ବାଟବଣା ‘ପ୍ରସାଦ’ ଯୋଜନା, ଫେରିଯିବ ୭୨ କୋଟି

ପୁରୀ: ପୁରୀ ଜିଲାରେ ବାଟବଣା ହୋଇଛି ପ୍ରସାଦ ଯୋଜନା। ୫ବର୍ଷ ମଧ୍ୟରେ ୭୮କୋଟି ଟଙ୍କା ମଧ୍ୟରୁ ଖର୍ଚ୍ଚ ହୋଇଛି ମାତ୍ର ୩କୋଟି ୭୬ଲକ୍ଷ ଟଙ୍କା। ଦାୟିତ୍ବରେ ଥିବା ଅଧିକାରୀଙ୍କ ଆନ୍ତରିକତାର ଅଭାବ ଯୋଗୁଁ ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ପାଇଁ ମିଳିଥିବା ଟଙ୍କା ଫେରିଯିବାକୁ ବସିଛି।

୨୦୧୫-୧୬ ଆର୍ଥିକ ବର୍ଷରେ ଏହି ଯୋଜନାରେ କେନ୍ଦ୍ର ସରକାର ୫୦କୋଟି ଟଙ୍କା ମଞ୍ଜୁର କରିଥିଲେ। ପ୍ରଥମ ପର୍ଯ୍ୟାୟରେ ସେଥିରୁ ୧୦କୋଟି ଟଙ୍କା ମିଳିଥିଲା। ପୁରୀ ସମୁଦ୍ରକୂଳ ନିକଟସ୍ଥ ଦିଗବାରେଣୀ ଖୁଣ୍ଟି ଛକରେ ପର୍ଯ୍ୟଟନ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ ପାଇଁ ୫କୋଟି ୪୧ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା। ସେଠାରେ ତିନିତାଲା ବିଶିଷ୍ଟ କୋଠା ସମେତ ଗାଡି ପାର୍କିଂ ବ୍ୟବସ୍ଥା କରିବାକୁ ସ୍ଥିର ହୋଇଥିଲା। ବଗଲା ଧର୍ମଶାଳା ପରିସରରେ ଶ୍ରୀଜଗନ୍ନାଥ ବିଶ୍ରାମସ୍ଥଳୀ ନିର୍ମାଣ ପାଇଁ ୨୧କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା। ଏଥିପାଇଁ ଲଜିଂ ହାଉସ ଫଣ୍ଡ କମିଟି ପକ୍ଷରୁ ଧର୍ମଶାଳା ହସ୍ତାନ୍ତର କରାଯାଇଥିଲା। ପୁରୀ ବେଳାଭୂମିର ବିକାଶ ପାଇଁ ୫କୋଟି ୫୬ଲକ୍ଷ ୨୮ହଜାର ୫୨୨, କୋଣାର୍କ ରାମଚଣ୍ଡୀ ମନ୍ଦିର ବିକାଶ ପାଇଁ ୧୦କୋଟି ୪୭ଲକ୍ଷ ୩୧ହଜାର ୪୬, ଶ୍ରୀଗୁଣ୍ଡିଚା ମନ୍ଦିର ପାଇଁ ୫୫ଲକ୍ଷ ୮୮ହଜାର ୪୯୦, କାକଟପୁର ଦେଉଳିମଠ ଏବଂ ପ୍ରାଚୀ ନଦୀବନ୍ଧର ବିକାଶ ନିମନ୍ତେ ୩କୋଟି ୭୩ଲକ୍ଷ ୧୫ହଜାର ୯୫୪, କାକଟପୁର ମା’ମଙ୍ଗଳା ମନ୍ଦିରର ବିକାଶ ପାଇଁ ୨୧ଲକ୍ଷ ୬୩ହଜାର ୧୦୧ ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଥିଲା।

ଜିଲାପାଳଙ୍କ ଅଧ୍ୟକ୍ଷତାରେ ୨୦୧୬ ଅଗଷ୍ଟ ୮ତାରିଖରେ ବିଭିନ୍ନ ବିଭାଗ ଅଧିକାରୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଭାରତୀୟ ପର୍ଯ୍ୟଟନ ଉନ୍ନୟନ ନିଗମ ଦ୍ବାରା ଏହିସବୁ କାର୍ଯ୍ୟ କରାଯିବାକୁ ସେଥିରେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ସମୁଦ୍ରକୂଳ ନିକଟସ୍ଥ ପର୍ଯ୍ୟଟନ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ ପାଇଁ ଜମି ଚିହ୍ନଟ କରାଯିବା ସହ ଓଡ଼ିଶା ଉପକୂଳ ପରିଚାଳନା ପ୍ରାଧିକରଣ ସିଆର୍ଜେଡ କ୍ଲିୟରାନ୍ସ ଦେଇଛନ୍ତି। ଏପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ। ବଗଲା ଧର୍ମଶାଳାର ପୁରୁଣା କୋଠା ଭାଙ୍ଗି ସେଠାରେ ଧର୍ମଶାଳା ପୁନଃନିର୍ମାଣ ତଥା ଶ୍ରୀଜଗନ୍ନାଥ ବିଶ୍ରାମସ୍ଥଳ ପାଇଁ ଭାରତୀୟ ପର୍ଯ୍ୟଟନ ଉନ୍ନୟନ ନିଗମକୁ ଜିଲା ପ୍ରଶାସନ ଦାୟିତ୍ବ ଦେଇଥିଲା।

