MEllora 950×100

ରାଷ୍ଟ୍ର ଉଦ୍ଦେଶ୍ୟରେ ରାଷ୍ଟ୍ରପତିଙ୍କ ଉଦବୋଧନ

କରୋନା ମହାମାରୀ ସମୟରେ ଭାରତ ସଫଳତାର ସହ ଅନେକ ଆହ୍ବାନର ମୁକାବିଲା କରିଛି

ଡେସ୍କ : ୭୪ତମ ସାଧାରଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁଙ୍କ ରାଷ୍ଟ୍ର ଉଦ୍ଦେଶ୍ୟରେ ଉଦବୋଧନ ଦେଇଛନ୍ତି । ଭାରତ ହେଉଛି ଗଣତନ୍ତ୍ରର ଜନନୀ, ବିବିଧତା ମଧ୍ୟରେ ଜନସମୁଦାୟ ଗଣତନ୍ତ୍ର ସହ ଯୋଡି ହୋଇ ରହିଛନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି। ଭାରତ ବିଶ୍ୱର ଅନ୍ୟତମ ଏକ ପ୍ରାଚୀନ ଜୀବନ୍ତ ସଭ୍ୟତା। ଏକ ଆଧୁନିକ ସାଧାରଣତନ୍ତ୍ର ହିସାବରେ ଆମେ କିନ୍ତୁ ଯୁବା । ସ୍ୱାଧୀନତାର ଆଦିକାଳରେ ଆମେ ଅସଂଖ୍ୟ ଆହ୍ୱାନ ଓ ପ୍ରତିବନ୍ଧକର ସମ୍ମୁଖୀନ
ହୋଇଥିଲୁ। ଦୀର୍ଘକାଳର ବିଦେଶୀ ଶାସନର ଅନେକ କୁପ୍ରଭାବ ମଧ୍ୟରୁ ସବୁଠୁ ଚିନ୍ତାଜନକ ଥିଲା ପ୍ରଚଣ୍ଡ ଦାରିଦ୍ର୍ୟ ଓ ନିରକ୍ଷରତା, ତଥାପି ଭାରତର ଉତ୍ସାହ ଓ
ମନୋବଳ ଅପରିବର୍ତ୍ତିତ ରହିଥିଲା। ଆଶା ଓ ବିଶ୍ୱାସର ସହିତ ଆମେ ମାନବଜାତିର ଇତିହାସରେ ଏକ ଅଦ୍ୱିତୀୟ ପରୀକ୍ଷାନିରୀକ୍ଷା ଆରମ୍ଭ କଲୁ। ଏଡ଼େ ବିରାଟ ଓ ବିବିଧତାପୂର୍ଣ୍ଣ ଜନତା ଏକତ୍ର ହୋଇ ଏକ ରାଷ୍ଟ୍ର ହିସାବରେ ମୁଣ୍ଡ ଟେକିବା ଅଦ୍ଭୁତପୂର୍ବ ଥିଲା । ଆମେ ସମସ୍ତେ ଏକ ଓ ଭାରତୀୟ ଏହି ବିଶ୍ୱାସରେ ଆମେ ଏହା କରିପାରିଲୁ । ଏକ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ଭାବେ ଆମେ ସଫଳ ହେବାର କାରଣ ହେଲା ଏତେ ସବୁ ଭାଷା, ଜାତି, ସମୁଦାୟ ଥିବା ସତ୍ତ୍ୱେ ସେ ସବୁ ଆମକୁ ଭାଗ ଭାଗକରିପାରିନଥିଲା । ଏହି ସବୁ ବିବିଧତା ବରଂ ଆମକୁ ଏକତ୍ର କରିଛି । ତାହା ହିଁ ଭାରତର ସାରତତ୍ତ୍ୱ ବୋଲି ରାଷ୍ଟ୍ରପତି କହିଛନ୍ତି।

