ଗର୍ଭବତୀ ମହିଳାଙ୍କୁ କୋଭିଡ ଟିକା ପାଇଁ ଅନୁମତି

ନୂଆଦିଲ୍ଲୀ :  ଗର୍ଭବତୀ ମହିଳା ଏଣିକି ନେଇ ପାରିବେ କୋଭିଡ୍‍ ଟିକା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଟିକାକରଣ ପାଇଁ ଗଠିତ ଜାତୀୟ ବୈଷୟିକ ପରାମର୍ଶ ଦଳର ସୁପାରିସ ପରେ ଗର୍ଭବତୀ ମହିଳାଙ୍କୁ କୋଭିଡ୍‍ ଟିକା ନେବାପାଇଁ ଅନୁମତି ପ୍ରଦାନ କରିଛି। ଏହାପରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଟିକାକରଣ କାର୍ଯ୍ୟକ୍ରମରେ ଗର୍ଭବତୀ ମହିଳାଙ୍କୁ ସାମିଲ୍‍ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ଅନୁସାରେ ଜଣେ ମହିଳା ଗର୍ଭଧାରଣ ସମୟରେ କୋଭିଡରେ ଆକ୍ରାନ୍ତ ହେଲେ ଏହାର ପ୍ରଭାବ ଶିଶୁ ଏବଂ ମା’ ଉଭୟଙ୍କ ଉପରେ ପଡ଼ିବାର ଆଶଙ୍କା ରହିଛି। ଏହାବ୍ୟତୀତ ସେମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବାର ମଧ୍ୟ ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ତଥା ବିଭିନ୍ନ ଗବେଷଣା ପରେ ଗର୍ଭବତୀ ମହିଳାଙ୍କୁ କରୋନା ପ୍ରତିଷେଧକ ଟିକା ନେବାକୁ ଅନୁମତି ଦିଆଯାଇଛି। ସେମାନେ କୋ-ୱିନ୍‍ ପୋର୍ଟାଲରେ ପଞ୍ଜୀକରଣ କରି କିମ୍ବା ନିଜର ପରିଚୟ ପତ୍ର ଦେଖାଇ ସିଧାସଳଖ ଟିକାକରଣ କେନ୍ଦ୍ରରେ ଟିକା ନେଇପାରିବେ।