ଧର୍ମଶାଳା ପୁନଃନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ୨୦୧୯ ସେପ୍ଟେମ୍ବର ମାସରେ ଜିଲା ପ୍ରଶାସନ ହଠାତ ତାହାକୁ ବନ୍ଦକରି ସଂପୃକ୍ତ ଜମିକୁ ୬ଜଣ ଲଜିଂ ମାଲିକଙ୍କୁ ପ୍ଲଟିଂକରି ବିକ୍ରି କରିଥିଲେ। ପୁରୁଣା କୋଠା ଉଚ୍ଛେଦ ଏବଂ ପୁନଃନିର୍ମାଣ କାର୍ଯ୍ୟରେ ପ୍ରାୟ ୨କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି। କାକଟପୁର ମଙ୍ଗଳା ମନ୍ଦିର ଏବଂ ଦେଉଲିମଠର ବିକାଶ କାର୍ଯ୍ୟ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ୫କୋଟି ଟଙ୍କା ମଧ୍ୟରୁ ମାତ୍ର ୩କୋଟି ୭୬ଲକ୍ଷ ଟଙ୍କାର ବିନିଯୋଗ ପ୍ରମାଣପତ୍ର ଦାଖଲ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ୨୦୧୭ ନଭେମ୍ବର ୨୭ରେ ରାଜ୍ୟ ପର୍ଯ୍ୟଟନ ବିଭାଗ ମେଗା ସର୍କିଟ ଯୋଜନାରେ ୭୮କୋଟି ୫୪ଲକ୍ଷ ୭୭ହଜାର ଟଙ୍କାର ସଂଶୋଧିତ ବ୍ୟୟ ଅଟକଳ ପ୍ରସ୍ତୁତ କରିଥିଲା। ରାଜ୍ୟ ସରକାର ଏଥିପାଇଁ ପ୍ରଶାସନିକ ଅନୁମୋଦନ ଦେଇଥିଲେ। କେନ୍ଦ୍ର ସରକାର ୫୦କୋଟି ଏବଂ ରାଜ୍ୟ ସରକାର ୨୮କୋଟି ୫୪ଲ୪ ୭୭ହଜାର ଟଙ୍କା ଦେବାକୁ ସ୍ଥିର କରାଯାଇଥିଲା। ତାହାକୁ ଭିତ୍ତିକରି ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ଶେଷ କରିବାକୁ ରାଜ୍ୟ ସରକାର ପୁରୀ ଜିଲାପାଳଙ୍କୁ ଚିଠି ଲେଖିଥିଲେ। ତେବେ ବଗଲା ଧର୍ମଶାଳା ପୁନଃନିର୍ମାଣ କାର୍ଯ୍ୟ ଜିଲା ପ୍ରଶାସନ ବନ୍ଦକରି ପ୍ରାୟ ୨କୋଟି ଟଙ୍କା ଖର୍ଚ୍ଚପରେ ତତ୍କାଳୀନ ଜିଲାପାଳ ସେହି ପ୍ଲଟର ୩୪୦ ଡେସିମିଲ ଜମି ଲଜିଂ ମାଲିକଙ୍କୁ ହସ୍ତାନ୍ତର କରିବା ପରେ ଜିଲା ପ୍ରଶାସନ ଏବଂ ଜାତୀୟ ପର୍ଯ୍ୟଟନ ଉନ୍ନୟନ ନିଗମ ମଧ୍ୟରେ ବିବାଦର ସୂତ୍ରପାତ ହୋଇଥିଲା।

ପ୍ରସାଦ ଯୋଜନାରେ ଅନ୍ୟ ରାଜ୍ୟକୁ ମିଳିଥିବା କେନ୍ଦ୍ରୀୟ ଅନୁଦାନ ଖର୍ଚ୍ଚ ହୋଇ ଥିବାବେଳେ ସବୁଠୁ ପଛରେ ପଡିଛି ଓଡ଼ିଶା। ଜିଲାର ୭ଟି ପ୍ରକଳ୍ପ ପାଇଁ ୭୮କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲେ ମଧ୍ୟ ମାତ୍ର ୩କୋଟି ୭୬ଲକ୍ଷ ଟଙ୍କା ବିନିଯୋଗ ହୋଇଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। ଏଥିଯୋଗୁଁ ପୁରୀ, କୋଣାର୍କ ଏବଂ କାକଟପୁରର ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ଅଧାରେ ଅଟକି ରହିଛି।

Comments are closed.