ପ୍ରବାସୀ ଶ୍ରମିକ ହେବାଠାରୁ ଚାଷ କରିବା ଶତଗୁଣେ ଭଲ

ଭୁବନେଶ୍ୱର: କୋଭିଡ-୧୯ ମହାମାରୀର ପ୍ରଥମ ଲହର ସମୟରେ ବିଭିନ୍ନ ରାଜ୍ୟରେ ରହୁଥିବା ପ୍ରବାସୀ ଓଡ଼ିଆ ଶ୍ରମିକମାନେ ଯେଉଁଭଳି ଶହ ଶହ କିଲୋମିଟର ରାଜରାସ୍ତାରେ ନିଜ ପିଲାଛୁଆଙ୍କ ସହିତ ବ୍ୟାଗପତ୍ରକୁ ମୁଣ୍ଡେଇ ଚାଲି ଚାଲି ଆସିଥିଲେ, ସେହି ଦୃଶ୍ୟ ସମସ୍ତଙ୍କ ହୃଦୟକୁ ବିଚଳିତ କରିଦେଇଥିଲା । ତାଲାବନ୍ଦ ଯୋଗୁଁ ବଜାର ଘାଟ ସବୁ ବନ୍ଦ । ଖାଇବାକୁ କିଛି ନାହିଁ, କିମ୍ବା ପାଣିଟୋପେ ପିଇବାକୁ ମଧ୍ୟ ନାହିଁ । ରାସ୍ତାରେ କିଛି ଶ୍ରମିକଙ୍କର ଦୁଃଖଦ ମୃତ୍ୟୁ ମଧ୍ୟ ଘଟିଲା । ଏହିଭଳି ଜଣେ ପ୍ରବାସୀ ଶ୍ରମିକ ଥିଲେ ପ୍ରଶାନ୍ତ ବେହେରା । ଅବଶ୍ୟ କୋଭିଡ ମହାମାରୀ ବ୍ୟାପିବା ପୂର୍ବରୁ ସେ ନିଜ ଭିଟାମାଟିକୁ ଫେରି ଆସିଥିଲେ । ଜଣେ ପ୍ରବାସୀ ଶ୍ରମିକ ଭାବରେ କାମକରି ପରିବାର ପ୍ରତିପୋଷଣ କରିବା କେତେ କଷ୍ଟ ତାହା ସେ ବୁଝି ସାରିଥିଲେ । ସେଥିପାଇଁ ନିଜ ଗାଁକୁ ଫେରି ଚାଷବାସ କରି ପରିବାର ଚଳାଇବାକୁ ସେ ନିଷ୍ପତ୍ତି ନେଇଥିଲେ ।
ଭଦ୍ରକ ଜିଲା ଧୁଷୁରୀ ଅନ୍ତର୍ଗତ ଗାନ୍ଧୀହାଟ ଶାସନର ବାସିନ୍ଦା ପ୍ରଶାନ୍ତଙ୍କର ଶିକ୍ଷାଗତ ଯୋଗ୍ୟତା କେବଳ ମାଟ୍ରିକ । ଚରମ ଦାରିଦ୍ର‌୍ୟ କାରଣରୁ ସେ ବାହାରକୁ ଯାଇ ପ୍ରବାସୀ ଶ୍ରମିକ ଭାବରେ କାମ କରିବାକୁ ବାଧ୍ୟ ହୋଇଥିଲେ । କିନ୍ତୁ ସେଠାରେ ମାଲିକ ତାଙ୍କୁ ଅଧିôକ ସମୟ ଖଟାଇବା ସତ୍ତ୍ୱେ ସେତିକି ପାରିଶ୍ରମିକ ଦେଉନଥିଲେ । ସେଠାରୁ ଫେରିଆସି ଚାଷକାମ କରିବାକୁ ସେ ସ୍ଥିର କରି ଫେରିଲେ, କିନ୍ତୁ ତାଙ୍କର ନିଜସ୍ୱ ଚାଷଜମି ନଥିଲା । ଗାଁର ଅନ୍ୟ କିଛି ଲୋକଙ୍କର ଜମିକୁ ଲିଜ ସୂତ୍ରରେ ନେଇ ସେ ଚାଷ ଆରମ୍ଭ କଲେ । ପାଖାପାଖି ୧.୨୮ ଏକର ଜମିରେ ଧାନ ଏବଂ ୧.୩୨ ଏକର ଜମିରେ ପରିବା ଚାଷ କଲେ । କିନ୍ତୁ ଚାଷବାସରେ ତାଙ୍କର ପୂର୍ବରୁ କିଛି ଅଭିଜ୍ଞତା ନଥିବାରୁ ପାରମ୍ପରିକ ପଦ୍ଧତିରେ ଚାଷରୁ ତାଙ୍କୁ ବିଶେଷ ସଫଳତା ମିଳିଲା ନାହିଁ । ମଝିରେ ମଝିରେ ଫସଲରେ ରୋଗ ପୋକ ନିୟନ୍ତ୍ରଣ, ଚାଷବାସ ସମ୍ପର୍କରେ ସେ ଅନ୍ୟ ଚାଷୀଙ୍କ ଠାରୁ ପରାମର୍ଶ ନେଉଥିଲେ । ସେଥିରୁ ମଧ୍ୟ ତାଙ୍କୁ ବିଶେଷ କିଛି ସୁଫଳ ମିଳୁନଥିଲା । ଥରେ ସେ ରିଲାଏନ୍ସ ଫାଉଣ୍ଡେସନର କୃଷି ସହାୟତା କାର୍ଯ୍ୟକ୍ରମ ସମ୍ପର୍କରେ ଜାଣିବା ପରେ ସେମାନଙ୍କ ସହିତ ଯୋଗାଯୋଗ କରିଥିଲେ । ବିଭିନ୍ନ ସମୟରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ସେ ଅଂଶଗ୍ରହଣ କରିବା ପରେ ସେହି ଜ୍ଞାନକୁ ନିଜ କୃଷିକ୍ଷେତ୍ରରେ ଉପଯୋଗ କରିଥିଲେ । ତାଙ୍କୁ ଭଲ ଅମଳ ସହିତ ଲାଭ ମଧ୍ୟ ମିଳିଲା । ସଂପ୍ରତି ସେ ଜମିରେ ବାଇଗଣ, ବିନ, ବିଲାତି, ଲଙ୍କା, ଶାଗ, ବନ୍ଧାକୋବି ଆଦି ଫସଲ କରୁଛନ୍ତି ଏବଂ ସେଥିରୁ ଭଲ ଆୟ ମିଳୁଛି । ଗତ କୃଷିଋତୁରେ ସେ ପୋଟଳ ଚାଷକରି ୧.୫ ଲକ୍ଷ ଟଙ୍କା ଆୟ କରିଛନ୍ତି ।

Comments are closed.