ମହଙ୍ଗା ପଡ଼ିଲା ବାଲୁଗାଁ ବିଜେପି ସଭାପତିଙ୍କୁ ଚିଲିକା ବିଧାୟକଙ୍କ ମାଡ଼ : ପ୍ରଶାନ୍ତ ବିଜେଡିରୁ ନିଲମ୍ବିତ

ଖୋର୍ଦ୍ଧା ଜିଲା ଯୋଜନା କମିଟିରୁ ବିଦା

ଭୁବନେଶ୍ୱର : ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କୁ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଦଳରୁ ନିଲମ୍ବିତ କରିଛନ୍ତି। ଦଳ ପକ୍ଷରୁ ଆଜି ସନ୍ଧ୍ୟାରେ ଏକ ନିର୍ଦେଶନାମାରେ ଏହି ସୂଚନା ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ ଏତିକିରେ ସୀମିତ ରହିନି। ଶ୍ରୀ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ଜିଲା ଯୋଜନା କମିଟି ଅଧ୍ୟକ୍ଷ ପଦରୁ ମଧ୍ୟ ତୁରନ୍ତ ହଟାଇ ଦିଆଯାଇଛି। ଆଇନକୁ ହାତକୁ ନେବା ଓ ଦଳର ଛବିକୁ ସାଧାରଣରେ କଳୁଷିତ କରିଥିବା କାରଣରୁ ନବୀନ ଏପରି କଠୋର ନିଷ୍ପତ୍ତି ନେଇଥିବା ଦଳ ଭିତରେ ଚର୍ଚ୍ଚା ଚାଲିଛି।
ବାଲୁଗାଁ ବିଜେପି ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ରାସ୍ତା ଉପରେ ମାଡ଼ ମାରିବା ଅଭିଯୋଗରେ ତାଙ୍କ ବିରୋଧରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଶ୍ରୀ ଜଗଦ୍ଦେବ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ କାର୍ଯ୍ୟାଦେଶ ବଣ୍ଟନ ପାଇଁ ଯୋଜନା ରଖିଥିବାବେଳେ ଏହାକୁ ବିଜେପି ପକ୍ଷରୁ ବିରୋଧ କରାଯାଇଥିଲା। ତେବେ ତାଙ୍କୁ ବିରୋଧ କରୁଥିବା ବିଜେପି ନେତା ଓ କର୍ମୀଙ୍କୁ ଶ୍ରୀ ଜଗଦ୍ଦେବ ଆକ୍ରମଣ କରିବା ଘଟଣାର ଚିତ୍ର ସାମାଜିକ ଗଣମାଧ୍ୟମରେ ପ୍ରଚାର ହେବା ପରେ ଏଥିନେଇ ଦଳ ଭିତରେ ଓ ବାହାରେ ବେଶ ଆଲୋଡ଼ନ ସୃଷ୍ଟି ହୋଇଥିଲା। ବିଜେପି ପକ୍ଷରୁ ଏହାର ପ୍ରତିବାଦରେ ଏତଲା ଦିଆଯିବା ସହିତ ଥାନା ଘେରାଉ ମଧ୍ୟ କରାଯାଇଥିଲା।
ତେବେ ଦଳୀୟ ବିଧାୟକଙ୍କ ଏତାଦୃଶ ଆଚରଣରେ ବିଜେଡି ସୁପ୍ରିମୋ ବିରକ୍ତି ପ୍ରକାଶ କରିବା ସହିତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତାଙ୍କୁ ତୁରନ୍ତ ଦଳରୁ ନିଲମ୍ବିତ କରିବା ଓ ସବୁ ଦାୟିତ୍ୱରୁ ଅବ୍ୟାହତି ଦେବାକୁ ପଛାଇ ନାହାନ୍ତି। ଏବେ ବିଧାନସଭା ଚାଲିଥିବାରୁ ଆଇନଶୃଙ୍ଖଳା ପ୍ରସଙ୍ଗ ନେଇ ବିରୋଧୀ ସରକାରଙ୍କୁ ଘେରୁଥିବାବେଳେ ହଠାତ ଜଣେ ବିଧାୟକଙ୍କ ଆଚରଣରେ ସେ କ୍ଷୁବ୍ଧ ହେବା ସହିତ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅନ୍ୟମାନଙ୍କୁ ଦଳୀୟ ଶୃଙ୍ଖଳା ବିଷୟରେ ଚେତାଇ ଦେଇଛନ୍ତି। ଦଳରେ କୌଣସି ପରିସ୍ଥିତିରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସନ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ଏକାଧିକ ଗଣ୍ଡଗୋଳ ଘଟଣାରେ ତାଙ୍କର ସମ୍ପୃକ୍ତି ଥିବା ନେଇ ଅଭିଯୋଗ ହୋଇଆସୁଥିଲା। ପୂର୍ବରୁ ବେଗୁନିଆ ବିଧାୟକ ଥିବାବେଳେ ଶ୍ରୀ ଜଗଦ୍ଦେବ ବୋଲଗଡ଼ର ତହସିଲଦାରଙ୍କୁ ମାଡ଼ ମାରିବା, ବେଗୁନିଆର ପୂର୍ବତନ ସରପଞ୍ଚଙ୍କୁ ଧମକ ଦେବା ପ୍ରଭୃତି ଅଭିଯୋଗ ରହିଥିଲା। ତଥାପି ଗତ ନିର୍ବାଚନରେ ତାଙ୍କୁ ଦଳ ପକ୍ଷରୁ ଚିଲିକାରେ ପ୍ରାର୍ଥୀ କରାଯାଇଥିଲା। ହେଲେ ଶ୍ରୀ ଜଗଦ୍ଦେବ କ୍ଷଣିକ ଉତ୍ତେଜନାର ବଶବର୍ତ୍ତୀ ହୋଇ ଅନେକ ସମୟରେ ସର୍ବସାଧାରଣ ସ୍ଥାନରେ ଗଣ୍ଡଗୋଳ କରିବା ଓ ନିଜ କ୍ଷମତାର ଅପବ୍ୟବହାର କରିବା ଘଟଣା ତାଙ୍କୁ ମହଙ୍ଗା ପଡ଼ିଛି।
ଶ୍ରୀ ଜଗଦ୍ଦେବ କହିଛନ୍ତି ଯେ ବାଲୁଗାଁ ଏନ୍‌ଏସିରେ ଆବାସ କାର୍ଯ୍ୟାଦେଶ ବଣ୍ଟନ କରିବାକୁ ଯାଇଥିବାବେଳେ ବିଜେପି ପକ୍ଷରୁ ବିରୋଧ କରାଯାଇଥିଲା। ଏହାକୁ କେନ୍ଦ୍ର କରି ତାଙ୍କ ସହିତ ଥିବା ବିଜେଡି କର୍ମୀ ଓ ବିଜେପି କର୍ମୀଙ୍କ ଭିତରେ ଧସ୍ତାଧସ୍ତି ହୋଇଥିଲା। ଅନ୍ୟପକ୍ଷରେ ଶ୍ରୀ ଜଗଦ୍ଦେବ ରାସ୍ତା ଉପରେ ବିଜେପି ନଗର ମଣ୍ଡଳ ସଭାପତିଙ୍କୁ ମାଡ଼ ମାରିଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯିବା ସହିତ ତାଙ୍କୁ ଗିରଫ କରିବା ଦାବିରେ ଥାନାରେ ଏତଲା ଦିଆଯାଇଛି। ଏହି ପ୍ରସଙ୍ଗକୁ ନେଇ ଦଳ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯାଇଛି।
ଦଳରୁ ନିଲମ୍ବିତ ହେବା ପରେ ଶ୍ରୀ ଜଗଦ୍ଦେବ ଗଣମାଧ୍ୟମକୁ କହିଛନ୍ତି ଯେ ଦଳର ଶୃଙ୍ଖଳାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଠିକ୍‌ ନିଷ୍ପତ୍ତି ନେଇଛନ୍ତି। ଦଳରୁ ନିଲମ୍ବନ ସଂକ୍ରାନ୍ତରେ ଶ୍ରୀ ଜଗଦ୍ଦେବ ଗଣମାଧ୍ୟମ ଆଗରେ କହିଛନ୍ତି ଯିଏ ଅନ୍ୟାୟ କରିବ ସିଏ ଦଣ୍ଡ ପାଇବ। ତାଙ୍କ ଉପରେ ହୋଇଥିବା ଦଳୀୟ କାର୍ଯ୍ୟାନୁଷ୍ଠାନକୁ ସେ ସମର୍ଥନ କରିଛନ୍ତି।

Comments are closed.