ସିକାଗୋରୁ ଆଜି ଫେରିବେ ୧୫୦ ପ୍ରବାସୀ

ଭୁବନେଶ୍ବର : କୋଭିଡ-୧୯ ପରିପ୍ରେକ୍ଷୀରେ ଲକ୍ଡାଉନ୍ ଯୋଗୁ ବିଦେଶରେ ଫସି ରହିଥିବା ପ୍ରବାସୀ ଭାରତୀୟଙ୍କୁ ଦେଶକୁ ଫେରାଇ ଆଣିବା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ପ୍ରକ୍ରିୟା ଜାରି ରଖିଛନ୍ତି । ‘ବନ୍ଦେ ଭାରତ ମିଶନ’ ଅଧୀନରେ ଏହି ଅନୁକ୍ରମରେ ଶନିବାର ଆମେରିକାର ଚିକାଗୋରୁ ଓଡ଼ିଶାକୁ ଫେରିବେ ୧୫୦ ପ୍ରବାସୀ। ଏୟାର ଇଣ୍ଡିଆର ଏକ ବିମାନରେ ଏହି ପ୍ରବାସୀମାନେ ଭାୟା ନୂଆଦିଲ୍ଲୀ ହୋଇ ନିଜ ରାଜ୍ୟକୁ ଫେରିବେ। ତେବେ ପ୍ରବାସୀଙ୍କୁ ଫେରାଇ ଆଣିବାରେ ଆମେରିକାରୁ ଏହା ହେଉଛି ପ୍ରଥମ ବିମାନ। ଚିକାଗୋରୁ ଗୁରୁବାର ଦିନ ୧୧ଟା ୩୦ ମିନିଟ୍ରେ ୩୦୦ ଯାତ୍ରୀଙ୍କୁ ଧରି ଏୟାର ଇଣ୍ଡିଆର ଏକ ବିମାନ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ଏହି ବିମାନ ଆଜି (ଶୁକ୍ରବାର) ରାତି ୨ଟା ସମୟରେ ନୂଆଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବ । ସେଠାରୁ ବିମାନରୁ ୧୫୦ ଜଣ ଯାତ୍ରୀ ଓହ୍ଲାଇଯିବେ । ଏହାପରେ ବିମାନଟି ଭୁବନେଶ୍ବର ଅଭିମୁଖେ ଯାତ୍ରା କରି ଏଠାକାର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଶନିବାର ଭୋର ୪ଟା ୩୦ ମିନିଟ୍ରେ ଅବତରଣ କରିବାର କାର୍ଯ୍ୟକ୍ରମ ରହିଛି ା ଏହାପରେ ଭୁବନେଶ୍ବରରେ ଓଡ଼ିଶାକୁ ଆସିଥିବା ୧୫୦ ପ୍ରବାସୀ ଓହ୍ଲାଇଯିବେ ।
ଅନ୍ୟପକ୍ଷେର ଆଜି କେଲାମ୍ବୋରୁ ୧୭୭ଜଣ ଭାରତୀୟଙ୍କୁ ନେଇ ଏୟାର ଇଣ୍ଡିଆର ଏଆଇ-୦୨୭୬ ବିମାନ ଆସିଛି । ଏହି ବିମାନରେ ମୁମ୍ବଇ, କଲକାତା ଏବଂ ଭୁବନେଶ୍ବରକୁ ପ୍ରବାସୀ ଆସିଛନ୍ତି । ଭାୟା ମୁମ୍ବଇ ହୋଇ ଏହି ବିମାନ ଶୁକ୍ରବାର ଦିନ ୧୨ଟା ୧୭ ମିନିଟ୍ରେ ୮ଜଣ ପ୍ରବାସୀଙ୍କୁ ନେଇ ଭୁବନେଶ୍ବର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଥିଲା ।