ପ୍ରାଥମିକ ଶିକ୍ଷା ବିପର୍ଯ୍ୟସ୍ତ : ଶିକ୍ଷକ ନାହାନ୍ତି ନାହିଁ ଶ୍ରେଣୀଗୃହ

ବଲାଙ୍ଗୀର : ପାଲି ଗ୍ରାମରେ ଥିବା ଉଚ୍ଚ ପ୍ରାଥମିକ ସ୍କୁଲରେ ଆବଶ୍ୟକ ଶ୍ରେଣୀ କୋଠରୀ ଏବଂ ଶିକ୍ଷକ ଅଭାବ ଯୋଗୁଁ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ  ହୋଇ ପଡିଛି। ଏଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ର/ଛାତ୍ରୀ ପାଠ ପଢୁଥିବା ବେଳେ ମାତ୍ର ୩ ଟି ଛୋଟ ଛୋଟ କୋଠରୀ ରହିଛି। ଗୋଟିଏ ଅଫିସ କୋଠରୀ ଭାବରେ ବ୍ୟବହାର ହେଉଛି ଓ ଅନ୍ୟ ଦୁଇଟିରେ ଆଠ ଟି ଶ୍ରେଣୀର ପିଲାଙ୍କୁ ବସାଇବା ପାଇଁ ସ୍ଥାନର ଅଭାବ ଯୋଗୁଁ ବାରଣ୍ଡାରେ କୌଣସି ପ୍ରକାରେ ପ୍ରଚଣ୍ଡ ଖରା ବର୍ଷାରେ ବସାଇବାକୁ ପଡୁଛି ବୋଲି ପ୍ରଧାନ ଶିକ୍ଷକ ପ୍ରକାଶ କରିଛନ୍ତି। ଏଠାରେ ବହୁ ପୂର୍ବରୁ ଏକ କୋଠରୀ ଅସଂପୂର୍ଣ୍ଣ ଅବସ୍ଥାରେ ପଡି ବର୍ତ୍ତମାନ ଭଗ୍ନ ଅବସ୍ଥାରେ । ତାହା କେଉଁ ଯୋଜନାରେ କେତେ ଅର୍ଥ ବ୍ୟୟରେ ନିର୍ମାଣ କରାଯାଇଥିଲା କେହି ଜାଣି ନାହାନ୍ତି ବୋଲି ସୂଚନା ମିଳିଛି । ଉକ୍ତ ବିଦ୍ୟାଳୟକୁ ଏମସିଏଲ ପକ୍ଷରୁ ଯୋଗାଇ ଦିଆଯାଇଥିବା ପାଇଖାନା ଅତ୍ୟନ୍ତ ନିମ୍ନ ମାନର କାମ ଯୋଗୁଁ ବ୍ୟବହାର ଉପଯୋଗୀ ହୋଇ ନାହିଁ। ସ୍କୁଲରେ ପ୍ରଧାନ ଶିକ୍ଷକ ସମେତ ମାତ୍ର ୩ ଜଣ ଶିକ୍ଷକ କାର୍ଯ୍ୟରତ ଥିବା ବେଳେ ଏଠାରେ ବିଜ୍ଞାନ ଶିକ୍ଷକ ଅଭାବ ନାହାନ୍ତି । ଉକ୍ତ ସ୍କୁଲରେ ପାଠ ପଢାଉଥିବା ଶିକ୍ଷକଙ୍କୁ ଉଚ୍ଚ କର୍ତ୍ତୃପକ୍ଷ ଅନ୍ୟ ସ୍କୁଲକୁ ଡେପୁଟେସନରେ ପଠାଇ ଦେଇଥିବାରୁ ଉକ୍ତ ବିଜ୍ଞାନ ଶିକ୍ଷକ ପଦବୀ ଖାଲି ପଡିଛି ଏବଂ ପିଲାଙ୍କ ପାଠ ପଢାରେ ବାଧା ସୃଷ୍ଟି ହେଉଛି। ଏଥି ପ୍ରତି ଜିଲ୍ଳା ପ୍ରଶାସନ ଦୃଷ୍ଟି ଦେବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବୀ ହେଉଛି।

Comments are closed.