ଚିଙ୍ଗୁଡି କାରଖାନାରେ ଶ୍ରମିକ ମୃତ୍ୟୁ ମାମଲା; ଗୋଳିଆ ପାଣିରେ ମାଛ ମାରିବା ନ୍ୟାୟରେ ରାଜନୈତିକ ଦଳର ପ୍ରତିଯୋଗୀତା ଆରମ୍ଭ

ଗୁଣୁପୁର: ଗୁଣ୍ଟୁର ଚିଙ୍ଗୁଡି ପ୍ରକ୍ରିୟାକରଣ ସଂସ୍ଥାରେ ୬ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ଭଳି ଲୋମହର୍ଷଣକାରୀ ଘଟଣାରେ ୬ ଦିନ ପରେ ଆରମ୍ଭ ହୋଇଛି ରାଜନୈତିକ ଦଳଙ୍କ ଗୋଳିଆ ପାଣିରେ ମାଛ ମାରିବା ଯୋଜନା । ମୃତ୍ୟୁ ପୂର୍ବରୁ ଭୋକ ଉପାସରେ କାଳ କାଟି ସାମାନ୍ୟ ମୋବାଇଲଟିଏ ପାଇଁ ବାହାର ରାଜ୍ୟକୁ ଦାଦାନ ଖଟିବାକୁ ଯିବା ସମୟରେ କିମ୍ବା ମୃତ୍ୟୁ ପରେ ନିଜ ପରିଜନଙ୍କୁ ହରାଇ ନଖାଇ ନପିଇ ଭୋକ ଉପାସରେ ପଡିରହିଥିଲେ । ସେପଟେ କଅଁଳ ବୟସର ପିଲାମାନଙ୍କୁ ହରାଇ ମାନସିକ ଭାରସାମ୍ୟ ହରାଇ ବସିଥିବା ପରିବାର ଲୋକଙ୍କ ପାଖରେ ପହଞ୍ଚି ସାମାନ୍ୟ ସାହାଯ୍ୟ ବା ସମବେଦନା ଜଣେଇବାକୁ ଉଚିତ ମନେ କରି ନ ଥିବା ରାଜନୈତିକ ଦଳ ଗୁଡିକ ଏବେ ଲୁହ ନଥିବା କୁମ୍ଭୀର କାନ୍ଦଣା କାନ୍ଦି ନିଜ ଫାଇଦା ପାଇଁ ପ୍ରୟାସ ଆରମ୍ଭ କରି ଦେଇଛନ୍ତି । ମୃତକ ପରିବାର ସହାୟତା ବାବଦରେ ୧୦ଲକ୍ଷ ୩୦ହଜାର ଟଙ୍କା ସିନା ପାଇଗଲେ ହେଲେ ପ୍ରିୟଜନଙ୍କୁ ହରାଇବା ଦୁଃଖ କିନ୍ତୁ ପରିବାର ଲୋକଙ୍କ ମାନସପଟ୍ଟରୁ ଲିଭିନାହିଁ । ମୃତ ପିଲାମାନଙ୍କ କ୍ରିୟାକର୍ମ କରିବାକୁ ପରିବାର ଲୋକ ସଜବାଜ ହେଉଥିବାବେଳେ ଏବେ ନେତାମାନଙ୍କ ଲମ୍ବା ଲାଇନ ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ସାଜିଛି । ସମସ୍ତଙ୍କ ମୁହଁରେ ଏବେ ଗୋଟିଏ ପ୍ରଶ୍ନ ସେତେବେଳେ ଏମାନେ ଯାଇଥିଲେ କୁଆଡେ ।

