ଜଗନ ମୋହନ ରେଡ୍ଡୀଙ୍କ ପରେ ମମତା ବାନାର୍ଜୀଙ୍କ ପାଇଁ କାମ କରିବେ ପ୍ରଶାନ୍ତ କିଶୋର!

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍‍ସି) ନେତ୍ରୀ ମମତା ବାନାର୍ଜୀ ଗୁରୁବାର ନିର୍ବାଚନୀ ରଣନୀତିକାର ଏବଂ ଜେଡିୟୁର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପ୍ରଶାନ୍ତ କିଶୋରଙ୍କୁ ଭେଟିଛନ୍ତି। ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପ୍ରଶାନ୍ତ କିଶୋର ଏବେ ମମତା ବାନାର୍ଜୀଙ୍କ ପାଇଁ କାମ କରିବେ। ଆନ୍ଧପ୍ରଦେଶ ବିଧାନସଭା ନିର୍ବାଚନରେ ୱାଇଏସ୍‍ଆର କଂଗ୍ରେସ ଅଧ୍ୟକ୍ଷ ଜଗନ ମୋହନ ରେଡ୍ଡୀଙ୍କ ଐତିହାସିକ ବିଜୟ ପଛରେ ପ୍ରଶାନ୍ତ କିଶୋରଙ୍କ ରଣନୀତି ଥିଲା। କଲକତାରେ ମମତା ଏବଂ ପ୍ରଶାନ୍ତ କିଶୋର ୨ ଘଣ୍ଟା ଧରି ଆଲୋଚନା କରିଥିଲେ ।
କୁହାଯାଉଛି ମାସେ ପରେ ପ୍ରଶାନ୍ତ କିଶୋର ମମତାଙ୍କ ପାଇଁ କାମ ଆରମ୍ଭ କରିବେ। ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗରେ ବିଜେପିକୁ ୧୮ଟି ଆସନ ମିଳିବା ପରେ ମମତା ବାନାର୍ଜୀ ଡରିଯାଇଛନ୍ତି। ୨୦୨୧ ବିଧାନସଭା ନିର୍ବାଚନରେ ବିଜେପିକୁ କଡ଼ା ଜବାବ ଦେବା ପାଇଁ ମମତା ବାନାର୍ଜୀ ପ୍ରସ୍ତୁତି ଆରମ୍ଭ କରିଛନ୍ତି।
ପ୍ରଶାନ୍ତ କିଶୋର ହେଉଛନ୍ତି ଜଣେ ଖ୍ୟାତନାମା ନିର୍ବାଚନୀ ରଣନୀତିକାର। ସେ ୨୦୧୪ ଲୋକସଭା ନିର୍ବାଚନରେ ନରେନ୍ଦ୍ର ମୋଦୀଙ୍କ ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ। ୨୦୧୫ରେ ବିହାର ବିଧାନସଭା ନିର୍ବାଚନରେ ସେ ନୀତୀଶ କୁମାରଙ୍କ ପାଇଁ ନିର୍ବାଚନୀ ପ୍ରଚାର ଭାର ସମ୍ଭାଳିଥିଲେ। ୨୦୧୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ସେ କଂଗ୍ରେସକୁ ବିଜୟ ଦେଇପାରିନଥିଲା ବେଳେ ପଞ୍ଜାବରେ ତାଙ୍କ ରଣନୀତି କାର୍ଯ୍ୟ କରିଥିଲା। ପଞ୍ଜାବରେ କଂଗ୍ରେସ କ୍ଷମତାକୁ ଫେରିଥିଲା। ନିକଟରେ ଆନ୍ଧ୍ରପ୍ରଦେଶରେ ଜଗନ ମୋହନ ରେଡ୍ଡୀଙ୍କ ବିଶାଳ ବିଜୟ ପରେ ପୁଣି ତାଙ୍କ ଚାହିଦା ବଢିଯାଇଛି।

Comments are closed.