ତାପମାତ୍ରା ବୃଦ୍ଧି ଯୋଗୁଁ ପ୍ରାକ୍ ମୌସୁମୀ ବର୍ଷା ୨୭% ହ୍ରାସ

ନୂଆଦିଲ୍ଲୀ : ତାପମାତ୍ରା ବୃଦ୍ଧି କାରଣରୁ ଦେଶରେ ପ୍ରାକ୍ ମୌସୁମୀ ବର୍ଷା ପରିମାଣ ୨୭% ହ୍ରାସ ପାଇଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିଛନ୍ତି। ମାର୍ଚ୍ଚ ଓ ଏପ୍ରିଲ ମାସରେ ହେଉଥିବା ପ୍ରାକ୍ ମୌସୁମୀ ବର୍ଷା ଦେଶର କୃଷିକାର୍ଯ୍ୟ ପାଇଁ ଗୁରୁତ୍ବପୂର୍ଣ୍ଣ। ବିଶେଷକରି ଉଦ୍ୟାନ କୃଷି ପାଇଁ ଏହି ପ୍ରାକ୍ ମୌସୁମୀ ବର୍ଷା ଗୁରୁତ୍ବପୂର୍ଣ୍ଣ। ଓଡିଶା ଭଳି ରାଜ୍ୟରେ ପ୍ରାକ୍ ମୌସୁମୀ ଋତୁରେ ଜମି ଚାଷ କରାଯାଇଥାଏ। ସେହିପରି କେନ୍ଦ୍ର ଭାରତରେ କପା ଓ ଆଖୁ ଚାରା ରୋପଣ କରାଯାଇଥାଏ। ମାର୍ଚ୍ଚରୁ ମେ ମାସ ମଧ୍ୟରେ ହେଉଥିବା ବର୍ଷାକୁ ପ୍ରାକ୍ ମୌସୁମୀ ବର୍ଷା ବୋଲି କୁହାଯାଇଛି। ଆଇଏମଡି ରେକର୍ଡ ଅନୁଯାୟୀ ଚଳିତବର୍ଷ ମାର୍ଚ୍ଚ ୧ରୁ ଏପ୍ରିଲ ୨୪ ମଧ୍ୟରେ ଦେଶରେ ୪୩.୩ ମିଲିମିଟର ବର୍ଷା ହୋଇଛି। ଯେତେବେଳେ କି ଏହି ସମୟରେ ସ୍ବାଭାବିକ ଭାବେ ୫୯.୬ ମିଲିମିଟର ବର୍ଷା ହେବା ଦରକାର। ତେଣୁ ସ୍ବାଭାବିକ ବର୍ଷା ଠାରୁ ଏହା ୨୭ପ୍ରତିଶତ କମ୍। ଉତ୍ତରପଶ୍ଚିମ ଡିଭିଜନରେ ଏହି ପ୍ରାକ୍ ମୌସୁମୀ ବର୍ଷା ୩୮% କମ୍ ରହିଥିବା ଆଇଏମଡି କହିଛନ୍ତି। ଉତ୍ତରପଶ୍ଚିମ ଡିିଭିଜନରେ ଉତ୍ତରପ୍ରଦେଶ, ଦିଲ୍ଲୀ, ପଞ୍ଜାବ, ହରିୟାଣା, ଜାମ୍ମୁ-କାଶ୍ମୀର, ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶ ଭଳି ରାଜ୍ୟ ରହିଛି। ସେହିପରି ଦକ୍ଷିଣ ଉପଦ୍ବୀପ ଡିଭିଜନରେ ୩୧% କମ୍ ବର୍ଷା ହୋଇଥିବାର ରେକର୍ଡ କରାଯାଇଛି। ଏହି ଡିଭିଜନରେ ଦକ୍ଷିଣ ଭାରତର ୫ଟି ରାଜ୍ୟ ସହିତ ପୁଡୁଚେରୀ, ଗୋଆ ଓ ମହାରାଷ୍ଟ୍ରର ଉପକୂଳ ଅଞ୍ଚଳ ଅନ୍ତର୍ଭୂକ୍ତ। ପୂର୍ବ ଓ ଉତ୍ତରପୂର୍ବ ଡିଭିଜନରେ ୨୩% କମ୍ ବର୍ଷା ହୋଇଛି।
କେନ୍ଦ୍ର ଭାରତ ଡିଭିଜନ ଏକମାତ୍ର ଅଞ୍ଚଳ ଯେଉଁଠାରେ ସ୍ବାଭାବିକ ଠାରୁ ୫% ଅଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ପ୍ରାକ୍ ମୌସୁମୀ ବର୍ଷା ଜନିତ ବଜ୍ରପାତରେ ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟ ଓ ରାଜସ୍ଥାନରେ ୫୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି।

Comments are closed.