ଗୁଣୁପୁର ବରିଷ୍ଠ ବିଜେପି ନେତା ଗଣପତି ରାଓଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଫୁଲଫୁଟି ଓ ଝୁମ୍ପାପୁର ଗ୍ରାମକୁ ଯାଇ ମୃତ ଶ୍ରମିକଙ୍କ ପରିବାର ଲୋକଙ୍କୁ ସମବେଦନା ଜ୍ଞାପନ କରିବା ସହ ଘଟଣାକ୍ରମ ପଚାରି ବୁଝିଥିଲେ । ଓଡିଶା ସରକାରଙ୍କ ଆର୍ଥିକ ସହାୟତା ପର୍ୟ୍ୟାପ୍ତ ନୁହେଁ । ଏମାନଙ୍କ ଘର ଦ୍ୱାର, ଆର୍ଥିକ ସ୍ୱଚ୍ଛଳତା ବି ଭଲ ନାହିଁ ତେଣୁ ତୁରନ୍ତ ରାଜ୍ୟ ସରକାର ମୃତ ଶ୍ରମିକଙ୍କ ପରିବାର କୁ ୧୦ ଲକ୍ଷ ଟଙ୍କା ଓ ଆହାତ ଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି । ଏଥିସହ ସରକାରଙ୍କ ବିଭିନ୍ନ କଲ୍ୟାଣ ମୂଳକ ଯୋଜନାରେ ଏହି ପରିବାରକୁ ଅନ୍ତର୍ଭୁକ୍ତ କରିବାକୁ ଅନୁରୋଧ ଜିଲ୍ଲା ପ୍ରଶାସଙ୍କୁ ଅନୁରୋଧ କରିଛନ୍ତି । ରାଜ୍ୟ ସରକାରଙ୍କ ଶ୍ରମବିଭାଗ ର ଅପାରଗତା, ସ୍ଥାନୀୟ ଅଞ୍ଚଳରେ ରୋଜଗାର ସୃଷ୍ଟି ନ ହୋଇ ପାରିବାରୁ ଏଭଳି ଅମାନୁଷିକ ଘଟଣା ଘଟିଗଲା ବୋଲି ବିଜେପି କହିଛି । ଆଜିର ଏହି ଟିମରେ ବିଜେପି ନଗର ସଭାପତି ଶ୍ରୀନିବାସ ସ୍ୱାଇଁ, ପୃଥ୍ୱୀରାଜ ପାଢ଼ୀ, ବିଦ୍ୟାଧର ଶବର, ଫାଲଗୁନି ଶବର, ଅମର ସାହୁ, ତ୍ରିପତି ଶବର, କୀର୍ତ୍ତି ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ସେହିଭଳି ସିପିଆଇ ଏମଏଲ(ଲିବରେସନ) ପକ୍ଷରୁ ଶ୍ରୀମିକ ନେତା ତ୍ରିପତି ଗମାଙ୍ଗଙ୍କ ନେତୃତ୍ବରେ ମଧ୍ୟ ଏକ ଟିମ ଫୁଲଫୁଟି ଏବଂ ଝୁମ୍ପାପୁର ଗାଁକୁ ଯାଇ ମୃତକ ପରିବାରକୁ ୫୦ଲକ୍ଷଟଙ୍କା ସହୟତା ପ୍ରଦାନ କରିବା ସହ ପରିବାରର ଜଣକୁ ଚାକିରୀ ଓ ପାଠପଢୁଥିବା ପିଲାମାନଙ୍କୁ ମାଗଣା ମୋବାଇଲ ପ୍ରଦାନ ଦାବୀ ରଖିଛି । ଗୁଣପୁର ବିଧାୟକ ରଘୁନାଥ ଗମଙ୍ଗ ଘଟନା ସ୍ଥଳରେ ପହଞ୍ଚି ଗୁଣ୍ଟୁର ଜିଲ୍ଲା ପ୍ରଶାସନ ମାଧ୍ୟମରେ ଆନ୍ଧ୍ର ସରକାର, ମିଲ ମାଲିକ ସହ ଆଲୋଚନା କରି ପରିବାର ପିଛା ୮ ଲକ୍ଷ ଟଙ୍କାର ଆର୍ଥିକ ସହାୟତାକୁ ମିଳିବା ଦିଗଲେ ପ୍ରୟାସ କରିବା ନେଇ ଚର୍ଚା ଜୋର ଧରିଥିବା ବେଳେ ଏଠି ମଧ୍ୟ ବିଧାୟକଙ୍କୁ ତୃତୀୟ ମହଲରୁ ନିର୍ଦ୍ଦେଶ ମିଳି ନ ଥିଲେ ହୁଏତ ବିଧାୟକ କଣ ଯାଇନଥାନ୍ତେକି ବୋଲି ପ୍ରଶ୍ନ ଉଠିଛି । ତଥାପି ବିଧାୟକଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶଂସା ଜୋର ଧରିଛି । ସବୁଠାରୁ ବଡକଥା ଘଟଣା ଘଟିବାପରେ ଆନ୍ଧ୍ରର ଗୁଣ୍ଡୁରୁ ଜିଲାପାଳ, ଏସପି, ଏଏସପି, ତହସିଲଦାର ଦୁଇଦିନ କାଳ ଶବ ବ୍ୟବଚ୍ଛେଦ ଠାରୁ ଆରମ୍ଭ କରି କ୍ଷତିପୂରଣ ଦେବା ପର୍ୟ୍ୟନ୍ତ ଘଟଣା ସ୍ଥଳରେ ରହି ସମସ୍ତ ବ୍ୟବସ୍ଥାକୁ ସୂଚାରୁ ରୂପେ ପରିଚାଳନା କରିଥିଲେ । ହେଲେ ପଡୋଶୀ ରାଜ୍ୟରେ ଆମ ଜିଲ୍ଲାର ୫ ଜଣ ମୃତ୍ୟୁ ବରଣ କଲେ ଆମର ଜଣେ ମଧ୍ୟ ପ୍ରଶାସନିକ ଅଧିକାରୀଙ୍କୁ ଘଟଣାସ୍ଥଳକୁ ପଠା ଗଲା ନାହିଁ । ଯଦିଓ ଶ୍ରମିକଙ୍କ ଶବ ବ୍ୟବଛେଦଠାରୁ ଆରମ୍ଭ କରି ମୃତଦେହକୁ ଭିଟାମାଟିକୁ ଆଣିବା ସ୍ଥାନୀୟ ପ୍ରଶାସନର ଦାୟିତ୍ଵ ରହିଥିବା ବେଳେ କାହିଁକି କେଜାଣି ଆନ୍ଧ୍ର ଯିବାକୁ ଉଚିତ ମନେ କଲାନି ଜିଲ୍ଲା ପ୍ରଶାସନ । ଏପରିକି ଜିଲାସ୍ତରୀୟ କିମ୍ବା ଉପଖଣ୍ଡସ୍ତରୀୟ ଅଧିକାରୀ ଜଣେ ହେଲେ ଦୁର୍ଘଟଣାସ୍ଥଳକୁ ଯିବାତ ଦୂରର କଥା ୩୩ ଜଣ ନିର୍ୟ୍ୟାତିତ ଦାଦାନ ଶ୍ରମିକ ଓ ମୃତକ ପରିବାରବର୍ଗ ଗୁଣପୁର ଆସିଥିବାବେଳେ ସେମାନଙ୍କୁ ଭେଟି ସମବେଦନା ଜଣାଇବା ପାଇଁ ଉଚିତ ମନେ କଲେନି । ଏହାକୁ ନେଇ ସାରା ଜିଲ୍ଲାରେ ଏବେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

Comments are closed.