www.samajalive.in
Monday, December 15, 2025
27.1 C
Bhubaneswar

ପ୍ରତିଭା ରାୟଙ୍କ ‘ପ୍ରାପ୍ତେଷୁ ପୃଥିବୀ’ ଲୋକାର୍ପିତ : ‘ଜୀବତତ୍ତ୍ବ ବୁଝିବାକୁ ହେଲେ ପୃଥିବୀର ସଂରଚନା ଅନୁଶୀଳନ ଜରୁରୀ’

ଭୁବନେଶ୍ୱର : ସୁନ୍ଦର ପୃଥିବୀ ଯୋଗୁଁ ମାନବ ସଭ୍ୟତାର ସୃଷ୍ଟି। ମାନବ ଜାତି ସବୁକିଛି ଏହି ଧରାପୃଷ୍ଠରୁ ପାଇଛି। ଜୀବତତ୍ତ୍ବ ବୁଝିବାକୁ ହେଲେ ଆମକୁ ପ୍ରଥମେ ପୃଥିବୀର ସଂରଚନା ବୁଝିବାକୁ ହେବ। ଏହା ଆମକୁ କ’ଣ ବାର୍ତ୍ତା ଦେଉଛି ତାହା ଉପଲବ୍ଧି ତଥା ଅନୁଶୀଳନ କରିବାର ଆବଶ୍ୟକତା ରହିଛି। ଆମର ପୃଥିବୀକୁ କ’ଣ ଫେରାଇବା ଆବଶ୍ୟକ, ଏହା ପ୍ରତି ଆମ କ’ଣ କର୍ତ୍ତବ୍ୟ ରହିଛି ତାହା ବିଚାର କରିବାର ସମୟ ଆସିଛି ବୋଲି ବିଶିଷ୍ଟ କବି ପଦ୍ମବିଭୂଷଣ ଡ. ସୀତାକାନ୍ତ ମହାପାତ୍ର କହିଛନ୍ତି।
ରବିବାର ପୁଲିସ ଭବନଠାରେ ଜ୍ଞାନପୀଠ ପୁରସ୍କାର ବିଜୟିନୀ ବିଶିଷ୍ଟ ଲେଖିକା ପ୍ରତିଭା ରାୟଙ୍କ ୨୩ତମ ଉପନ୍ୟାସ ‘ପ୍ରାପ୍ତେଷୁ ପୃଥିବୀ’ ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଡ. ମହାପାତ୍ର କହିଥିଲେ ପୃଥିବୀ ଓ ମାନବବାଦ ମଧ୍ୟରେ ଥିବା ସମ୍ପର୍କ ଏବଂ ଏହାର ଅର୍ଥକୁ ଅତି ପ୍ରାଞ୍ଜଳ ଭାବେ ଏହି ଉପନ୍ୟାସରେ ସ୍ଥାନିତ କରାଯାଇଛି। ଡ. ପ୍ରଫୁଲ୍ଲ କୁମାର ମହାନ୍ତିଙ୍କ ସଭାପତିତ୍ବରେ ଆୟୋଜିତ ସମାରୋହରେ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ‘ସମାଜ’ର ସମ୍ପାଦକ ବାମାପଦ ତ୍ରିପାଠୀ କହିଥିଲେ, ପୂର୍ବଭଳି ମାନବଜାତିକୁ ମୃତ୍ୟୁ ଆଉ ଭୟଭୀତ କରୁନାହିଁ। ଏବେ ଜୀବନ-ମୃତ୍ୟୁର ପରିଭାଷା ବଦଳିଛି। ‘ପ୍ରାପ୍ତେଷୁ ପୃଥିବୀ’ ସାହିତ୍ୟ ଭଣ୍ଡାର ପାଇଁ ଏକ ବିଶେଷ ସୃଷ୍ଟି। ଏହି ଉପନ୍ୟାସରେ ସ୍ରଷ୍ଟା କଳ୍ପନା ସହ ସାମାଜିକ ବାସ୍ତବତାକୁ ସ୍ଥାନିତ କରିପାରିଛନ୍ତି। ବିଶ୍ବ ସାହିତ୍ୟ ପାଇଁ ଏହି ଉପନ୍ୟାସ ଏକ ଅନନ୍ୟ ଅବଦାନ ବୋଲି ଶ୍ରୀ ତ୍ରିପାଠୀ କହିଥିଲେ।
କାର୍ଯ୍ୟକ୍ରମରେ ସଭପତିତ୍ବ କରି ଡ. ମହାନ୍ତି କହିଥିଲେ ଯେ ଭୋଗ, ରୋଗ ଓ ମୃତ୍ୟୁ ସହ ସଂଗ୍ରାମ କରି ମାନବ ଜାତି ଏକବିଂଶ ଶତାବ୍ଦୀରେ ପହଞ୍ଚିଛି। ବିଭିନ୍ନ ପ୍ରସଙ୍ଗକୁ ନେଇ ଜୀବନ ଯୁଦ୍ଧ ଚାଲିଛି। ମାନବର ଅନ୍ତର୍ନିହିତ ଶକ୍ତିର ବିକାଶ ପାଇଁ ପୃଥିବୀ ନିକଟରେ ସାମର୍ଥ୍ୟ ରହିଛି। ଶ୍ରୀମତୀ ରାୟଙ୍କ ଉପନ୍ୟାସରେ ପୃଥିବୀର ସାମର୍ଥ୍ୟ, ସଙ୍ଗୀତ, ମୂର୍ଚ୍ଛନା ରହିଛି। ତେବେ ପ୍ରଥମେ ଆମକୁ ଏହାର ଅର୍ଥ ବୁଝିବାକୁ ହେବ। ଏହି ଉପନ୍ୟାସ ନିଶ୍ଚିତ ଭାବେ ପାଠକଙ୍କ ଦ୍ବାରା ଆଦୃତି ଲାଭ କରିବ ବୋଲି ସେ କହିଥିଲେ।
ଡ. ବସନ୍ତ କୁମାର ପଣ୍ଡା ଉପନ୍ୟାସର ସମୀକ୍ଷା କରିଥିଲେ। ଆଦ୍ୟା ପ୍ରକାଶନୀ ଓ ପ୍ରତିଭା ରାୟ ଫାଉଣ୍ଡେସନ ପକ୍ଷରୁ ପ୍ରକାଶିତ ଏହି ଉପନ୍ୟାସକୁ ଲେଖିକା ଶ୍ରୀମତୀ ରାୟ ନିଜ ସହପାଠିନୀ ପ୍ରଫେସର ଅଗସ୍ତି ମହାନ୍ତିଙ୍କୁ ପ୍ରଦାନ କରିଥିଲେ। ଦେବପ୍ରସାଦ ଦାଶଙ୍କ ସଂଚାଳନରେ ଅନୁଷ୍ଠିତ ଏହି ସଭାରେ ଆଦ୍ୟା ପ୍ରକାଶନୀର ଡ. ଆଦ୍ୟାଶା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ମାମଲାର ଚାର୍ଜସିଟ୍ ଦାଖଲ କରିବ ଏନଆଇଏ

ସମାଜ ଲାଇଭ ଡ଼େସ୍କ : ଆଜି ପହଲଗାଓଁ  ଆତଙ୍କବାଦୀ ଆକ୍ରମଣ ଘଟଣାରେ,...

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

Related Articles

Popular Categories