପାରିବ। ଦେଶରେ ଦିନକୁ ଦିନ ବୃଦ୍ଧି ପାଉଥିବା ଜଳ ସଂକଟ ଭଳି ଆହ୍ୱାନକୁ ସଫଳତାର ସହ ମୁକାବିଲା କରିବା ସକାଶେ, ଜଳଶକ୍ତି ମନ୍ତ୍ରଣାଳୟ ନାମକ ଏକ ନୂଆ ମନ୍ତ୍ରଣାଳୟ ସୃଷ୍ଟି କରାଯାଇଛି। ଜଳ ସଂରକ୍ଷଣ ଏବଂ ଜଳ ପରିଚାଳନାକୁ ସରକାର ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ମୋର ଦୃଢ଼ ବିଶ୍ୱାସ ଯେ “ସ୍ୱଚ୍ଛ ଭାରତ ଅଭିଯାନ” ଭଳି “ଜଳ ଜୀବନ ମିଶନ” ମଧ୍ୟ ଏକ ଜନପ୍ରିୟ ଆନ୍ଦୋଳନର ରୂପ ଧାରଣ କରିବ।ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଭାରତ ଯଥେଷ୍ଟ ପ୍ରଗତି ହାସଲ କରିଛି ବୋଲି ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ କହିଛନ୍ତି । ସମ୍ବଳର ଅଭାବ ସତ୍ତ୍ବେ ସ୍ବାଧୀନତା ପରେ ଶିକ୍ଷାର ବିକାଶ ଓ ପ୍ରସାର ପାଇଁ ଅନେକ ପଦକ୍ଷେପ ନିଆଯାଇଛି । ଦେଶରେ ବିଶ୍ବସ୍ତରୀୟ ଶିକ୍ଷା ବ୍ୟବସ୍ଥା ପାଇଁ ପ୍ରୟାସ ଜାରି ରହିଛି ।  ଭାରତୀୟ ମହାକାଶ ଗବେଷଣା ସଂସ୍ଥା ‘ଇସ୍ରୋ’ର ଅବିଶ୍ୱସନୀୟ ସଫଳତାରେ ଦେଶ ଗର୍ବିତ। ଇସ୍ରୋ ଏବେ ମିଶନ ଗଗନାୟନକୁ ସଫଳ କରିବା ଦିଗରେ ଅଗ୍ରସର ହେଉଛି। ଚଳିତବର୍ଷ ଭାରତର ପ୍ରଥମ ମାନବ ମହାକାଶ ଅଭିଯାନ ଆହୁରି ଦ୍ରୁତଗତିରେ ଆଗକୁ ବଢ଼ିବା ଆଶାରେ ଦେଶବାସୀ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି। ଦେଶର ସର୍ବାଙ୍ଗୀନ ବିକାଶ ପାଇଁ ଆମେ ପ୍ରୟାସ ଜାରି ରଖିଛୁ ବୋଲି ରାଷ୍ଟ୍ରପତି କହିଛନ୍ତି ।

ସୁଶାସନ ସକାଶେ ଉତ୍ତମ ସ୍ୱାସ୍ଥ୍ୟସେବା ଏବଂ ଶିକ୍ଷା ସମସ୍ତଙ୍କ ପାଇଁ ଉପଲବ୍ଧ କରାଯିବା ସର୍ବଦା ଜରୁରି ବୋଲି ବିବେଚନା କରାଯାଇଥାଏ। ଉଭୟ କ୍ଷେତ୍ରରେ, ବିଗତ ସାତ ଦଶନ୍ଧି ମଧ୍ୟରେ ଆମେ ଢେର ପ୍ରଗତି ହାସଲ କରିଛୁ। ସରକାର ଯଥାର୍ଥରେ ସ୍ୱାସ୍ଥ୍ୟ କ୍ଷେତ୍ର ଉପରେ ତାଙ୍କର ଧ୍ୟାନ କେନ୍ଦ୍ରୀତ କରିଛନ୍ତି ଏବଂ ଏ ଦିଗରେ ଅନେକ ମହତ୍ୱାକାଂକ୍ଷୀ ପଦକ୍ଷେପମାନ ଗ୍ରହଣ କରିଛନ୍ତି। “ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ” ତଥା “ଆୟୁଷ୍ମାନ ଭାରତ” ଏବେ ସରକାରୀ ପାଣ୍ଠି ବିନିଯୋଗରେ କାର୍ଯ୍ୟକାରୀ ହେଉଥିବା ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟସେବା ଯୋଜନାରେ ପରିଣତ ହୋଇଛି। ଏହାଦ୍ୱାରା ସରକାର ସମାଜର ତୃଣମୂଳ ସ୍ତରରେ ବସବାସ କରୁଥିବା ଗରିବଙ୍କ କଲ୍ୟାଣ ସକାଶେ ସର୍ବଦା ଯତ୍ନଶୀଳ ଓ ସେମାନଙ୍କ ପାଇଁ ଚିନ୍ତା କରୁଥିବା ପ୍ରମାଣ କରିଛନ୍ତି। ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଣରେ ଯଥେଷ୍ଟ ଉନ୍ନତି ପରିଲକ୍ଷିତ ହୋଇଛି ଏବଂ ତାହାର ପରିସର ବିସ୍ତାରିତ ହୋଇଛି। ଜନ ଔଷଧି ଯୋଜନା ପ୍ରବର୍ତନ ଦ୍ୱାରା ଦେଶର ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟସେବା ଖର୍ଚ୍ଚ ଯଥେଷ୍ଟ ହ୍ରାସ ପାଇଛି ଏବଂ ସେମାନଙ୍କୁ ସୁଲଭ ମୂଲ୍ୟରେ ସମସ୍ତ ପ୍ରକାର ଗୁଣାତ୍ମକ ଜେନେରିକ ଔଷଧ ଯୋଗାଇ ଦିଆଯାଉଛି।

