ଭୁବନେଶ୍ବରରେ ରାଷ୍ଟ୍ରପତି : ଆଜି ପାଇକ ବିଦ୍ରୋହ ସ୍ମାରକ ଶିଳାନ୍ୟାସ

ଭୁବନେଶ୍ବର : ରାଷ୍ଟ୍ରପତି ରାମନାଥ କୋବିନ୍ଦ ବାୟୁସେନାର ସ୍ବତନ୍ତ୍ର ବିମାନଯୋଗେ ଶନିବାର ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଜୁଏଲ ଓରାମ, ଅପରାଜିତା ଷଡ଼ଙ୍ଗୀ, ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ପୁଲିସ ମହାନିର୍ଦେଶକ ସତ୍ୟଜିତ ମହାନ୍ତି ପ୍ରମୁଖ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥିଲେ। ରାଷ୍ଟ୍ରପତିଙ୍କ ସହିତ ତାଙ୍କ ଧର୍ମପତ୍ନୀ ସବିତା କୋବିନ୍ଦ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ବିମାନବନ୍ଦରରୁ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ରାଜ୍ୟପାଳଙ୍କ ସହ ଗୋଟିଏ ଗାଡ଼ିରେ ବସି ରାଜଭବନ ଯାଇଥିଲେ। ସେଠାରେ ଆଜି ସେ ରାତ୍ରି ଯାପନ କରିବେ। ଆସନ୍ତା କାଲି ପ୍ରାତଃଭୋଜନ ପରେ ରାଷ୍ଟ୍ରପତି ରାଜଭବନରୁ ବାହାରି ବିମାନବନ୍ଦର ଯିବେ ଏବଂ ସେଠାରୁ ହେଲିକପ୍ଟର ଯୋଗେ ଖୋର୍ଦ୍ଧାର ଗୋଶାଳା ପଡ଼ିଆରେ ପହଞ୍ଚିବେ। ସେଠାରୁ ସଡ଼କ ପଥରେ ଯାଇ ଖୋର୍ଦ୍ଧାର ବରୁଣେଇ ପାହାଡ଼ ନିକଟରେ ପାଇକ ବିଦ୍ରୋହ ସ୍ମାରକର ଶିଳାନ୍ୟାସ କରିବେ। ସେଠାରୁ ବିମାନବନ୍ଦରକୁ ଫେରିବା ପରେ ସଡ଼କ ପଥରେ ଯାଇ ଉତ୍କଳ ବିଶ୍ବବିଦ୍ୟାଳୟର ପ୍ଳାଟିନମ୍ ଜୁବିଲି କାର୍ଯ୍ୟକ୍ରମରେ ଅଭିଭାଷଣ ପ୍ରଦାନ କରିବେ। ସେଠାରୁ ଫେରି ରାଜଭବନରେ ମଧ୍ୟାହ୍ନଭୋଜନ ପରେ ବିଶ୍ରାମ କରିବେ। ସଂଧ୍ୟା ୫.୨୦ରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି।

Comments are closed.