ମହାତ୍ମା ଗାନ୍ଧୀ ଜାତୀୟ ମୁକ୍ତି ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ଏହି ଆନ୍ଦୋଳନ ଦେଶକୁ ସ୍ୱାଧୀନତା ଦେବା ସହିତ ଆମ ନିଜସ୍ୱ ଆଦର୍ଶର ପୁନଃଆବିଷ୍କାର ମଧ୍ୟ କରିଥିଲା। ସେହି ସମୟର ସଂଗ୍ରାମ ଏବଂ ତ୍ୟାଗ କେବଳ ଉପନିବେଶବାଦୀ ଶାସନରୁ ମୁକ୍ତ କରି ନ ଥିଲା ଏହା ମଧ୍ୟ ଆମ ଉପରେ ଲଦି ଦିଆଯାଇଥିବା ସଂକୀର୍ଣ୍ଣ ବିଶ୍ୱ ଦୃଷ୍ଟି ଓ ବିଚାରରୁ ସ୍ୱାଧୀନ କରିଥିଲା। ବିପ୍ଳବୀ ଓ ସଂସ୍କାରକଗଣ ଦୂରଦ୍ରଷ୍ଟା ଏବଂ ଆଦର୍ଶବାଦୀଙ୍କ ସହ ହାତ ମିଳାଇ ଆମକୁ ଆମର ପ୍ରାଚୀନ ମୂଲ୍ୟବୋଧ ଶାନ୍ତି, ମୈତ୍ରୀ,ଭ୍ରାତୃତ୍ୱ ଓ ସମାନତା ବିଷୟରେ ଶିକ୍ଷା ଦେଲେ। ସମ୍ବିଧାନ ପ୍ରଣୟନ କମିଟିର ମୁଖ୍ୟ ଡକ୍ଟର ବି.ଆର୍‌.ଆମ୍ବେଦକରଙ୍କ ନିକଟରେ ଆମ ଦେଶ ସର୍ବଦା କୃତଜ୍ଞ ରହିବ । ସେ ଏହି ଜାତୀୟ ନଥିକୁ ଚୂଡ଼ାନ୍ତରୂପ ଦେବା ପୂର୍ବରୁ ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭାଗ ଯୋଡ଼ିଥିଲେ। ଏହି ଦିବସରେ ଆମେ ମଧ୍ୟ ବିଶିଷ୍ଟ ଆଇନଜ୍ଞ ବି.ଏନ୍‌.ରାଓଙ୍କ ଅବଦାନ ସ୍ମରଣ କରିବା ଉଚିତ; କାରଣ ସେ ହିଁ ସମ୍ବିଧାନର ପ୍ରାରମ୍ଭିକ ଚିଠା ପ୍ରସ୍ତୁତ କରିଥିଲେ। ତା’ଛଡ଼ା ସମ୍ବିଧାନ ପ୍ରସ୍ତୁତିରେ ଆଉ ଯେଉଁ ବିଶେଷଜ୍ଞମାନେ ସାହାଯ୍ୟ ସହଯୋଗ କରିଥିଲେ ସେମାନେ ମଧ୍ୟ ଆଜି ସ୍ମରଣର ହକ୍‌ଦାର ବୋଲି ରାଷ୍ଟ୍ରପତି ତାଙ୍କ ଉଦବୋଧନରେ କହିଛନ୍ତି।

୨୦୨୦ ମାର୍ଚ୍ଚରେ ଆରମ୍ଭ ହୋଇଥିବା‘ଗରିବ କଲ୍ୟାଣ ଅନ୍ନ ଯୋଜନା’ ମହାମାରୀ ଓ ଆର୍ଥିକ ସଂକଟ କାଳରେ ଦେଶର ଗରିବ ଜନତାଙ୍କୁ ଖାଦ୍ୟ ନିରାପତ୍ତା ଯୋଗାଣକୁ ସୁନିଶ୍ଚିତ କରିଥିଲା । ଏହା ଫଳରେ ସଂକଟକାଳରେ କେହି ଭୋକଲା ରହି ନଥିଲେ । ଗରିବ ଲୋକଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେଇ ସରକାର ଏହି ଯୋଜନାର ମିଆଦକୁ ୨୦୨୩ ବର୍ଷ ଶେଷ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି । ହିତାଧିକାରୀମାନେ ଏହି ଯୋଜନାରେ ସେମାନଙ୍କର ମାସିକ ରେସନ୍‌ ମାଗଣାରେ ପାଉଛନ୍ତି ।