ଦେଶର ସଶସ୍ତ୍ର ସେନାବାହିନୀ, ଅର୍ଦ୍ଧସାମରିକ ବାହିନୀ ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ବାହିନୀଙ୍କୁ ମୁକ୍ତ କଣ୍ଠରେ ପ୍ରଶଂସା କରିଛନ୍ତି । ଦେଶର ଏକତା ଓ ଅଖଣ୍ଡତା ବଜାୟ ରଖିବା ସକାଶେ ସେମାନଙ୍କର ବଳିଦାନ ଏକ ଅଦ୍ୱିତୀୟ ସାହସିକତା ଓ ଅନୁଶାସନର ଅମର ଗାଥା ସୃଷ୍ଟି କରିଛି। ଆମର କୃଷକ, ଡାକ୍ତର ଓ ନର୍ସ, ଶିକ୍ଷକ ସମାଜ ଯେଉଁମାନେ କି ଶିକ୍ଷାଦାନ ସହ ମୂଲ୍ୟବୋଧର ଶିକ୍ଷା ପ୍ରଦାନ କରିଆସୁଛନ୍ତି, ଆମର ବୈଜ୍ଞାନିକ ଓ ଇଞ୍ଜିନିୟର, ସଦାଜାଗ୍ରତ ଓ ସକ୍ରିୟ ଯୁବଗୋଷ୍ଠୀ, ଆମ ବିଶାଳ ଶ୍ରମଶକ୍ତିର ନିଷ୍ଠା, ଆର୍ଥିକ ସଂପଦ ବିକାଶ କ୍ଷେତ୍ରରେ ଉଦ୍ୟୋଗୀମାନଙ୍କ ଭୂମିକା, ଆମ ସଂସ୍କୃତିକୁ ଉନ୍ନତ କରିବା ଲାଗି କଳାକାରମାନଙ୍କ ଯୋଗଦାନ, ସେବା କ୍ଷେତ୍ରରେ କାର୍ଯ୍ୟରତ ପେସାଦାର ଯେଉଁମାନଙ୍କୁ କି ବିଶ୍ୱବ୍ୟାପୀ ପ୍ରଶଂସା କରାଯାଉଛି ତଥା ଆମର ଅନ୍ୟ ଦେଶବାସୀ ଯେଉଁମାନେ କି ଆହୁରି ଅନେକ କ୍ଷେତ୍ରରେ ସେମାନଙ୍କର ଅବଦାନ ଓ ଯୋଗଦାନ ଦେଇଚାଲିଛନ୍ତି ଏବଂ ବିଶେଷ କରି ଆମର ସଦାଜାଗ୍ରତ କନ୍ୟା, ଯେଉଁମାନେ ସକଳ ପ୍ରତିବନ୍ଧକ ସତ୍ୱେ ପ୍ରତିଦିନ ନୂତନ ଶିଖର ଛୁଇଁ ପାରୁଛନ୍ତି- ସେମାନେ ଆମ ରାଷ୍ଟ୍ର ପାଇଁ ଗର୍ବ ଓ ଗୌରବ।

ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଆମମାନଙ୍କ ପାଇଁ ରାଷ୍ଟ୍ର ଗଠନ ସକାଶେ ସର୍ବଦା ପ୍ରାସଙ୍ଗିକ ହୋଇରହିଛି। ଗାନ୍ଧୀଜୀଙ୍କ ସତ୍ୟ ଓ ଅହିଂସାର ବାର୍ତାକୁ ପ୍ରତିଦିନ ସ୍ମରଣ କରିବା ଆମ ସମସ୍ତଙ୍କର ଦୈନିକ କାର୍ଯ୍ୟଧାରାର ଅଂଶ ବିଶେଷ ହେବା ଉଚିତ। ବର୍ତମାନ ସମୟରେ ଏହା ଆହୁରି ଅଧିକ ଜରୁରି ହୋଇପଡ଼ିଛି। ଯେତେବେଳେ ଆମେ କୌଣସି ଗୋଟିଏ କାରଣ ଲାଗି ସଂଗ୍ରାମ କରୁଛେ, ଜନସାଧାରଣ, ବିଶେଷ କରି ଯୁବବର୍ଗ, ମହାତ୍ମା ଗାନ୍ଧୀ ମାନବ ସମାଜକୁ ଦେଇ ଯାଇଥିବା ଅହିଂସାର ବାର୍ତାକୁ ଭୁଲି ଯିବା ଅନୁଚିତ।
ଗାନ୍ଧୀଜୀଙ୍କ ସେହି ଆପ୍ତବାକ୍ୟ କୌଣସି ଏକ କାର୍ଯ୍ୟ ଉତମ ଅବା ଭୁଲ, ଜାଣିବା ସକାଶେ ସର୍ବୋତ୍ତମ ଏବଂ ତାହା ଆମ ଗଣତନ୍ତ୍ରର କାର୍ଯ୍ୟକାରୀତା କ୍ଷେତ୍ରରେ ମଧ୍ୟ ପ୍ରୟୋଗସିଦ୍ଧ। ଏଥିରେ ଉଭୟ ସରକାର ଏବଂ ବିରୋଧୀ ଦଳମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଯେତେବେଳେ ସେମାନେ ନିଜର ରାଜନୈତିକ ଚିନ୍ତାଧାରା ବ୍ୟକ୍ତ କରୁଛନ୍ତି, ଉଭୟେ ସମତୁଲ ଭାବେ ଆଗକୁ ଆଗେଇ ଆସି ସୁନିଶ୍ଚିତ କରିବା ଆବଶ୍ୟକ ଯେ ଦେଶର ବିକାଶ ଏବଂ ଲୋକମାନଙ୍କ କଲ୍ୟାଣ ଯେଭଳି ନିରବଚ୍ଛିନ୍ନ ଭାବେ ଅବ୍ୟାହତ ରହେ।

ଆମର ସାଧାରଣତନ୍ତ୍ର ଦିବସ ଆମ ସମ୍ବିଧାନର ଏକ ଉତ୍ସବ। ମୁଁ ଏଠାରେ ସମ୍ବିଧାନର ପ୍ରମୁଖ ଶିଳ୍ପୀବାବା ସାହେବ ଆମ୍ବେଦକରଙ୍କର ଏକ ଉକ୍ତିକୁ ଉଦ୍ଧୃତ କରି ମୋର ବକ୍ତବ୍ୟ ଶେଷ କରିବାକୁ ଚାହେଁ। “ଯଦି କେବଳ ଏକ ଢାଞ୍ଚା ଭାବେ ନୁହେଁ, ବରଂ ବାସ୍ତବରେ ଆମର ଗଣତନ୍ତ୍ରକୁ ଆମେ ବଜାୟ ରଖିବାକୁ ଚାହିଁବା, ତେବେ ଆମକୁ କ’ଣ କରିବାକୁ ହେବ? ମୋ ଦୃଷ୍ଟିରେ ନିଜର ସାମାଜିକ ଓ ଆର୍ଥିକ ଲକ୍ଷ୍ୟ ହାସଲ କରିବା ଲାଗି, ଅତ୍ୟନ୍ତ ନିଷ୍ଠାର ସହ ସାମ୍ବିଧାନିକ ଉପାୟକୁ ହିଁ ଅବଲମ୍ବନ କରିବା ଆମର ପ୍ରଥମ କାମ ହେବା ଉଚିତ।”
ଏହି ଆପ୍ତଶବ୍ଦ ହିଁ ଆମର ପଥକୁ ସଦାସର୍ବଦା ଆଲୋକିତ କରିଆସିଛି। ଏହି ଶବ୍ଦାବଳୀ ଆମକୁ ଆଗାମୀ ଦିନରେ ମଧ୍ୟ ନୂତନ ଗୌରବ ହାସଲ କରିବା ଦିଗରେ ପଥ ପ୍ରଦର୍ଶକ ହେବ।

 

Comments are closed.