ଅମରିନ୍ଦରଙ୍କୁ ଭେଟିବାକୁ ମନା କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପ୍ରଣୀତ କୃଷି ଆଇନ ବିରୋଧରେ ଆପତ୍ତି ଜଣାଇବା ପାଇଁ ରାଷ୍ଟ୍ରପତିଙ୍କୁ ଭେଟିବାକୁ ଚାହୁଁଥିବା ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ମଙ୍ଗଳବାର ରାଷ୍ଟ୍ରପତି ଭବନରୁ ଅନୁମତି ମିଳି ନାହିଁ। ଅମରିନ୍ଦର ବୁଧବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବା ପାଇଁ ଅନୁମତି ମାଗିଥିଲେ। ପଞ୍ଜାବ ବିଧାନସଭାରେ କେନ୍ଦ୍ର କୃଷି ଆଇନକୁ ବିରୋଧ କରି ଗୃହୀତ ନିଜସ୍ବ କୃଷି ଆଇନକୁ ଅନୁମୋଦନ କରିବା ପାଇଁ ସେ ରାଷ୍ଟ୍ରପତିଙ୍କୁ ନିବେଦନ କରିବାର ଥିଲା; କିନ୍ତୁ ରାଷ୍ଟ୍ରପତି ତାଙ୍କୁ ସାକ୍ଷାତ୍‌ ଦେବାକୁ ମନା କରିଦେଇଛନ୍ତି।

ଏହାର ପ୍ରତିବାଦରେ ଅମରିନ୍ଦର କହିଛନ୍ତି ଯେ କେନ୍ଦ୍ରର କୃଷି ଆଇନ ବିରୋଧରେ ତାଙ୍କ ରାଜ୍ୟର କୃଷକମାନେ ଆନ୍ଦୋଳନ ଅବ୍ୟାହତ ରଖିଛନ୍ତି। ଏଥିପାଇଁ କେନ୍ଦ୍ର ସରକାର ପଞ୍ଜାବକୁ ସମସ୍ତ ମାଲବାହୀ ଟ୍ରେନ୍‌ ଯାତାୟାତ ବାତିଲ କରିଦେଇଛନ୍ତି; ଫଳରେ ରାଜ୍ୟରେ ଜରୁରୀ ସାମଗ୍ରୀ ପହଞ୍ଚିପାରୁ ନାହିଁ। ଏଥିପ୍ରତି ଦୃଷ୍ଟି ଆକର୍ଷଣ କରିବା ଉଦ୍ଦେଶ୍ୟରେ ବୁଧବାର ତାଙ୍କ ଦଳର ସମସ୍ତ ବିଧାୟକ ଶୋଭାଯାତ୍ରାରେ ଆସି ରାଜଘାଟଠାରେ ପର୍ଯ୍ୟାୟକ୍ରମେ ଧାରଣା ଦେବେ ବୋଲି ଅମରିନ୍ଦର ଘୋଷଣା କରିଛନ୍ତି।

Comments are closed.