ଗର୍ଭବତୀମାନେ ନିଶ୍ଚୟ ପିଅନ୍ତୁ ଉଷୁମ ପାଣି: ଦୂର ହେବ ଅନେକ ସମସ୍ୟା

ସାଧାରଣତଃ ଗର୍ଭାବସ୍ଥା ଏକ ଗୁରୁତ୍ବପୂର୍ଣ୍ଣ ତଥା ସମ୍ବେଦନଶୀଳ ସମୟ। ଏହି ସମୟରେ ମହିଳାମାନଙ୍କର ଖାସ୍‌ ଯତ୍ନ ନେବା ଆବଶ୍ୟକ। ବିଶେ‌ଷ କରି ମହିଳାମାନେ ଏହି ସମୟରେ ନିଜ ପ୍ରତି ଅଧିକ ଯତ୍ନବାନ୍‌ ହେବା ଉଚିତ୍। ଗର୍ଭାବସ୍ଥାରେ ମହିଳାମାନେ ନିଜ ଖାଇବା ପିଇବା ଉପରେ ଅଧିକ ଧ୍ୟାନ ଦେବା ଜରୁରୀ। ଏହି ସମୟରେ ଶରୀରକୁ ସଠିକ୍ ପରିମାଣରେ ପୋଷଣ ଆବଶ୍ୟକ ହୋଇଥାଏ। ଶରୀରରେ ପାଣିର ଅଭାବ ହେଲେ ଉଭୟ ମାଆ ଓ ଛୁଆଙ୍କ ପାଇଁ କ୍ଷତିକାରକ ହୋଇପାରେ। ଏହା ହୁଏତ ଖୁବ୍ କମ୍ ଲୋକ ଜାଣିଥିବେ ଯେ, ଗର୍ଭବତୀ ମହିଳା ଗରମ ତଥା ଉଷୁମ ପାଣି ପିଇବା ଦ୍ୱାରା ଅନେକ ଲାଭ ମିଳିଥାଏ। ଏହାଦ୍ବାରା ଅନେକ ସମସ୍ୟାରୁ ମୁକ୍ତି ମିଳିବା ସହ ମାଆ ଓ ଗର୍ଭସ୍ଥ ଶିଶୁ ସୁସ୍ଥ ରହିଥା’ନ୍ତି। ତେବେ ଆସନ୍ତୁ ଜାଣିବା ଗର୍ଭାବସ୍ଥାରେ ଉଷୁମ ପାଣି ପିଇବା ଦ୍ବାରା କି ଲାଭ ମିଳିଥାଏ –

ପାଚନ ତନ୍ତ୍ରକୁ ସୁସ୍ଥ ରଖେ: ଉଷୁମ ପାଣି ପାଚନ ତନ୍ତ୍ରକୁ ସଠିକ୍ ବା ସୁସ୍ଥ ରଖିବା ସହ ଶରୀରରେ ଥିବା ଅଦରକାରୀ ପଦାର୍ଥକୁ ନିଷ୍କାସିତ କରିଥାଏ। ଫଳରେ ଗର୍ଭସ୍ଥ ଶିଶୁକୁ ସଠିକ୍ ପୋଷଣ ମିଳିଥାଏ। କିନ୍ତୁ ଧ୍ୟାନ ରଖିବେ ପାଣି ଯେମିତି ଅଧିକ ଗରମ ନଥାଏ।

କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ଦିଏ: ଗର୍ଭାବସ୍ଥାରେ ମହିଳାଙ୍କଠାରେ ସାଧାରଣତଃ କୋଷ୍ଠକାଠିନ୍ୟ ସମସ୍ୟା ଦେଖା ଦେଇଥାଏ। ଏଭଳି ସ୍ଥିତିରେ ଖାଲି ପେଟରେ ଉଷୁମ ପାଣି ପିଇବା ପରେ କିଛି ସମୟ ଚାଲିବା ଆବଶ୍ୟକ। ଏହା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ। ଉଷୁମ ପାଣି ପିଇବା ଦ୍ୱାରା ଏସିଡିଟି ମଧ୍ୟ ଦୂର ହୋଇଥାଏ।

ଆଳସ୍ୟ ଦୂର କରେ: ସକାଳୁ ଉଠିବା ପରେ ଗର୍ଭବତୀମାନେ ଆଳସ୍ୟ ଅନୁଭବ କରିଥା’ନ୍ତି। ତେଣୁ କୌଣସି କାମ କରିବାକୁ ସେମାନେ ଆଗ୍ରହ ପ୍ରକାଶ କରିନଥା’ନ୍ତି। ଏଭଳି ସମସ୍ୟା ଥିଲେ ସକାଳୁ ଉଠି ଉଷୁମ ପାଣି ପିଇବା ଲାଭଦାୟକ ସାବ୍ୟସ୍ତ ହୋଇଥାଏ।

ଖାଦ୍ୟ ହଜମ କରେ: ଗର୍ଭବତୀମାନେ ଭାରୀ କାମ କରିପାରୁ ନ ଥିବାରୁ ସେମାନେ ଖାଉଥିବା ଖାଦ୍ୟ ସହଜରେ ହଜମ ହୋଇନଥାଏ। ଖାଇବା ପରେ ଉଷୁମ ପାଣି ପିଇବା ଦ୍ୱାରା ଖାଦ୍ୟ ହଜମ ହେବାରେ ସମସ୍ୟା ଦେଖାଦିଏ ନାହିଁ।

Comments are closed.