ଭେଣ୍ଟିଲେଟରରେ କରୋନା ସଂକ୍ରମିତ ପ୍ରଣବ ମୁଖାର୍ଜୀ

ନୂଆଦିଲ୍ଲୀ/ମୁମ୍ବଇ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କରୋନା ଭୂତାଣୁ ସଂକ୍ରମିତ ହୋଇଛନ୍ତି। କରୋନା ସଂକ୍ରମିତ ହେବା ସମ୍ପର୍କରେ ପ୍ରଣବ ସୋମବାର ଟୁଇଟ୍ କରି ଜଣାଇବା ସହିତ ଗତ ସପ୍ତାହ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଆଇସୋଲେସନରେ ରହିବାକୁ ନିବେଦନ କରିଛନ୍ତି। ଶ୍ରୀ ମୁଖାର୍ଜୀ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଥିବାର ଅେସ୍ତ୍ରାପଚାର ପାଇଁ ସ୍ଥାନୀୟ ସେନା ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ସେଠାରେ ନିଜର କରୋନା ସ୍ୱାବ ପରୀକ୍ଷା କରାଇଥିଲେ; ଯାହାର ରିପୋର୍ଟ ପଜିଟିଭ ଆସିଛି। ଏହା ସତ୍ତ୍ବେ ସୋମବାର ୮୪ବର୍ଷୀୟ ପ୍ରଣବଙ୍କ ମସ୍ତିଷ୍କରେ ଅେସ୍ତ୍ରାପଚାର ସଫଳ ହୋଇଛି। ଏହି ପରିପ୍ରେକ୍ଷୀରେ ତାଙ୍କୁ ଭେଣ୍ଟିଲେଟର ବ୍ୟବସ୍ଥାରେ ରଖାଯାଇ ଚିକିତ୍ସା ଚାଲିଛି। ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ଦେଶର ରାଷ୍ଟ୍ରପତି ଥିବା ପ୍ରଣବ ମୁଖାର୍ଜୀ କରୋନା ସଂକ୍ରମିତ ହେବା ପରେ ବିଭିନ୍ନ ମହଲରେ ତାଙ୍କର ଆଶୁ ଆରୋଗ୍ୟ କାମନା କରାଯାଇଛି। ସେହିପରି ନିକଟରେ କରୋନା ସଂକ୍ରମିତ ହୋଇଥିବା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ସୋମବାର ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଛନ୍ତି।
ଅପରପକ୍ଷରେ ଶନିବାର ମୁମ୍ବଇର ଲୀଳାବତି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଅଭିନେତା ସଞ୍ଜୟ ଦତ୍ତ ସୋମବାର ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସଞ୍ଜୟ ଶ୍ବାସକ୍ରିୟା କଷ୍ଟ ଅନୁଭବ କରିବାରୁ ଡାକ୍ତରଖାନେର ଭର୍ତ୍ତି ହୋଇଥିଲେ। ସେ କରୋନା ସଂକ୍ରମିତ ବୋଲି ସନ୍ଦେହ କରାଯାଉଥିଲା। ତେବେ ତାଙ୍କର ସ୍ବାବ୍ ନମୁନା ରିପୋର୍ଟ ନେଗେଟିଭ୍ ଆସିଥିଲା।