ଅନ୍ତଃଚେତନା ଜାଗ୍ରତ ହେଲେ ଆହ୍ବାନର ମୁକାବିଲା କରିବା ସହଜ ହେବ: ରାଜ୍ୟପାଳ

୪୯ତମ ପ୍ରାଣନାଥ ପଟ୍ଟନାୟକ ରାଜ୍ୟସ୍ତରୀୟ ସ୍ମୃତି ସମାରୋହ

ଦେଶର ଆର୍ଥିକ ସ୍ଥିତି ସୁଦୃଢ଼ ରହିଛି: ଶକ୍ତିକାନ୍ତ

ଭୁବନେଶ୍ୱର: ଆମ ଜୀବନ ଏକ ଅଗ୍ନିଶୀଖା ପରି ହେବା ଉଚିତ। ଅଗ୍ନି ଯେପରି ନିରବରେ ଜଳି ଚାଲିଥାଏ, ସବୁ ଯନ୍ତ୍ରଣା ସହି ଚାଲିଥାଏ, କେବଳ ଦୁନିଆକୁ ଆଲୋକିତ କରିବା ପାଇଁ। ଠିକ୍ ସେହିପରି ଦୁନିଆକୁ ନିଜ କର୍ମ ଓ ଜ୍ଞାନର ଆଲୋକରେ ପ୍ରଥ ପ୍ରଦର୍ଶନ ପାଇଁ ନିଜକୁ ପ୍ରସ୍ତୁତ କରିବା ଆବଶ୍ୟକ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି। ଶନିବାର ଜୟଦେବ ଭବନ ଠାରେ ଆୟୋଜିତ ୪୯ତମ ପ୍ରାଣନାଥ ପଟ୍ଟନାୟକ ରାଜ୍ୟସ୍ତରୀୟ ସ୍ମୃତି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଫେସର ଲାଲ୍‌ କହିଥିଲେ ଯେ ସମ୍ପ୍ରତି ଆ​ମେ ‌ ବହୁବିଧାର  ଆହ୍ବାନର ସମ୍ମୁଖୀନ ହେଉଛୁ। ତେବେ ଆମର ଅନ୍ତଃଚେତନାକୁ ଯଦି ଜାଗ୍ରତ କରିପାରିବା ତେବେ ଏପରି ଆହ୍ବାନର ସଫଳ ମୁକାବିଲା କରିହେବ। ଏପରି ଜଣେ ବ୍ୟକ୍ତି ଥିଲେ ପ୍ରାଣନାଥ ପଟ୍ଟନାୟକ। ତାଙ୍କ ମଧ୍ୟରେ ଯେଉଁ ବହ୍ନି ରହିଥିଲା ତାହା ଜନସାଧାରଣଙ୍କୁ ପରିବର୍ତ୍ତନର ବାର୍ତ୍ତା ଦେଉଥିଲା। ସଫଳତା ମିଳିବା ପର୍ଯ୍ୟନ୍ତ ସଂଘର୍ଷ ଜାରି ରଖିବା ପାଇଁ ପ୍ରେରିତ କରୁଥିଲେ। ସେହିପରି ବହ୍ନି ଆମ ମଧ୍ୟରେ ଜାଗ୍ରତ କରିବାର ଆବଶ୍ୟକତା ରହିଛି ବୋଲି ରାଜ୍ୟପାଳ କହିଥିଲେ।
ସମ୍ମାନିତ ଅତିଥି ଭାବେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଗଭର୍ନର ଶକ୍ତିକାନ୍ତ ଦାସ କହିଥିଲେ ଯେ ଦେଶର ଅର୍ଥନୈତିକ ସ୍ଥିତି ଦୁର୍ବଳ ସ୍ତରରେ ପହଞ୍ଚିଛି ବୋଲି କହିବା ଠିକ୍ ନୁହେଁ। ଭାରତର ତୃଣମୂଳ ତଥା ସାମଗ୍ରୀକ ଅର୍ଥନୀତି ବେଶ୍ ସୁଦୃଢ଼ ରହିଛି। ଗତ ୬ ମାସ ମଧ୍ୟରେ କେନ୍ଦ୍ର ସରକାର ଏବଂ ଆରବିଆଇ ଯେଉଁ ସକାରାତ୍ମକ ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ଦେଶର ଅର୍ଥନୀତିକୁ ସୁଦୃଢ଼ କରିବ ଏବଂ ଖୁବ୍ ଶୀଘ୍ର ଆମ ଦେଶ ମାନ୍ଦାବସ୍ଥା ସ୍ଥିତିରୁ ବାହାରି ଆସିବ। ଶ୍ରୀ ଦାସ କହିଥିଲେ ଯେ ଗତକାଲି ଆରବିଆଇ ପକ୍ଷରୁ ଚଳିତ ଆର୍ଥିକ ବର୍ଷ ପାଇଁ କରାଯାଇ ଥିବା ମୁଦ୍ରାନୀତି ସମୀକ୍ଷାରୁ ଜଣାପଡ଼ିଛି ଯେ ଆମର ବିକାଶ ହାର ନିମ୍ନଗାମୀ ରହିଛି। ତେବେ ଆମର ଅର୍ଥନୀତି ମନ୍ଥର ହୋଇଛି ବୋଲି କହିବା ଠିକ୍ ନୁହେଁ। ଦେଶର ସାମଗ୍ରୀକ ଅର୍ଥନୀତି ମଜବୁତ୍ ସ୍ଥିତିରେ ରହିଛି। ଭାରତର ବିତ୍ତିୟ ନିୟଣ୍ଟ ହାର ୩.୩ ପ୍ରତିଶତ ରହିଛି। ସେହିପରି କରେଣ୍ଟ ଆକାଉଣ୍ଟ ନିୟଣ୍ଟ ହାର ୨ ପ୍ରତିଶତ ଥିବାବେଳେ ମୁଦ୍ରାସ୍ପିତି ହାର ୪ ପ୍ରତିଶତ ଅଛି, ଯାହା ଧାର୍ଯ୍ୟ ଲକ୍ଷ୍ୟ ଠାରୁ କମ୍। ତେବେ ଗଚ୍ଛିତ ବୈଦେଶିକ ମୁଦ୍ରା ପରିମାଣ ୪୩୪.