ଜେଟଲୀଙ୍କ ବିୟୋଗରେ ରାଷ୍ଟ୍ରପତିଙ୍କ ସମେତ ବିଭିନ୍ନ ନେତାଙ୍କ ଶୋକ

ନୂଆଦିଲ୍ଲୀ: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ବିୟୋଗରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ନେତା ଗଭୀର ଶୋକପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ବିଟ୍‌ କରି କହିଛନ୍ତି, ଅରୁଣ ଜେଟଲୀଙ୍କ ବିୟୋଗରେ ମୁଁ ଅତ୍ୟନ୍ତ ଦୁଃଖିତ। ସେ ଦୃଢ଼ ଇଚ୍ଛାଶକ୍ତି ଏବଂ ଗରିମା ବଳରେ ନିଜର ରୋଗର ସାମ୍ନା କରୁଥିଲେ। ଜଣେ ପ୍ରଖର ଓକିଲ, ଅନୁଭବୀ ସାଂସଦ ଏବଂ ଉତ୍କୃଷ୍ଟ ମନ୍ତ୍ରୀ ଭାବେ ସେ ରାଷ୍ଟ୍ରନିର୍ମାଣରେ ଅମୂଲ୍ୟ ଯୋଗଦାନ କରିଛନ୍ତି। ଅରୁଣ ଜେଟଲୀ କଠିନରୁ ଅତି କଠିନ କାର୍ଯ୍ୟକୁ ଶାନ୍ତି, ଧୈର୍ଯ୍ୟ ଏବଂ ଗଭୀର ଚେତନାଶୀଳ ସହିତ ସମ୍ପୂର୍ଣ୍ଣ କରିବାର ଅଦ୍ଭୁତ ସାମର୍ଥ୍ୟ ରଖୁଥିଲେ। ତାଙ୍କ ମୃତ୍ୟୁ ଆମ ସମାଜ ପାଇଁ ଏକ ବହୁତ ବଡ଼ କ୍ଷତି। ତାଙ୍କ ପରିବାର ଏବଂ ସହଯୋଗୀମାନଙ୍କ ପ୍ରତି ମୋର ଗଭୀର ସମବେଦନା ରହିଛି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ସବୁ ଦଳ ମଧ୍ୟରେ ଜେଟଲୀଙ୍କର ସମ୍ମାନ ଥିଲା। ତାଙ୍କ ନିଧନ ଖବର ଶୁଣି ବହୁତ ଦୁଃଖ ଅନୁଭବ ହେଉଛି। ଭାରତୀୟ ରାଜନୀତିରେ ତାଙ୍କ ଯୋଗଦାନ ସବୁଦିନ ପାଇଁ ସ୍ମରଣୀୟ ରହିବ। ତାଙ୍କ ପତ୍ନୀ, ସନ୍ତାନ, ବନ୍ଧୁ ଏବଂ ପ୍ରଶଂସକମାନଙ୍କ ପ୍ରତି ମୋର ଗଭୀର ସମବେଦନା ରହିଛି।

ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଜେଟଲୀଙ୍କ ନିଧନକୁ ନିଜର କ୍ଷତି ବୋଲି କହିଛନ୍ତି। ସେ ଟ୍ବିଟ୍‌ କରି କହିଛନ୍ତି, ଅରୁଣ ଜେଟଲୀଙ୍କ ମୃତ୍ୟୁରୁ ମୁଁ ଅତ୍ୟନ୍ତ ଦୁଃଖିତ। ଜେଟଲୀଙ୍କ ଦେହାନ୍ତ ମୋ ପାଇଁ ବ୍ୟକ୍ତିଗତ କ୍ଷତି। ମୁଁ କେବଳ ସଂଗଠନର ଜଣେ ବରିଷ୍ଠ ନେତାଙ୍କୁ ହରାଇନି, ବରଂ ପରିବାରର ଜଣେ ଏଭଳି ଅଭିନ୍ନ ସଦସ୍ୟଙ୍କୁ ବି ହରାଇଛି, ଯାହାଙ୍କର ସହାୟତା ଏବଂ ମାର୍ଗଦର୍ଶନ ମୋତେ​‌ ବର୍ଷ ବର୍ଷ ଧରି ପ୍ରେରଣା ଦେଉଥିବ।

ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଟ୍ବିଟ୍‌ କରି ଶୋକପ୍ରକାଶ କରିଛନ୍ତି। ସେ କହିଛନ୍ତି, ‘ଭାରତୀୟ ରାଜନୀତି ପାଇଁ ଏହା ଏକ ଅପୂରଣୀୟ କ୍ଷତି। ଅରୁଣ ଜେଟଲୀ ଜଣେ ଏପରି ବ୍ୟକ୍ତି, ଯିଏ ଅନେକଙ୍କ ପାଇଁ ମାର୍ଗଦର୍ଶକ ଥିଲେ। ପୃଥିବୀର ସମସ୍ତ ତଥ୍ୟ ତାଙ୍କ ନିକଟରେ ଥିଲା। ସେ ଏବେ ଆମ ସାଥୀରେ ନାହାନ୍ତି। ତାଙ୍କ ଜୀବନ ବାସ୍ତବରେ ପ୍ରେରଣାଦାୟୀ ଥିଲା। ଓଁ ଶାନ୍ତି !’

Comments are closed.