ଅଧ୍ୟୟନରୁ ଜଣାଯାଇଛି ଯେ ଗର୍ଭାବସ୍ଥାରେ କୋଭିଡ-୧୯ ସଂକ୍ରମଣ ହେଲେ ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ହୋଇ ପଡ଼ିବାର ଆଶଙ୍କା ରହିଥାଏ। ଏହାଛଡ଼ା ଗମ୍ଭୀର ରୋଗ କିମ୍ବା ଗର୍ଭସ୍ଥ ଭ୍ରୂଣ ଉପରେ କୁପ୍ରଭାବ ପଡ଼ିବାର ବିପଦ ରହିଥାଏ। ବିଷୟ ବିଶେଷଜ୍ଞମାନେ ଏହି ପ୍ରସଙ୍ଗରେ ଅନୁଧ୍ୟାନ କରିବା ପରେ ଏପରି ପ୍ରମାଣ ମିଳିଛି ଯେ କୋଭିଡ-୧୯ରେ ସଂକ୍ରମିତ ହେଲେ ସାଧାରଣ ମହିଳାଙ୍କ ଅପେକ୍ଷା ଗର୍ଭବତୀଙ୍କ ଠାରେ କୋଭିଡ ଜନିତ ଗମ୍ଭୀର ଅସୁସ୍ଥତା ଦେଖାଦେଇପାରେ। ଆହୁରି କୋଭିଡ-୧୯ରେ ସଂକ୍ରମିତ ହେଉଥିବା ଗର୍ଭବତୀ ମହିଳାଙ୍କ ଠାରେ ଅକାଳ ସନ୍ତାନ ପ୍ରସବ କିମ୍ବା ନବଜାତ ଶିଶୁର ମୃତ୍ୟୁ ଭଳି ହାନିକାରକ ଗର୍ଭାବସ୍ଥାଜନିତ ସମସ୍ୟା ଦେଖାଦେବାର ଆଶଙ୍କା ବୃଦ୍ଧି ପାଇଥାଏ। ଏହା ବ୍ୟତୀତ ପୂର୍ବରୁ ରହିଥିବା କୌଣସି ଦୁରାରୋଗ୍ୟ ବ୍ୟାଧି, ଅଧିକ ବୟସରେ ମାତୃତ୍ୱ ଲାଭ ଏବଂ ଶରୀରରେ ଅଧିକ ଓଜନ ରହିଥିଲେ ଗର୍ଭାବସ୍ଥା ସମୟରେ କୋଭିଡ -୧୯ ସଂକ୍ରମଣ ଅତ୍ୟନ୍ତ ଗମ୍ଭୀର ସ୍ଥିତିକୁ ଚାଲିଯାଇପାରେ ବୋଲି ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି।
ଟିକାକରଣ ସଂକ୍ରାନ୍ତ ଜାତୀୟ ବୈଷୟିକ ପରାମର୍ଶଦାତା ଗୋଷ୍ଠୀ (ଏନଟିଏଜିଆଇ) ଗର୍ଭବତୀ ମହିଳାଙ୍କ ଟିକାକରଣ ପାଇଁ ସୁପାରିସ କରିଛି। କୋଭିଡ-୧୯ ପାଇଁ ଜାତୀୟ ଟିକାକରଣ ଉପରେ ବିଶେଷଜ୍ଞ ଗୋଷ୍ଠୀ (ଏନଇଜିଭିଏସି) ମଧ୍ୟ ସର୍ବସମ୍ମତି କ୍ରମେ ଏହାକୁ ସୁପାରିସ କରିଛି। ଏହାଛଡ଼ା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଗର୍ଭବତୀ ମହିଳାଙ୍କ ଠାରେ କୋଭିଡ୍ ଟିକାକରଣ କରାଇବା ଲାଗି ସହମତି ହାସଲ କରିବା ନିମନ୍ତେ ଉଦ୍ୟମ କରାଯାଇଥିଲା। ଏଥିପାଇଁ ମନ୍ତ୍ରଣାଳୟ ପକ୍ଷରୁ ଗର୍ଭବତୀ ମହିଳାମାନଙ୍କ କୋଭିଡ-୧୯ ଟିକାକରଣ ସଂକ୍ରାନ୍ତରେ ଏକ ଜାତୀୟ ସ୍ତରର ବିଚାର ବିମର୍ଶ ଆୟୋଜନ କରା ଯାଇଥିଲା। ଏହି ବିଚାର ଆଲୋଚନା ସମୟରେ ଗର୍ଭବତୀ ମହିଳାଙ୍କୁ କୋଭିଡ ଟିକା ଦିଆଯିବା ଲାଗି ଏନଟିଏଜିଆଇର ସୁପାରିସକୁ ସର୍ବସମ୍ମତିକ୍ରମେ ସ୍ୱୀକାର କରାଯାଇଥିଲା। ଏହି ବିଚାରବିମର୍ଶ ପ୍ରକ୍ରିୟାରେ ଏଫଓଜିଏସଆଇ ଭଳି ପେସାଦାର ସଂସ୍ଥା, ରାଜ୍ୟ ସରକାର, ସିଏସଓ, ସ୍ୱେଚ୍ଛାସେବୀ ସଂସ୍ଥା, ବିକାଶ ଭାଗୀଦାର ସଂସ୍ଥା, ବୈଷୟିକ ବିଶେଷଜ୍ଞ ଆଦିର ପ୍ରତିନିନିଧିମାନେ ଅଂଶଗ୍ରହଣ କରିଥିଲେ।
କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଏସବୁ ସୁପାରିସକୁ ଗ୍ରହଣ କରିଥିଲା ଏବଂ ଗର୍ଭବତୀ ମହିଳାଙ୍କ ଟିକାକରଣ କାର୍ୟ୍ୟକ୍ରମକୁ କାର୍ୟ୍ୟକାରୀ କରିବା ଲାଗି ରାଜ୍ୟ / କେନ୍ଦ୍ର ଶାସିତ ପ୍ରଦେଶ ସରକାରମାନଙ୍କୁ ସକ୍ଷମ କରିବା ଲାଗି ଗର୍ଭବତୀ ମହିଳାମାନଙ୍କୁ ଟିକା ଦେବା ପାଇଁ ପରିଚାଳନାଗତ ମାର୍ଗଦର୍ଶିକା, ଚିକିତ୍ସା ଅଧିକାରୀ ଓ ଏଫଏଲଡବ୍ଲୁଙ୍କ ପାଇଁ ପରାମର୍ଶଦାତା କିଟ୍‌ ଏବଂ ସାଧାରଣ ଜନତାଙ୍କ ପାଇଁ ଆଇଇସି ଉପକରଣ ପ୍ରସ୍ତୁତ କରିଥିଲା। ଟିକା ନେବାକୁ ଚାହୁଁଥିବା ଗର୍ଭବତୀ ମହିଳାମାନେ ଦେଶରେ ଉପଲବ୍ଧ କୋଭିଡ-୧୯ ଟିକା ସେମାନଙ୍କର ଗର୍ଭାବସ୍ଥାର ଯେକୌଣସି ସମୟରେ ନେଇପାରିବେ। ସେମାନେ କୋ-ୱିନ୍‌ ପ୍ଲାଟଫର୍ମରେ ପଞ୍ଜୀକରଣ କରିବା ପରେ ନିକଟସ୍ଥ ସରକାରୀ କିମ୍ବା ଘରୋଇ କୋଭିଡ-୧୯ ଟିକାକରଣ କେନ୍ଦ୍ରରେ ଟିକା ନେଇପାରିବେ ଅଥବା ଟିକା କେନ୍ଦ୍ରରେ ପହଞ୍ଚିବା ପରେ ସେଠାରେ ପଞ୍ଜୀକରଣ କରି ଟିକା ନେଇପାରିବେ। ପଞ୍ଜୀକରଣ, ଟିକାକରଣ ପରେ ପ୍ରମାଣପତ୍ର ବାହାର କରିବା ଆଦି କୋଭିଡ-୧୯ ଟିକାକରଣର ପଦ୍ଧତି ଓ ପ୍ରକ୍ରିୟା ପୂର୍ବରୁ ୧୮ ବର୍ଷରୁ ଅଧିକ ବୟସ୍କ ହିତାଧିକାରୀଙ୍କ ପାଇଁ ଜାତୀୟ କୋଭିଡ ଟିକାକରଣ କାର୍ଯ୍ୟକ୍ରମରେ ଲାଗୁ ହେଉଥିବା ନିୟମ ଅନୁରୂପ ହେବ।

Comments are closed.