ଦ୍ରୌପଦୀଙ୍କ ଚରିତ୍ର ଓ ସଂକଳ୍ପ ନାରୀ ଜାତିକୁ ପ୍ରେରଣା : ସୀତାକାନ୍ତ ମହାପାତ୍ର

0

ପାଠକୀୟ ଆଦୃତି ଶ୍ରେଷ୍ଠ ପୁରସ୍କାର : ଡ.ପ୍ରତିଭା ରାୟ
ଭୁବନେଶ୍ୱର : ଜୀବନରେ ଅନେକ ଉପନ୍ୟାସ ଲେଖିଛି, ହେଲେ ‘ଯାଜ୍ଞସେନୀ’ ଏଭଳି ଭାବେ ପାଠକଙ୍କ ଆଦୃତ ହେବ ବୋଲି ଜାଣିି ନଥିଲି। ଜଣେ ଲେଖକ ଜନପ୍ରିୟ କିମ୍ବା ଧନ ଓ ଯଶ ଆଶାରେ ଉପନ୍ୟାସ ଲେଖି ନଥାଏ। ଉପନ୍ୟାସ ଲେଖିବା ସମୟରେ ଚରିତ୍ର ଓ ଶବ୍ଦର ସଂଯୋଜନାରେ ମିଜିଥାଏ ଓ ହଜିଥାଏ ବୋଲି କହିଛନ୍ତି ବିଶିଷ୍ଟ ଲେଖିକା ତଥା ଔପନାସିକା ଓ ଜ୍ଞାନପୀଠ ବିଜୟିନୀ, ମୂର୍ତ୍ତିଦେବୀ ପୁରସ୍କାରପ୍ରାପ୍ତ ଡ. ପ୍ରତିଭା ରାୟ।
ଆଦ୍ୟ ପ୍ରକାଶନୀ ଓ ପ୍ରତିଭା ରାୟ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ଯାଜ୍ଞସେନୀର ଶତତମ ସଂସ୍କରଣ ଉନ୍ମୋଚନ ଉତ୍ସବରେ ଡ. ରାୟ କହିଛନ୍ତି ଯେ ୨୩ଟି ଉପନ୍ୟାସ ମଧ୍ୟରୁ ଯାଜ୍ଞସେନୀ ୧୪ତମ ଉପନ୍ୟାସ। ପ୍ରଥମ ଉପନ୍ୟାସ ଲେଖିବା ଭଳି ଯାଜ୍ଞସେନୀ ଲେଖିଥିଲି। ତେବେ ଏହା ଓଡ଼ିଶା ମାଟିରୁ ଆରମ୍ଭ କରି ବିଶ୍ବବାସୀଙ୍କ ନିକଟରେ ଏତେଦୂର ଆଦୃତ ହୋଇ ଶତତମ ସଂସ୍କରଣ ହେବ ବୋଲି ଜାଣି ନଥିଲି ବୋଲି ଡ. ରାୟ କହିଥିଲେ। ଜନପ୍ରିୟ, ଧନପ୍ରିୟ କିମ୍ବା ପୁରସ୍କାର ପାଇବା ଆଶାରେ ଲେଖକ କେବେ ସାହିତ୍ୟ ରଚନା କରି ନଥାଏ। ମାଟିରେ ବସି ରକ୍ତରେ ଲେଖେ ସାହିତ୍ୟ। ଯଦି ମାନବ ସଂସ୍କୃତି ସହିତ ଜଡ଼ିତ ହୋଇ ରସ ସଂଗ୍ରହ କରିବ ତେବେ ଯାଇ ସ୍ରଷ୍ଟାର ସୃଷ୍ଟି ଦିଗ୍‌ବଳୟକୁ ଛୁଇଁବ ବୋଲି ଡ. ରାୟ କହିଛନ୍ତି। ଲେଖକ ପ୍ରଶାସକ, ଅନୁବାଦକ, ବିତରକ ହେଉଛନ୍ତି ସାହିତ୍ୟର ଚାରୋଟି ସ୍ତମ୍ଭ। ଯାଜ୍ଞସେନୀର ଶତତମ ସଂସ୍କରଣ ଡିସେମ୍ବର ୩୦ରେ ହେଉଥିବାରୁ ପ୍ରତିବର୍ଷ ଏହିଦିନଟିକୁ ପାଠକ ଦିବସ ଭାବେ ପାଳନ କରିବାକୁ ସେ ଆହ୍ବାନ ଦେଇଛନ୍ତି ା
ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପଦ୍ମଭୂଷଣ ସୀତାକାନ୍ତ ମହାପାତ୍ର କହିଥିଲେ ଯେ ମହାଭାରତର ଅଦ୍ବିତୀୟ ଚରିତ୍ର ଦ୍ରୌପଦୀ କେବଳ ପଞ୍ଚୁପାଣ୍ଡବଙ୍କ ପତ୍ନୀ ନ ଥିଲେ; ତାଙ୍କର ଅଦ୍‌ଭୂତ ଚରିତ୍ର ଓ ସଂକଳ୍ପ ନାରୀ ଜାତି ପାଇଁ ଏକ ପ୍ରେରଣା। ଓଡ଼ିଆ ଉପନ୍ୟାସ ମଧ୍ୟରେ ଯାଜ୍ଞସେନୀ ଏକ କ୍ରାନ୍ତିକାରୀ ଉପନ୍ୟାସ। ଏହାକୁ ନେଇ ଓଡ଼ିଶାର ସାହିତ୍ୟପ୍ରେମୀ ଗର୍ବ କରିବା କଥା। ଏହା ଡ. ରାୟଙ୍କ ଏକ ପ୍ରିୟ ଉପନ୍ୟାସ। ଏହି ପୁସ୍ତକର ଚିତ୍ର ଓ ଚରିତ୍ର, ପାଠକ, ପ୍ରକାଶକ ଓ ଅନୁବାଦକଙ୍କୁ ଆକୃଷ୍ଟ କରୁଥିବାରୁ ଶତତମ ସଂସ୍କରଣରେ ପାଦଦେଇ ଓଡ଼ିଆ ଉପନ୍ୟାସର ପ୍ରଥମ ସ୍ଥାନ ନେଇଛି ବୋଲି ଶ୍ରୀ ମହାପାତ୍ର କହିଥିଲେ। ଉପନ୍ୟାସର ସମୀକ୍ଷା କରି ପୂର୍ବତନ ଓଡ଼ିଆ ପ୍ରଫେସର ଡ. ବସନ୍ତ କୁମାର ପଣ୍ଡା କହିଥିଲେ ଯେ ଚିରକାଳର ମହତ୍ତମ କୃତି ବ୍ୟାସଦେବଙ୍କ ମହାଭାରତର ଦ୍ରୌପଦୀ ଚରିତ୍ର ସୃଷ୍ଟିର ଶହ ଶହ ବର୍ଷ ପରେ ସାରଳା ଦାସଙ୍କ ମହାଭାରତ ଅନେକ ବର୍ଷ ପରେ ଊନବିଂଶ ଶତାବ୍ଦୀର ଶେଷ ପାହାଚରେ ଏକ ଲୌକିକ ଓଡ଼ିଆ ଭାଷାରେ ଲିଖିତ ଯାଜ୍ଞସେନୀ ବହୁଭାଷାରେ ଅନୁବାଦିତ ହୋଇଛି। କେବଳ ସେତିକି ନୁହେଁ ଚିତ୍ର, ନାଟ୍ୟ ଓ କଳାକୁ ନେଇ ସମଗ୍ର ଭାରତ ବର୍ଷରେ ଓ ବିଦେଶରେ ଥିବା ଭାରତୀୟଙ୍କ ମନରେ ଏକ ଯୁଗାନ୍ତକାରୀ ଆଲୋଡନ ସୃ‌ଷ୍ଟି କରି ପାରିଛି। ଯଜ୍ଞ ଶମ୍ଭୁତା ପ୍ରତିଶୋଧ ଅଗ୍ନିରେ ପ୍ରଜ୍ବଳିତ ଧର୍ମର ପ୍ରତିଷ୍ଠା ପାଇଁ ସଂକଳ୍ପବଦ୍ଧ ଯାଜ୍ଞସେନୀ ଅନ୍ୟାୟ ଅନୀତି ବିରୋଧରେ ନାରୀ ଶକ୍ତିର ପ୍ରତୀକ ବୋଲି ଶ୍ରୀ ପଣ୍ଡା କହିଥିଲେ।
ଏଥିରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ ଭଟ୍ଟାଚାର୍ଯ୍ୟ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଯାଜ୍ଞସେନୀର ଇଂରାଜୀ ଅନୁବାଦ କରିବା ପଛରେ ଯେଉଁ ଅଭିଳାଷ ଥିଲା ତାହା ସେ ବ୍ୟକ୍ତ କରିଥିଲେ। ଏଥିରେ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ ା ପ୍ରକାଶିକା ମୀରା ଯୋହରୀ ପ୍ରମୁଖ ଯୋଗଦେଇ ଉପନ୍ୟାସର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ପ୍ରତିଭା ରାୟ ଫାଉଣ୍ଡେସନ ଟ୍ରଷ୍ଟର ଏକ ଲୋଗୋ ଉନ୍ମୋଚିତ ହୋଇଥିଲା। ମଗ୍ନବାଟୀ ଉପନ୍ୟାସର ହିନ୍ଦୀ ଅନୁବାଦିତ ପୁସ୍ତକ ଓ ଡ. ରାୟଙ୍କ କଲେଜ ଜୀବନର ଗପ ପୁସ୍ତକ ଉନ୍ମୋଚିତ ହୋଇଥିଲା। ଦେବପ୍ରସାଦ ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଆଦ୍ୟାସା ଦାସ ଟ୍ରଷ୍ଟ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ ବିଶିଷ୍ଟ ଚିତ୍ରଶିଳ୍ପୀ ସୁମନ ପଟ୍ଟନାୟକ ଓ ପ୍ରକାଶକ ଅଶୋକ ମହାନ୍ତିଙ୍କୁ କଳା ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା। ଅରୁଣ କୁମାର ମିଶ୍ର, ସୌମ୍ୟକାନ୍ତ ଖଣ୍ଡାଇ, ସତ୍ୟନାରାୟଣ ଚୌଧୁରୀ ଓ ଅକ୍ଷୟକୁମାର ନାୟକଙ୍କୁ ପୁସ୍ତକ ପ୍ରସାର ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା।

Leave A Reply