ଅଟଳ ଜୟନ୍ତୀ: ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ଶାହ ଓ ଆଡୱାଣୀ ଦେଲେ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ବୁଧବାର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଉତ୍ସବ। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବାଜପେୟୀଙ୍କ ସ୍ମାରକସ୍ଥଳ ସଦୈବ ଅଟଳଠାରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ରାଷ୍ଟ୍ରପତିଙ୍କ ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅନ୍ୟ ନେତାମାନେ ସଦୈବ ଅଟଳ ସ୍ମାରକ ନିକଟରେ ପହଞ୍ଚି ବାଜପେୟୀଙ୍କୁ ଶ୍ରଦ୍ଧାସୁମନ ଜଣାଇଛନ୍ତି। ମୋଦୀ ଟ୍ବିଟ୍‌ କରି ଲେଖିଛନ୍ତି ଯେ, ଦେଶବାସୀଙ୍କ ହୃଦୟରେ ବସା ବାନ୍ଧିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କୁ ତାଙ୍କ ଜନ୍ମ ଜୟନ୍ତୀ ଅବସରରେ କୋଟି କୋଟି ପ୍ରଣାମ।

ସେହିପରି ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି. ନଡ୍ଡା, ବରିଷ୍ଠ ନେତା ଲାଲକୃଷ୍ଣ ଆଡୱାଣୀଙ୍କ ସମେତ ବହୁ ବରିଷ୍ଠ ନେତା ସ୍ମାରକଠାରେ ପହଞ୍ଚି ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସୂଚନାଯୋଗ୍ୟ, ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ୧୯୨୪ ମସିହା ଡିସେମ୍ବର ୨୫ ତାରିଖରେ ମଧ୍ୟପ୍ରଦେଶର ଗ୍ବାଲିଅରଠାରେ ଜନ୍ମଗ୍ରହଣ କରିଥିଲେ। ସେ ୩ ଥର ଦେଶର ପ୍ରଧାନମନ୍ତ୍ରୀ ପଦବୀ ଅଳଙ୍କୃତ କରିଥିଲେ।

Comments are closed.