‘ରାଇସିନା’ ସଂସ୍କାରକ ପ୍ରଣବ

ଯେଉଁଠି ରହିଲେ ବି କର୍ମତତ୍ପର ମଣିଷଙ୍କ ପାଇଁ କିଛି ଫରକ୍‍ ପଡ଼େ ନାହିଁ

ଭାରତର ରାଷ୍ଟ୍ରପତି ଭବନ ଓ ରାଷ୍ଟ୍ରପତିଙ୍କ କାର୍ଯ୍ୟ ସମ୍ପର୍କରେ ଜାଣିବାର ଉତ୍ସୁକତା ରଖୁଥିବା ପ୍ରତ୍ୟେକଙ୍କ ପାଇଁ ଏହା ସ୍ବୀକାର୍ଯ୍ୟ ଯେ ଡଃ ଏପିଜେ ଅବଦୁଲ କଲାମଙ୍କୁ ଜନତାଙ୍କ ରାଷ୍ଟ୍ରପତି କୁହାଯାଉଥିଲା; କିନ୍ତୁ ଦେଶର ତ୍ରୟୋଦଶ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ରାଷ୍ଟ୍ରପତି ଭବନ ରାଇସିନା ହିଲ୍‌ର ଦ୍ବାର ଜନତାଙ୍କ ପାଇଁ ଉନ୍ମୁକ୍ତ କରିଦେଇଥିଲେ। ଦୈନିକ ୧୮ଘଣ୍ଟା ବିଭିନ୍ନ କାର୍ଯ୍ୟରେ ମଜ୍ଜି ରହୁଥିବା ପ୍ରଣବ ରାଷ୍ଟ୍ରପତିତ୍ବ କାଳରେ କେବଳ ଦୁର୍ଗାପୂଜା ବ୍ୟତୀତ ଦିନଟିଏ ବି ଛୁଟି ନେଇ ନ ଥିଲେ; ବରଂ ଭବନକୁ ସର୍ବଦା ଚଳଚଞ୍ଚଳ ରଖିବା ସହ ଜନସାଧାରଣଙ୍କ ଆଶା ଆକାଙ୍‍କ୍ଷାର ସ୍ଥଳ କରିପାରିଥିଲେ। ପ୍ରଣବ ବିଭିନ୍ନ ସରକାରୀ ଯୋଜନାର ପ୍ରଥମ ଓ ତୁରନ୍ତ କାର୍ଯ୍ୟାନ୍ୱୟନ କରୁଥିଲେ ରାଷ୍ଟ୍ରପତି ଭବନରେ। ‘ସ୍ୱଚ୍ଛ ଭାରତ’, ‘ବେଟି ବଚାଓ-ବେଟି ପଢ଼ାଓ’ ଭଳି କାର୍ଯ୍ୟକ୍ରମକୁ ପ୍ରଣବ ଭବନ ପରିସରରେ କାର୍ଯ୍ୟକାରୀ କରିଥିଲେ। ‘ସ୍ମାର୍ଟ ସିଟି’ ଯୋଜନା ବି ପ୍ରଥମେ ସେ କାର୍ଯ୍ୟକାରୀ କରିଥିଲେ। ପ୍ରଣବଙ୍କ ମତ ଥିଲା, ସରକାରୀ ଯୋଜନାଗୁଡ଼ିକ ଲୋକଙ୍କ ପାଖକୁ ଯିବା ପୂର୍ବରୁ ପରୀକ୍ଷାମୂଳକ ଭାବେ ପ୍ରଥମେ ରାଷ୍ଟ୍ରପତି ଭବନରେ କାର୍ଯ୍ୟକାରୀ ହେବା ଉଚିତ। ‘ରାଇସିନା ହିଲ୍‍’ ପରିସରରେ ୭୫୦କର୍ମଚାରୀ ଓ ସେମାନଙ୍କ ପରିବାର ସହ ୭ହଜାରରରୁ ଅଧିକ ସଦସ୍ୟ ବାସ କରନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ରାଷ୍ଟ୍ରପତି ଭବନ ସଚିବାଳୟର ପ୍ରାୟ ୨୫୦କର୍ମଚାରୀ। ସେମାନଙ୍କ ସ୍ୱାସ୍ଥ୍ୟରକ୍ଷା ପାଇଁ ‘ଆୟୁଷ ୱେଲନେସ୍‍ ସେଣ୍ଟର’ ଖୋଲିଥିଲେ ପ୍ରଣବ। ୧୯୨୫ମସିହାର ଏକ ପୁରୁଣା କୋଠାକୁ ଏଥିପାଇଁ ପୁନରୁଦ୍ଧାର କରାଯାଇଥିଲା।

