ପଶ୍ଚିମବଙ୍ଗରେ ପ୍ରାକ୍‌ ନିର୍ବାଚନୀ ହିଂସା; ବିଜେପି ସାଂସଦଙ୍କ ଘର ନିକଟରେ ବୋମାମାଡ଼, ୩ ଆହତ

କଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ହିଂସା ଦେଖିବାକୁ ମିଳିଛି। ନିର୍ବାଚନୀ କାର୍ଯ୍ୟକ୍ରମ ହେଉ କି ରାଲି, ବିଭିନ୍ନ ସ୍ଥାନରେ ହିଂସାତ୍ମକ ଘଟଣା ସାମ୍ନାକୁ ଆସୁଛି। ଏହି ପରିପ୍ରେକ୍ଷୀରେ ଗତ ବୁଧବାର ରାତିରେ ଉତ୍ତର ୨୪ ପ୍ରଗଣାର ଜଗଦଲ ଅଞ୍ଚଳରେ ବିଜେପି ସାଂସଦ ଅର୍ଜୁନ ସିଂହଙ୍କ ଘର ନିକଟରେ ବୋମାମାଡ଼ ହୋଇଛି। ଏଥିରେ ଜଣେ ଶିଶୁ ସମେତ ୩ ଜଣ ଆହତ ହୋଇଛନ୍ତି।

ଅର୍ଜୁନ ବାରାକପୁରରୁ ବିଜେପି ସାଂସଦ ରହିଛନ୍ତି। ଏହି ଘଟଣା ତାଙ୍କ ଘର ନିକଟ ୧୮ ନମ୍ବର ଗଳିରେ ଘଟିଛି। ପ୍ରାୟ ୧୫ଟି ସ୍ଥାନରେ ବୋମାମାଡ଼ କରାଯାଇଥିବା ଅର୍ଜୁନ କହିଛନ୍ତି। ଏପରି କି ଆଇନଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବା ଲାଗି ପୁଲିସ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ଲଗାଯାଇଥିବା ସିସିଟିଭି କ୍ୟାମେରାଗୁଡ଼ିକୁ ୩ ଜଣ ବ୍ୟକ୍ତି ଏବଂ ସେମାନଙ୍କ ସହଯୋଗୀମାନେ ଭଙ୍ଗାରୁଜା କରିଛନ୍ତି।

ଅନ୍ୟପଟେ ଏହି ଘଟଣା ସମ୍ପର୍କରେ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରାଯିବ ବୋଲି ବିଜେପି ନେତା ମୁକୁଳ ରୟ କହିଛନ୍ତି। ବୋମାମାଡ଼କୁ ନେଇ ବିଜେପିର ବରିଷ୍ଠ ନେତା ତଥା ରାଜ୍ୟ ପ୍ରଭାରୀ କୈଳାସ ବିଜୟବର୍ଗୀୟ ଟିଏମସି ବିରୋଧରେ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଟିଏମସି ହିଂସାର ରାଜନୀତି କରୁଛି। ଆଚରଣବିଧି ଲାଗୁ ହେବା ପରେ ବି ଟିଏମସି ଗୁଣ୍ଡାମାନେ ବୋମାମାଡ଼ ଏବଂ ଗୁଳିମାଡ଼ କରୁଛନ୍ତି। ନିର୍ବାଚନ ଆୟୋଗ ଏହାକୁ ଚେତାବନୀ ରୂପେ ଦେଖିବା ଦରକାର।

Comments are closed.