ପ୍ରାକ୍‍ ବଜେଟ୍‍ ଆଲୋଚନା କଲେ ସୀତାରମଣ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ନୂଆଦିଲ୍ଲୀରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଅର୍ଥମନ୍ତ୍ରୀମାନଙ୍କ ସହ ପ୍ରାକ୍‍ ବଜେଟ୍‍ ଆଲୋଚନା କରିଛନ୍ତି। ସେ କେନ୍ଦ୍ର ସରକାରଙ୍କ ସହଯୋଗ ମୂଳକ ସଂଘୀୟ ବ୍ୟବସ୍ଥା ନୀତିର ବ୍ୟାଖ୍ୟା କରି ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବା ଦିଗରେ ସରକାର ନେଇଥିବା ପଦକ୍ଷେପଗୁଡ଼ିକ ବିଷୟରେ ବର୍ଣ୍ଣନା କରିଛନ୍ତି। ରାଜ୍ୟଗୁଡ଼ିକ ଦେଇଥିବା ବିଭିନ୍ନ ପ୍ରସ୍ତାବକୁ ସ୍ୱାଗତ କରି ସେମାନଙ୍କର ପ୍ରସ୍ତାବଗୁଡ଼ିକର ଆମୂଳଚୂଳ ପରୀକ୍ଷା ନିରୀକ୍ଷା କରାଯିବ ଓ ସେଗୁଡ଼ିକ ଉପରେ ଉପଯୁକ୍ତ ବିଚାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ବୈଠକ ସମୟରେ ରାଜ୍ୟଗୁଡ଼ିକୁ ସେମାନଙ୍କର ମତାମତ ଦେବାର ସୁଯୋଗ ମିଳିଥିବାରୁ ସେମାନେ ଏଥିପାଇଁ କୃତଜ୍ଞତା ଜଣାଇଛନ୍ତି।

ରାଜ୍ୟଗୁଡ଼ିକ ଅର୍ଥନୈତିକ ଅଭିବୃଦ୍ଧି, ପୁଞ୍ଜିନିବେଶ, ସମ୍ବଳ ଆବଶ୍ୟକତା ଓ ଆର୍ଥିକ ନୀତି ଆଦି ପ୍ରସଙ୍ଗ ଉପରେ ସେମାନଙ୍କର ମତାମତ ଦେଇଥିଲେ। ଭାରତକୁ ଏକ ୫ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବା ଦିଗରେ ରାଜ୍ୟମାନେ ମଧ୍ୟ ବିଭିନ୍ନ ଉପାୟ ବିଷୟରେ ମତାମତ ଦେଇଛନ୍ତି। ବୈଠକରେ ଗୋଆ, ହରିଆଣା ଓ ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଏବଂ ଅରୁଣାଚଳ ପ୍ରଦେଶ, ବିହାର, ଦିଲ୍ଲୀ, ତାମିଲନାଡୁ ଓ ତ୍ରିପୁରାର ଉପମୁଖ୍ୟମନ୍ତ୍ରୀମାନେ ଯୋଗଦେଇଥିଲେ। ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ।

Comments are closed.