ସେ ଭବନ ପରିସରରେ ପ୍ରଥମକରି ଆୟୁର୍ବେଦ, ଯୋଗ, ନ୍ୟାଚୁରୋପାଥି, ହୋମିଓପାଥି, ସିଦ୍ଧ ଓ ୟୁନାନି ଚିକିତ୍ସା କେନ୍ଦ୍ର ଖୋଲିଥିଲେ। ପରିସରର ସବୁଜିମା ତଥା ଐତିହ୍ୟର ସୁରକ୍ଷା ପାଇଁ ପ୍ରଣବ ସର୍ବାଧିକ ଧ୍ୟାନ ଦେଇଥିଲେ। ଏଠାରେ ସୁରକ୍ଷା କର୍ମୀମାନେ ବ୍ୟବହାର କରୁଥିବା ପୁରାତନ ‘ବ୍ୟାଣ୍ଡ ହାଉସ’ ଓ ‘କ୍ଲକ୍‍ ଟାୱାର’ର ପୁନରୁଦ୍ଧାର କରାଇଥିଲେ। ସେ ‘ନବଚକ୍ର କକ୍ଷ’ ନାମରେ ଏକ ମ୍ୟୁଜିୟମ୍‍ ତଥା ‘ସାଇନ୍ସ ଏଣ୍ଡ ଇନୋଭେସନ୍‍ ଗ୍ୟାଲେରୀ’ ପ୍ରତିଷ୍ଠା କରିଥିଲେ। ଏହାକୁ ସେ ‘ରୁମ୍‍ ଅଫ୍‍ ନ୍ୟୁ ଆଇଡିଆସ୍‍’ ବୋଲି କହୁଥିଲେ। ଏଥିରେ ଭବନର ଥ୍ରୀ-ଡି ଇମେଜ୍‍ ରହିଛି। ସେଠାରେ ଏକ ରୋବୋଟିକ କୁକୁର, ୧୬ଟି ସର୍ଭୋ ମୋଟର ରଖାଯାଇଛି। ଏହି ମୋଟରରେ ୱାକିଂ ଓ ସ୍କେଟିଂ କରାଯାଉଛି। ଭର୍ଚୁଆଲ ତବଲା, ଚାବି ବିହୀନ ପିଆନୋ, କିଶୋର ବିଜ୍ଞାନୀମାନଙ୍କ ଦ୍ୱାରା ନିର୍ମିତ ଥ୍ରୀ-ଡି ପ୍ରିଣ୍ଟର, ଟକିଂ ଏଣ୍ଡ ପ୍ଲାନେଟ ୱାଲ ଭଳି ସାମଗ୍ରୀସବୁ ରହିଛି। ଆମେରିକା ଛଡ଼ା ଏପରି ମ୍ୟୁଜିୟମ୍‍ ବିଶ୍ୱରେ ଆଉ କେଉଁଠି ନାହିଁ। ଏଠାରେ ପୂର୍ବତନ ରାଷ୍ଟ୍ରପତିମାନଙ୍କର ଫାଇବର ଗ୍ଲାସ୍‍ ପ୍ରତିମୂର୍ତ୍ତି ସ୍ଥାପନ ସହ ଦୃଶ୍ୟ-ଶ୍ରାବ୍ୟ ମତ ବିନିମୟ ସୁବିଧା ମଧ୍ୟ କରାଯାଇଛି, ଯାହା ପୂର୍ବ ରାଷ୍ଟ୍ରପତିମାନଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ପରିଦର୍ଶକଙ୍କୁ ପ୍ରଦାନ କରିପାରିବ। ଭବନ ପରିସରସ୍ଥ ଡଃ ରାଜେନ୍ଦ୍ର ପ୍ରସାଦ ସର୍ବୋଦୟ ବିଦ୍ୟାଳୟ ଓ ୧୬ଟି ଅନ୍ୟ କୋଠାରେ ପ୍ରତିଷ୍ଠା କରାଯାଇଛି ଏକ ‘ନଲେଜ ହବ୍‍’ ବା ଜ୍ଞାନ କେନ୍ଦ୍ର। ବିଶ୍ୱର ବିଭିନ୍ନ ଶିକ୍ଷାନୁଷ୍ଠାନର ଶ୍ରେଣୀ କକ୍ଷ ସହିତ ଯୋଗାଯୋଗ ବ୍ୟବସ୍ଥା ଏଠାରେ କରାଯାଇଛି। ଏହି ସ୍କୁଲକୁ ସୌରଶକ୍ତି ଚାଳିତ ‘ଗ୍ରୀନ୍‍ ସ୍କୁଲ’ ଭାବେ ଘୋଷିତ।

