ନ୍ୟାୟ ମାଗୁଛି ୭ମାସର ଗର୍ଭବତୀ; ପ୍ରେମିକ ଘର ସାମ୍ନାରେ ଧାରଣା 

ସ୍ତ୍ରୀକୁ ଭାଉଜ ଓ ଝିଅକୁ ଝିଆରୀ କହି ପ୍ରେମିକାଙ୍କୁ ପ୍ରତାରଣା

ପାପଡାହାଣ୍ଡି: ନ୍ୟାୟ ଦାବିରେ ୭ମାସର ଗର୍ଭବତୀ ପ୍ରେମିକା ପ୍ରେମିକ ଘର ସାମ୍ନାରେ ଧାରଣାରେ ବସିଛନ୍ତି। ନିଜ ସ୍ତ୍ରୀକୁ ଭାଉଜ ଏବଂ ଝିଅକୁ ଝିଆରୀ କହି ପ୍ରେମିକାଙ୍କୁ ପ୍ରତାରଣା। ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ୭ ବର୍ଷ ହେଲା ପ୍ରେମିକାଙ୍କ ସହ ରଖିଥିଲେ ଶାରିରୀକ ସମ୍ପର୍କ। ଏବେ ପ୍ରେମିକା ୭ ମାସର ଗର୍ଭବତୀ ହେବାପରେ ଏକୁଟିଆ ଛାଡ଼ି ଚାଲିଗଲେ ପ୍ରେମିକ। ସେପଟେ ଗର୍ଭବତୀ ଯୁବତୀଙ୍କୁ ଘରେ ପୁରାଉ ନାହାନ୍ତି ପ୍ରେମିକର ପରିବାର। ପାପଡାହାଣ୍ଡି ଥାନା ଘାଟଗୁଡ଼ା ପଞ୍ଚାୟତ ଅଞ୍ଚଳରେ ଘଟିଛି ଏଭଳି ଘଟଣା। ଦୀର୍ଘ ୧୫ ଦିନ ହେଲା ନ୍ୟାୟ ପାଇଁ ପୀଡ଼ିତା ବାର ଦ୍ଵାର ବୁଲୁଥିବା ବେଳେ ଏବେ ପ୍ରେମିକର ଘର ଆଗରେ ଧାରଣା ଦେଇଛନ୍ତି।

ସୂଚନାନୁଯାୟୀ, ପାପଡାହାଣ୍ଡି ଥାନା ଘାଟଗୁଡ଼ା ପଞ୍ଚାୟତ ଛତ୍ରଭର ଗାଁର ଲାଇଜର ଖରା ନାମକ ଜଣେ ବିବାହିତ ବ୍ୟକ୍ତି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ। ଲାଇଜର ବିବାହିତ ହୋଇଥିଲେ ମଧ୍ୟ ନିଜ ସ୍ତ୍ରୀକୁ ଭାଉଜ ଏବଂ ଝିଅକୁ ଝିଆରୀ ବୋଲି ମିଛ କହି ଯୁବତୀଙ୍କୁ ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖି ଆସୁଥିଲେ। ତେବେ ଯୁବତୀ ଜଣଙ୍କ ବିବାହ କରିବାକୁ ଜିଦ୍ କରିବାରୁ ଲାଇଜର ପାପଡାହାଣ୍ଡି ଗାଁରେ ଏକ ମାସ ଓ ପରେ ଉମରକୋଟ ସ୍ଥିତ ଡଙ୍ଗରିସାହିରେ ଥିବା ତାଙ୍କ ଭଉଣୀ ଘରେ ୨ ବର୍ଷ ରଖିଥିଲେ। ଏହାପରେ ଡାବୁଗାଁର ସୁଧାର ଗୃହରେ ଏକ ମାସ ରଖିବା ପରେ ଏବେ ନିଜ ଘରକୁ ନେଇ ଆସିଥିଲେ। ହେଲେ ଲାଇଜରର ପରିବାର ଲୋକେ ଯୁବତୀଙ୍କୁ ଘରେ ପୁରାଇ ଦେଇନଥିଲେ। ତାଙ୍କର ସମସ୍ତ ଲୁଗାପଟା ବାହାରେ ଫିଙ୍ଗି ଦେଇଥିଲେ। ଫଳରେ ଗର୍ଭବତୀ ଯୁବତୀ ଲାଇଜରଙ୍କ ଘର ଆଗରେ ଧାରଣା ଦେଇଛନ୍ତି। ସେପଟେ ଲାଇଜର ଘର ଛାଡ଼ି ଫେରାର୍ ହୋଇଯାଇଛନ୍ତି।

ତେବେ ଗତ ୧୫ ଦିନ ହେବ ଯୁବତୀ ଜଣଙ୍କ ନ୍ୟାୟ ପାଇଁ ବାର ଦ୍ଵାର ବୁଲୁଥିବା ଥିବା ବେଳେ ୧ ମାସ ପୂର୍ବରୁ ପାପଡାହାଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ହେଲେ ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଯୁବତୀ ଜଣଙ୍କ ନ୍ୟାୟ ଅପେକ୍ଷାରେ ପ୍ରେମିକଙ୍କ ଘର ଆଗରେ ଧାରଣା ଦେଇଥିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Comments are closed.