ପ୍ରେମିକ ପାଇଁ ବନ୍ଧା ହେଲା ପ୍ରେମିକା

ଭୁବନେଶ୍ୱର: ପ୍ରେମ ପାଇଁ କିଛି ବି କରିବାକୁ କୁଣ୍ଠାବୋଧ କରନ୍ତି ନାହିଁ ପ୍ରେମିକ-ପ୍ରେମିକା। କେଉଁଠି ପ୍ରେମିକାକୁ ଖୁସି କରିବା ଲାଗି ପ୍ରେମିକା ଚୋରି କରୁଛି ତ ଆଉ କେଉଁଠି ହତ୍ୟା। କିନ୍ତୁ ଏଠି ଜଣେ ପ୍ରେମିକା ନିଜ ପ୍ରେମିକଙ୍କ ଲାଗି କାମ କରୁଥିବା ସଂସ୍ଥାକୁ ଠକିଛି। ଏ ନେଇ ଅଭିେଯାଗ ହେବା ପରେ ପୁଲିସ ସମ୍ପୃକ୍ତ ପ୍ରେମିକାକୁ ଗିରଫ କରିଛି। ଗିରଫ ଯୁବତୀ ଜଣକ ହେଉଛନ୍ତି ପାୟଲ ମହାପାତ୍ର। ସେ କାମ କରୁଥିବା ବୈଷୟିକ ମହାବିଦ୍ୟାଳୟ ଆକାଉଣ୍ଟରୁ ୯୭ଲକ୍ଷ ଟଙ୍କା ଆତ୍ମସାତ କରିଛନ୍ତି।

ପୁଲିସ ସୂତ୍ରରୁ ପ୍ରକାଶ ଯେ ସିଭି ରମଣ ଗ୍ଲୋବାଲ ବିଶ୍ବବିଦ୍ୟାଳୟରେ ପାୟଲ ଆକାଉଣ୍ଟ ସହାୟିକା ଭାବେ ୨୦୧୭ ଫେବୃୟାରୀ ମାସରୁ କାମ କରିଆସୁଥିଲେ। ଛାତ୍ରଛାତ୍ରୀ ଜମା କରୁଥିବା ଫି’ ସଂଗ୍ରହ କରି ବିଶ୍ବବିଦ୍ୟାଳୟ ବ୍ୟାଙ୍କ ଆକାଉଣ୍ଟରେ ସେହିଦିନ ଜମା କରିବା ତାଙ୍କର ମୁଖ୍ୟ କାମ ଥିଲା। ମାତ୍ର ଏହା ନ କରି ସେ ଟଙ୍କା ସଂଗ୍ରହ ପରେ ନିଜ ନାମରେ ଥିବା ବ୍ୟାଙ୍କ ଖାତାରେ ଜମା କରୁଥିଲେ। କିଛିଦିନ ପୂର୍ବରୁ ଆକାଉଣ୍ଟ ଯାଞ୍ଚ ସମୟରେ ଟଙ୍କା ଜମାରେ ହେରଫେର ହୋଇଥିବା ଜଣାପଡ଼ିଥିଲା। ଏ ନେଇ ପାୟଲଙ୍କୁ ପଚରାଉଚରା ପରେ ସେ ସତ ମାନି ଯାଇଥିଲେ। ଏନେଇ ଶିକ୍ଷାନୁଷ୍ଠାନ ପକ୍ଷରୁ କ୍ଷୀରୋଦ କୁମାର ଶତପଥୀ ତମାଣ୍ଡୋ ଥାନାେର ଅଭିେଯାଗ କରିଥିଲେ।

ସୂଚନା ଅନୁସାରେ ଏପରି କାମର ପ୍ରମୁଖ କାରଣ ସେହି ଅନୁଷ୍ଠାନରେ ପଢୁଥିବା ଛାତ୍ର ତଥା ପାୟଲଙ୍କ ବିହାରୀ ପ୍ରେମିକ ବୋଲି ଜଣାପଡ଼ିଛି। ପାୟଲ ଓ ସମ୍ପୃକ୍ତ ଯୁବକଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପ୍ରେମିକଙ୍କ ଅସୁବିଧାରେ ଆର୍ଥିକ ସାହାଯ୍ୟ କରୁଥିଲେ ପାୟଲ। ମାତ୍ର ଏହାର ଫାଇଦା ଉଠାଇ ଚାଲିଥିଲେ ପ୍ରେମିକ। ବିଭିନ୍ନ ବାହାନା କରି ପ୍ରେମିକାଙ୍କୁ ଟଙ୍କା ମାଗୁଥିଲେ। ପ୍ରେମିକକୁ ସନ୍ତୁଷ୍ଟ କରିବାକୁ ଯାଇ ପାୟଲ ନିଜ କଲେଜ ଆକାଉଣ୍ଟର ଟଙ୍କାକୁ ଆତ୍ମସାତ୍ କରିବାକୁ ଯୋଜନା କରିଥିଲେ। ଥର ଥର କରି ଏକାଧିକବାର ଟଙ୍କା ଆତ୍ମସାତ୍‌ କରି ପ୍ରଥମେ ନିଜ ଆକାଉଣ୍ଟ ଓ ପରେ ପରେ ପ୍ରେମିକଙ୍କ ଆକାଉଣ୍ଟକୁ ସେ ପଠାନ୍ତି। ମାତ୍ର କଲେଜ ଅଡ଼ିଟ୍ ସମୟରେ ୯୭ ଲକ୍ଷ ଟଙ୍କାର ହିସାବ ମିଳି ନ ଥିଲା। ପାୟଲଙ୍କ ଉପରେ ସନ୍ଦେହ କରି ତାଙ୍କୁ ପଚରାଉଚରା କରିବା ପରେ ସେ ସତ ମାନି ଯାଇଥିଲେ। ଅଭିେଯାଗ ହେବା ପରେ ପୁଲିସ ପାୟଲଙ୍କୁ ଗିରଫ କରି ପଚରା ଉଚରା କରୁଛି। ଘଟଣା ପରେ ପାୟଲଙ୍କ ପ୍ରେମିକ ତଥା ବିହାରୀ ଛାତ୍ର ଫେରାର ହୋଇଯାଇ ଥିବାରୁ ତାଙ୍କୁ ଗିରଫ କରି ଟଙ୍କା ଉଦ୍ଧାର ଲାଗି ପୁଲିସ ଉଦ୍ୟମ କରୁଛି।

Comments are closed.