ଲୋକସଭା ସଦସ୍ୟ ସଂଖ୍ୟା ୧୦୦୦କୁ ବୃଦ୍ଧି କରିବାକୁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ପରାମର୍ଶ

ନୂଆଦିଲ୍ଲୀ: ଲୋକସଭା ସଦସ୍ୟ ସଂଖ୍ୟା ଦୁଇଗୁଣା ବଢ଼ାଇବାକୁ ମତ ରଖିଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ। ଦେଶରେ ଲୋକସଭା କ୍ଷେତ୍ର ସଂଖ୍ୟା ୫୪୩ରୁ ୧୦୦୦କୁ ବୃଦ୍ଧି କରାଯିବା ସହିତ ରାଜ୍ୟସଭାରେ ସଦସ୍ୟ ସଂଖ୍ୟା ମଧ୍ୟ ବଢ଼ାଯିବା ଦରକାର ବୋଲି ମୁଖାର୍ଜୀ କହିଛନ୍ତି। ଦେଶର ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଏହା ଜରୁରୀ ବୋଲି ସେ କହିଛନ୍ତି।

ଇଣ୍ଡିଆ ଫାଉଣ୍ଡେଶନ ଦ୍ବାରା ଆୟୋଜିତ ୨ୟ ଅଟଳ ବିହାରୀ ବାଜପେୟୀ ସ୍ମୃତି ବାଖ୍ୟାନରେ ପୂର୍ବତନ ରାଷ୍ଟ୍ରପତି କହିଛନ୍ତି, ଶେଷଥର ଲୋକସଭା ସଦସ୍ୟ ସଂଖ୍ୟା ୧୯୭୭ରେ ପରିବର୍ତ୍ତନ କରାଯାଇଥିଲା। ୧୯୭୧ ଜନଗଣନା ଅନୁସାରେ ଲୋକସଭା ନିର୍ବାଚନମଣ୍ଡଳୀ ନିର୍ଦ୍ଧାରଣ କରାଯାଇଥିଲା। ସେତେବେଳେ ଦେଶର ଜନସଂଖ୍ୟା ୫୫ କୋଟି ଥିଲା। ସେବେଠାରୁ ଏପର୍ଯ୍ୟନ୍ତ ଦେଶର ଜନସଂଖ୍ୟା ୨ଗୁଣାରୁ ଅଧିକ ବୃଦ୍ଧି ହୋଇଛି। ଏଥିପାଇଁ ଲୋକସଭା କ୍ଷେତ୍ରଗୁଡ଼ିକର ପୁନର୍ଗଠନ ହେବା ଜରୁରୀ।

ପୂର୍ବତନ ରାଷ୍ଟ୍ରପତି ବହୁମତର ଦୁରୁପୋଯୋଗକୁ ନେଇ ମଧ୍ୟ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଆମେ ଚିନ୍ତା କରୁ ଯେ ଯଦି ଗୃହରେ ପୂର୍ଣ୍ଣ ବହୁମତ ମିଳିଯାଏ, ତେବେ ଆମେ କୌଣସି ଉପାୟରେ କିଛି ବି କରିପାରିବା। କିନ୍ତୁ ଏଭଳି ହେବା ଅନୁଚିତ। ଏଭଳି ଲୋକଙ୍କୁ ଜନତା ଅତୀତରେ ଦଣ୍ଡିତ କରିଛନ୍ତି। ସଂସଦୀୟ ଗଣତନ୍ତ୍ରରେ ସ୍ଥିର ସରକାର ଗଠନ ପାଇଁ ବହୁମତ ମିଳିଥାଏ। ଯଦି ପୂର୍ଣ୍ଣ ବହୁମତ ନ ମିଳେ, ତେବେ ଆପଣ ସରକାର ଗଢ଼ିପାରିବେ ନାହିଁ। ପ୍ରଣବ ଆହୁରି କହିଛନ୍ତି, ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ଠିକ୍‌ ନୁହେଁ। ସେ ଏହି ପ୍ରସ୍ତାବକୁ ଅସମର୍ଥନ କରି କହିଛନ୍ତି, ସମ୍ବିଧାନରେ ସଂଶୋଧନ କରି ଏଭଳି କରାଯାଇପାରିବ। କିନ୍ତୁ କ’ଣ ଗ୍ୟାରେଣ୍ଟି ରହିଛି ଯେ, ଭବିଷ୍ୟତରେ ଜନପ୍ରତିନିଧିମାନେ ସରକାର ଉପରେ ଅବିଶ୍ଵାସ କରିବେ ନାହିଁ।

Comments are closed.