ରାଷ୍ଟ୍ରପତି କହିଛନ୍ତି  ଡିଜିଟାଲ ଇଣ୍ଡିଆ ମିଶନ ସୂଚନା ଓ ଯୋଗଯୋଗ ଟେକ୍‌ନୋଲୋଜିକୁ ସମାବେଶୀ ଏବଂ ସାର୍ବଜନୀନ କରିବାକୁ ଉଦ୍ୟମ କରୁଛି । ଏ କ୍ଷେତ୍ରରେ ଥିବା ଗ୍ରାମ-ସହର ବ୍ୟବଧାନ ଦୂର କରିବାକୁ ପ୍ରୟାସ ଅବ୍ୟାହତ ରହିଛି । ଦେଶର ଅଗମ୍ୟ ଓ ଦୂରଦୂରାନ୍ତ ଅଞ୍ଚଳର ଲୋକେ ଏବେ ଇଣ୍ଟରନେଟ୍‌ ସେବା
ସହିତ ସରକାର ଯୋଗାଇ ଦେଉଥିବା ବିଭିନ୍ନ ଲାଭ ପାଉଛନ୍ତି । ବିଜ୍ଞାନ ଓ କାରିଗରୀ କ୍ଷେତ୍ରରେ ଆମର ସଫଳତା ଆମକୁ ଗର୍ବିତ କରେ । ମହାକାଶ ଟେକ୍‌ନୋଲୋଜି କ୍ଷେତ୍ରରେ ଭାରତ ବିଶ୍ୱର ହାତଗଣତି ଦେଶଙ୍କ ମଧ୍ୟରେ ରହିଛି । ଏହି କ୍ଷେତ୍ରରେ ସଂସ୍କାର ମଧ୍ୟ ଆରମ୍ଭ ହୋଇଛି । ଘରୋଇ କ୍ଷେତ୍ରକୁ ଏଥିରେ ସାମିଲ କରିବାର ସୁଯୋଗ ଦିଆଯାଇଛି । ‘ଗଗନଯାନ’ କାର୍ଯ୍ୟକ୍ରମ ମହାକାଶକୁ ଭାରତୀୟ ମହାକାଶଚାରୀ ଦେବାକୁ ଉଦ୍ଦିଷ୍ଟ । ଏହା ଆଗେଇ ଚାଲିଛି । ଏହା ହେବ ଭାରତର ପ୍ରଥମ ମାନବବାହୀ ମହାକାଶ ଅଭିଯାନ । ଆମେ ତାରକାଙ୍କ ଗହଣରେ ପହଁଞ୍ଚିଲେ ମଧ୍ୟ ଭୂମି ଉପରେ ଆମ ପାଦସଦା ରହିଥିବ ।

ଭାରତ ଆତ୍ମନିର୍ଭର ଦିଗରେ ଅଗ୍ରସର ହେଉଛି ଏବଂ ଖୁବ ଶୀଘ୍ର ଏହା ହାସଲ କରିପାରିବ କୋଲି ରାଷ୍ଟ୍ରପତି କହିଛନ୍ତି । ସେହିପରି ମହାମାରୀ ସତ୍ତ୍ବେ ଦେଶର ଆର୍ଥିକ ସ୍ଥିତି ସୁଦୃଢ ରହିଛି,ଦୃଢ ନେତ୍ବତ୍ବ ଯୋଗୁ ଏହା ସମ୍ଭବ ହୋଇ ପାରିଛି ବୋଲି ରାଷ୍ଟ୍ରପତି କହିଛନ୍ତି । କରୋନା ମହାମାରୀ ସମୟରେ  ଭାରତ ସଫଳତାର ସହ ଅନେକ ଆହ୍ବାନର ମୁକାବିଲା କରିପାରିଛି । ଭାରତ ଏବେ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ହୋଇପାରିଛି ଓ ଦେଶରେ ଯୁବକ-ଯୁବତୀ ଓ ମହିଳାଙ୍କ ଆତ୍ମ ବିଶ୍ବାସ ବୃଦ୍ଧି ପାଇଛି।
ଭାରତ ଏ ବର୍ଷ ଜି-୨୦ ଅଧ୍ୟକ୍ଷ ପଦ ଗ୍ରହଣ କରିଛି । ବିଶ୍ୱ ଭାତୃଭାବର ମନ୍ତ୍ରରେ ଦୀକ୍ଷିତ ଭାରତ ଏହି ଅବସରରେ ସମସ୍ତଙ୍କ ଶାନ୍ତି ଓ ସମୃଦ୍ଧି ପାଇଁ କାର୍ଯ୍ୟ କରିବ । ଅତଏବ ଜି-୨୦ ଅଧ୍ୟକ୍ଷ ପଦ ଗଣତନ୍ତ୍ର ଓ ବହୁପକ୍ଷିୟ ପ୍ରୋତ୍ସାହନ ପାଇଁ ଏକ ସୁଯୋଗ । ଏହାଦ୍ୱାରା ଏକ ଉତ୍ତମ ବିଶ୍ୱ ଓ ଉତ୍ତମ ଭବିଷ୍ୟତ ଗଠନ ନିମନ୍ତେ ବୈଶ୍ୱିକ ପ୍ରକ୍ରିୟା ତ୍ୱରାନ୍ୱିତ ହେବ । ଜି-୨୦ ମାଧ୍ୟମରେ ଭାରତ ଏକ ସମାନ ଓ ସ୍ଥାୟୀ ବିଶ୍ୱ ବ୍ୟବସ୍ଥା ନିର୍ମାଣ କରିବାକୁ ଗୁରୁତ୍ୱ ଦେଉଛି । ରାଷ୍ଟ୍ରପତି ତାଙ୍କ ଉଦବୋଧନରେ କହିଛନ୍ତି।

Comments are closed.