ଡ଼ାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କୁ କରୋନା ଟୀକା ଦେବାକୁ ଉତ୍ତରପ୍ରଦେଶ ସରକାର ଆରମ୍ଭ କଲେ ପ୍ରସ୍ତୁତି

ସବୁ ଡ଼ାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ମଗାଗଲା ଡ଼ାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ତାଲିକା

କରୋନା ଟୀକା ଏ ପର୍ଯ୍ୟନ୍ତ ବଜାରକୁ ଆସିନାହିଁ । ତଥାପି ଉତ୍ତରପ୍ରଦେଶ ସରକାର ରାଜ୍ୟର ଡ଼ାକ୍ତର ଓ ପାରା ମେଡ଼ିକାଲ କର୍ମଚାରୀମାନଙ୍କୁ ଟୀକା ପ୍ରଦାନ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଟୀକା ଆସିବା ମାତ୍ରେ ରାଜ୍ୟର ଡ଼ାକ୍ତର, ସ୍ବାସ୍ଥ୍ୟକର୍ମୀ ଓ କରୋନା ଯୋଦ୍ଧାମାନଙ୍କୁ ଟୀକା ଦିଆଯିବା ନିମନ୍ତେ ନକ୍ସା ପ୍ରସ୍ତୁତି କ୍ରମରେ ବିଭିନ୍ନ ଡ଼ାକ୍ତରଖାନା କର୍ତ୍ତୃପକ୍ଷଙ୍କ ସୂଚନା ପ୍ରଦାନ ନିମନ୍ତେ ରାଜ୍ୟ ସରକାର ଚିଠି ଲେଖିଛନ୍ତି । ଉତ୍ତରପ୍ରଦେଶ ସ୍ବାସ୍ଥ୍ୟ ବିଭାଗର ସର୍ବୋଚ୍ଚ ଅଧିକାରୀ ଏହି ଚିଠି ଲେଖିଛନ୍ତି ଓ ସୂଚନା ଆଧାରରେ ଟୀକା ଆସିବାମାତ୍ରେ ଟୀକାକରଣ ହୋଇପାରିବ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ।

ଉତ୍ତରପ୍ରଦେଶ ଜାତୀୟ ସ୍ୱାସ୍ଥ୍ୟ ମିଶନର ଜେନେରାଲ ମ୍ୟାନେଜର ପକ୍ଷରୁ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସବିଶେଷ ତଥ୍ୟ ମାଗିଛନ୍ତି ।  ଏହା ପରେ ଗାଜିଆବାଦର ମୁଖ୍ୟ ଚିକିତ୍ସା ଅଧିକାରୀ ସଂପୃକ୍ତ ଡାକ୍ତରଖାନା ଏବଂ ମେଡିକାଲ କଲେଜଗୁଡ଼ିକୁ ଚିଠି ଲେଖି କର୍ମଚାରୀଙ୍କ ସମସ୍ତ ତଥ୍ୟ ସଂଗ୍ରହ କରିବାକୁ କହିଛନ୍ତି।ଏହି ଚିଠିରେ ମେଡିକାଲ କଲେଜ, ଆୟୁର୍ବେଦିକ ହସ୍ପିଟାଲ, ୟୁନାନି ହସ୍ପିଟାଲ, ରେଲୱେ ହସ୍ପିଟାଲ, ଆର୍ମି ହସ୍ପିଟାଲ ଏବଂ ଇଏସଆଇ ହସ୍ପିଟାଲରେ କାର୍ଯ୍ୟରତ ସମସ୍ତ ମେଡିକାଲ-ପାରାମେଡିକାଲ୍ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ସବିଶେଷ ତଥ୍ୟ ଦାଖଲ କରିବାକୁ କୁହାଯାଇଛି। ଏହି ଚିଠି ସହିତ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଡାକ୍ତରଖାନାଗୁଡ଼ିକୁ ଏକ ଫର୍ମ ମଧ୍ୟ ପଠାଯାଇଛି।ଯେଉଁଥିରେ ସେଠାରେ କାର୍ଯ୍ୟ କରୁଥିବା ଡାକ୍ତର, ନର୍ସ, ସପୋର୍ଟ ଷ୍ଟାଫ୍, ଲ୍ୟାବ କର୍ମଚାରୀ, ଫାର୍ମାସିଷ୍ଟ, ଆମ୍ବୁଲାନ୍ସ ଡ୍ରାଇଭର, ସୁଇପର ଏବଂ ଚୌକିଦାରଙ୍କ ସମେତ ସମସ୍ତ ପ୍ରକାରର କର୍ମଚାରୀ ଏବଂ ସେମାନଙ୍କ ସହ ଜଡିତ ସମସ୍ତ ଲୋକଙ୍କ ସଂଖ୍ୟା ଦେବାକୁ କୁହାଯାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ କରୋନା  ଟିକା ଆସନ୍ତା କିଛି ମାସ ମଧ୍ୟରେ ଭାରତରେ ଉପଲବ୍ଧ ହେବ ବୋଲି ଆଶାପ୍ରକାଶ କରିଛନ୍ତି ।  ସେ କହିଛନ୍ତି, ’ଆମେ ବହୁ ପରିମାଣରେ ଟିକା ବିକଶିତ କରିବା ପ୍ରକ୍ରିୟାରେ ଅଛୁ ଏବଂ ପରବର୍ତ୍ତୀ ୬ ମାସରେ ଆମେ ଏହାକୁ ଭାରତର ଲୋକଙ୍କ ନିକଟରେ ପହଞ୍ଚାଇବା ପ୍ରକ୍ରିୟା ଜାରି ରହିଛି ।

Comments are closed.