ଲଘୁଚାପ ପ୍ରଭାବ : ବିଭିନ୍ନ ସ୍ଥାନରେ ପ୍ରାକ୍‌-ମୌସୁମି ବର୍ଷା

ଭୁବନେଶ୍ୱର : ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ଏବଂ ବିଭିନ୍ନ ସ୍ଥାନରେ ବିକ୍ଷିପ୍ତ ଭାବେ ମୌସୁମି ବର୍ଷା ଲାଗି ରହିଛି। ପାଗ ସମ୍ପୂର୍ଣ୍ଣ ଅନୁକୂଳ ଥିବାରୁ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ ଓଡ଼ିଶାରେ ପହଞ୍ଚିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ମୌସୁମି ଆଗମନ ପାଇଁ ଅନୁକୂଳ ପରିସ୍ଥିତି ଲାଗି ରହିଥିଲେ ସୁଦ୍ଧା ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ତାତି କମୁ ନାହିଁ। ଆଜି ରାଜ୍ୟର ୬ଟି ସହରରେ ତାପମାତ୍ରା ୪୦ଂ ଅତିକ୍ରମ କରିଛି।
ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆସନ୍ତା କାଲି ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। କାଲିଠାରୁ ବିଶେଷକରି ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, କୋରାପୁଟ, ଯାଜପୁର, ନୟାଗଡ଼ ଓ ଭଦ୍ରକରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଆଇଏମ୍‌ଡି ସୂତ୍ରରୁ ହସ୍ତଗତ ସୂଚନା ଅନୁଯାୟୀ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ସକ୍ରିୟ ହେଉଛି। ଫଳରେ ଓଡ଼ିଶାରେ ମୌସୁମି ଆଗମନକୁ ତ୍ୱରାନ୍ୱିତ କରିବ।
ଏଭଳି ସ୍ଥିତି ଲାଗି ରହିଲେ ଆସନ୍ତା ୪୮ ଘଣ୍ଟା ଭିତରେ ଦକ୍ଷିଣ ଓଡ଼ିଶାରେ ମୌସୁମି ପହଞ୍ଚିବା ସହ ବର୍ଷା ଆରମ୍ଭ ହେବ। କେନ୍ଦ୍ରୀୟ ଆରବ ସାଗରରେ ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ କର୍ଣ୍ଣାଟକର କିଛି ଅଞ୍ଚଳ, ଦକ୍ଷିଣ କୋଙ୍କଣ, ଦକ୍ଷିଣ ମଧ୍ୟ ମହାରାଷ୍ଟ୍ର, ବଙ୍ଗୋପ ସାଗରର କିଛି ଅଂଶ ଅଭିମୁଖେ ଗତିଶୀଳ ରହିଛି। ଅପରପକ୍ଷେ ବଙ୍ଗୋପସାଗରରେ ଲଘୁଚାପ ସହିତ ଆଉ ଏକ ଘୂର୍ଣ୍ଣି ବଳୟ ରହିଛି। ହରିୟାନା, ଉତ୍ତର ମଧ୍ୟ ପ୍ରଦେଶ, ଉତ୍ତର ଛତିଶଗଡ଼, ଝାରଖଣ୍ଡ ଏବଂ ଉତ୍ତର ଓଡ଼ିଶା, ପୂ​‌େ​‌ର୍ବାତ୍ତର ବିହାର, ପଶ୍ଚିମ ବଙ୍ଗ, ଉପରେ ଲଘୁଚାପର ପ୍ରଭାବ ରହିଛି। ସମ୍ବଲପୁର ସବୁଠାରୁ ଉତ୍ତପ୍ତ ସହର ଭାବେ ପାରଦ ୪୦.୪ଂ ଅତିକ୍ରମ କରିଛି। ସେହିପରି ହୀରାକୁଦରେ ୪୧.୨ଂ, ଝାରସୁଗୁଡ଼ାରେ ୪୦.୪ଂ, ମାଲକାନଗିରି, ଟିଟିଲାଗଡ଼ ଓ ସୋନପୁରରେ ତାପମାତ୍ରା ୪୦ଂରେ ପହଞ୍ଚିଥିଲା। ତେବେ ବର୍ଷା ଯୋଗୁଁ ଉପକୂଳ ଓଡ଼ିଶାରେ ତାପମାତ୍ରା ହ୍ରାସ ପାଇଛି। ଆକାଶ ମେଘାଚ୍ଛନ୍ନ ରହିବା ସହ ବିକ୍ଷିପ୍ତ ଭାବେ ବର୍ଷା ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ପୁରୀରେ ସର୍ବାଧିକ ୧୪.୪ ମିଲି ମିଟର୍ ବର୍ଷା ହୋଇଛି।

Comments are closed.