୬ ମିଲିୟନ୍ ଆମେରିକୀୟ ଡ଼ଲାର ଅଛି। ଏଥିସହ ଭାରତୀୟ ଅର୍ଥନୀତିର ଅନ୍ୟ ଗୁୁରୁତ୍ବପୂର୍ଣ୍ଣ ମାନକ ମଧ୍ୟ ସୁଦୃଢ଼ ସ୍ଥିତିରେ ଅଛି। ଦେଶର ଆର୍ଥିକ ସ୍ଥିତିକୁ ଅଧିକ ଦକ୍ଷ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଓ ଆରବିଆଇ ବଜେଟ୍‌ରେ ଏବଂ ବଜେଟ୍ ପରେ ଏକାଧିକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। କର୍ପୋରେଟ୍ ଟିକସ ହ୍ରାସ ସହିତ ଅନ୍ୟ ସହାୟତା ପ୍ରଦାନ କରାଯାଇ ଥିବାରୁ ଗତ ସାତ ମାସ ମଧ୍ୟରେ ଅର୍ଥନୀତିରେ ୧.୩୫% ବୃଦ୍ଧି ପରିଲକ୍ଷିତ ହୋଇଛି। ତେଣୁ ଆମେ ଖୁବ୍‌ଶୀଘ୍ର ମାନ୍ଦାବସ୍ଥାରୁ ମୁକୁଳି ଆସିବୁ ବୋଲି ଶ୍ରୀ ଦାସ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ସେ କହିଥିଲେ ଯେ ସ୍ବର୍ଗତ ପ୍ରାଣନାଥ ପଟ୍ଟନାୟକଙ୍କ ସହ ପାରିବାରିକ ସମ୍ପର୍କ ଥିଲା। ସେ ଏପରି ଜଣେ ବ୍ୟକ୍ତି ଥିଲେ ଯିଏ ସବୁବେଳେ ପ୍ରତ୍ୟେକ ଓଡ଼ିଆ ଏବଂ ଦେଶବାସୀଙ୍କ ହିତ କଥା ଚିନ୍ତା କରୁଥିଲେ। ତାଙ୍କ ଆଦର୍ଶ ଆମର ପାଥେୟ ହେବା ଉଚିତ।
ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ ଯେ ଆଜି ସମାଜର ବିଭିନ୍ନ କ୍ଷେତ୍ରରେ ଅବକ୍ଷୟ ଦେଖିବାକୁ ମିଳୁଛି। ଶିକ୍ଷାର ଅଧୋପତ୍ତନ ଘଟୁଛି। ଅଯୋଗ୍ୟ ବ୍ୟକ୍ତି ଏଠି ଯୋଗ୍ୟ ବ୍ୟକ୍ତିର ମାନ୍ୟତା ପାଉଛି। ଏଥିରୁ ଆମକୁ ନିବୃତ୍ତ ରହିବାକୁ ପଡ଼ିବ। ସ୍ବର୍ଗତ ପ୍ରାଣନାଥ ପଟ୍ଟନାୟକ ଯେଉଁ ସାମ୍ୟବାଦ ବିଚାରାଧାରା ଅନୁକରଣ କରୁଥିଲେ ତାହା ଆଜିର ରାଜନେତା ତାହାର ଅନ୍ୟ ଢ଼ଙ୍ଗରେ ଗ୍ରହଣ କରୁଛନ୍ତି। ସବୁ ରାଜନୈତିକ ଦଳ ଏଠି ଦରିଦ୍ରର ତ୍ରାଣକର୍ତ୍ତା ସାଜିଛନ୍ତି। ଏହା ଆମକୁ ଚିନ୍ତା କରିବାକୁ ପଡ଼ିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ପଦ୍ମ ଚରଣ ନାୟକ କହିଥିଲେ ଯେ ପ୍ରାଣନାଥ ପଟ୍ଟନାୟକ ଆଜି ଯଦି ଜିବୀତ ଥାନ୍ତେ ତେବେ ସେ ନିଶ୍ଚିତ ଭାବେ ନିଶା ବିରୋଧି ଆନ୍ଦୋଳନର ନେତୃତ୍ବ ନେଇଥାନ୍ତେ। ସ୍ମୃତି ସମିତିର ସଭାପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତିଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ସମିତିର ସମ୍ପାଦକ ଦିଲିପ୍ ହାଲୀ କହିଥିଲେ ଯେ ପ୍ରାଣନାଥଙ୍କ ନାମରେ ପ୍ରତିଷ୍ଠିତ ପି.ଏନ୍ ମହାବିଦ୍ୟାଳୟ ଖୁବ୍‌ଶୀଘ୍ର ବିଶ୍ବବିଦ୍ୟାଳୟର ମାନ୍ୟତା ପାଇବ। ଏହି ଅବସରରେ ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସଙ୍କୁ ରାଜ୍ୟପାଳ ସମ୍ବର୍ଦ୍ଧିତ କରିଥିଲେ। ସେହିପରି ଶିଶୁ ଭାଓଲିନ ବାଦକ ରାକେଶ ବିଶ୍ବାଳଙ୍କୁ ସମ୍ମାନିତ କରାଯାଇ ଥିଲା।

Comments are closed.