MEllora 950×100

ନଭେମ୍ବର ୨୭ରେ ଆନ୍ଦୋଳନ ପାଇଁ ଅମଲା ସଂଘର ସଜବାଜ

ଆଠଗଡ :  ଓଡିଶା ଅମଲା ସଂଘ ନିଜର ଦୀର୍ଘଦିନର ଦାବି ପୂରଣ ପାଇଁ ସରକାରଙ୍କ ଉପରେ ଚାପ ପ୍ରୟୋଗ ଲାଗି ଆସନ୍ତା ନଭେମ୍ବର ୨୭ରେ ଭୁବନେଶ୍ୱରଠାରେ ଏକ ବିଶାଳ ଅମଲା ସମାବେଶ ଲାଗି ସଜବାଜ ଆରମ୍ଭ କରିଛି । ଏହି ପରୀପ୍ରେକ୍ଷୀରେ ଆଠଗଡ ଅମଲା ସଂଘ ଉପବିଭାଗ ଅଧିକାରୀ ଅଜୟ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ସେମାନଙ୍କର ଦୀର୍ଘଦିନର ନାଯ୍ୟ ଦାବି ପୂରଣ ପାଇଁ ଭୁବନେଶ୍ୱରଠାରେ ହେବାକୁ ଥିବା ରାଜ୍ୟସ୍ତରୀୟ ସମାବେଶକୁ ସଫଳ କରିବା ଲାଗି ଆଲୋଚନା କରାଯାଇଥିଲା। ଓଡିଶା ଅମଲା ସଂଘ ଗତ ୨୦୧୭ମସିହାରୁ ସେମାନଙ୍କର ଗ୍ରେଡ ପେ ୧୯୦୦ ଟଙ୍କାରୁ ୪୨୦୦ଟଙ୍କା କରିବା ଲାଗି ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଆସୁଛନ୍ତି। କିନ୍ତୁ ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ଗ୍ରେଡ୍‌ ପେ ବୃଦ୍ଧି କରିବାରେ ଟାଳଟୁଳ ନୀତି ଅବଲମ୍ବନ କରାଯାଉଛି ଏବଂ ସମାନ କାର୍ଯ୍ୟକୁ ସମାନ ଦରମା ଦେବାରେ ପାତର ଅନ୍ତର ନୀତି ଓ ସ୍ନାତକ ସହିତ କମ୍ପ୍ୟୁଟର ଯୋଗ୍ୟତା ଥିବା ଅମଲାଙ୍କୁ ବାରମ୍ବାର ସରକାର ଭଣ୍ଡାଇ ଚାଲିଛନ୍ତି ବୋଲି ସଂଘର ନେତୃବୃନ୍ଦ କ୍ଷୋଭ ପ୍ରକାଶ କରିଥିଲେ । ଏହାର ତୀବ୍ର ବିରୋଧ କରିବା ଏବଂ ସେମାନଙ୍କର ନାଯ୍ୟ ଦାବି ପୂରଣ କରିବା ଲାଗି ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବା ଉଦ୍ଦେଶ୍ୟରେ ଆସନ୍ତା ୨୭ତାରିଖ (ରବିବାର) ଭୁବନେଶ୍ୱର ଠାରେ ହେବାକୁ ଥିବା ବିଶାଳ ସମାବେଶରେ ଆଠଗଡ ଉପଖଣ୍ଡର କାର୍ଯ୍ୟରତ ସମସ୍ତ ଅମଲା ଭାଇଭଉଣୀ ଯୋଗଦେବାକୁ ସଂଘର ନେତାମାନେ ଆହ୍ୱାନ ଜଣାଇଥିଲେ। ଏହି ବୈଠକରେ ଅମଲା ସଂଘର କର୍ମକର୍ତ୍ତା ମନୋଜ କୁମାର ସେଠୀ, ତନ୍ମୟ ଦାସ, ଆଦିତ୍ୟ ପ୍ରଧାନ, ପ୍ରଦୀପ କୁମାର ସ୍ୱାଇଁ, ହୃଦୟ କମଳ ପଣ୍ଡା, ସଂଗ୍ରାମ କେଶରୀ ସ୍ୱାଇଁ, ସୁଧାଂଶୁବାଳା ସାମଲ, କବିତାରାଣୀ ସ୍ୱାଇଁ, ବସନ୍ତ ବେହେରା, ପ୍ରତାପ କୁମାର ଲେଙ୍କା, ୱାଇଏସ୍‌ ଦେହୁରୀ, ରାଜେନ୍ଦ୍ର କୁମାର ମହାନ୍ତି ଓ ଅରବିନ୍ଦ ରାଉତ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Comments are closed.