ଶକ୍ତି ସଂରକ୍ଷଣ ସମ୍ପର୍କିତ ଶିକ୍ଷାଦାନ କାର୍ଯ୍ୟକ୍ରମ ‘ସାଜଗ’, ଶକ୍ତି ଉତ୍ସବ ‘ଉମଙ୍ଗ’ ଭଳି ବହୁ ଉତ୍ସବ ସେଠାରେ ପାଳନ କରାଯାଏ। ରାଷ୍ଟ୍ରପତି ଭବନ ପାଇଁ ସେ ସ୍ୱତନ୍ତ୍ର ୱେବ୍‍ସାଇଟ୍‍ ଓ ମୋବାଇଲ ଆପ୍ଲିକେସନ ବ୍ୟବସ୍ଥା କରାଯାଇଥି​‌ଲେ। ଭବନକୁ ସେ ଶୁକ୍ରବାରଠାରୁ ରବିବାର ପର୍ଯ୍ୟନ୍ତ ଖୋଲା ରଖିବା ବ୍ୟବସ୍ଥା କରିଥିଲେ। ସେ ‘ଇନ୍‍-ରେସିଡେନ୍ସ’ ଶୀର୍ଷକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ, ଯେଉଁଥିକୁ ଉଦୀୟମାନ ଲେଖକ, ଚିତ୍ରକର, ଶିଳ୍ପୀଙ୍କ ସହ ଶିକ୍ଷକ ଓ ଛାତ୍ରଛାତ୍ରୀ ତଥା ନବସ୍ରଷ୍ଟାମାନଙ୍କୁ ନିମନ୍ତ୍ରଣ କରୁଥିଲେ। ‘ଲାଇଫ ଇନ୍‍ ରାଷ୍ଟ୍ରପତି ଭବନ’ ଶୀର୍ଷକ କାର୍ଯ୍ୟକ୍ରମ ଆୟୋଜନ ସହ ଗୁରୁଦିବସ ଅବସରରେ ଭବନ ପରିସରସ୍ଥ ସ୍କୁଲ ପିଲାଙ୍କୁ ‘ଭାରତର ରାଜନୈତିକ ଇତିହାସ’ ସମ୍ପର୍କରେ ପ୍ରତ୍ୟକ୍ଷ ବିସ୍ତୃତ ଶିକ୍ଷାଦାନ କରି ଇତିହାସ ସୃଷ୍ଟି କରିଛନ୍ତି ପ୍ରଣବ। ରାଇସିନା ହିଲ୍ସରେ ଅତ୍ୟାଧୁନିକ ବିଧି ବ୍ୟବସ୍ଥା ଥାଇ ଏକ ଟାଉନ୍‍ସିପ୍‍ ନିର୍ମାଣ କରାଯାଇଛି। ସମଗ୍ର ଅଞ୍ଚଳରେ ମାଗଣା ୱାଇ-ଫାଇ ବ୍ୟବସ୍ଥା କରାଯାଇଛି ଓ ଏଥିପାଇଁ ୨୪ଟି ହଟ୍‍ ସ୍ପଟ୍‍ ରହିଛି। ତାଙ୍କ ଉଦ୍ୟମ ଯୋଗୁଁ ଗୋଟିଏ ବର୍ଷରେ ପ୍ରାୟ ୫ଲକ୍ଷ ଜନତା ରାଇସିନା ହିଲ୍ସ ପରିଦର୍ଶନ କରିଥିବା ପ୍ରକାଶ।

ସବୁଠୁ ବଡ଼ କଥା ହେଉଛି, ପ୍ରଣବ ତାଙ୍କ କାର୍ଯ୍ୟକାଳରେ ଅଫଜଲ ଗୁରୁ, ଅଜମଲ କସାବଙ୍କ ଭଳି ୭ଟି ‘କ୍ଷମା’ ଆବେଦନକୁ ଖାରଜ କରିଛନ୍ତି। ପ୍ରଣବ ରାଷ୍ଟ୍ରପତି ଭବନରେ ଆମେରିକା ରାଷ୍ଟ୍ରପତି ବରାକ ଓବାମା ଓ ରୁଷ୍‍ ରାଷ୍ଟ୍ରପତି ଭ୍ଲାଡିମିର ପୁତିନଙ୍କ ସହ ୭୫ରୁ ଊର୍ଦ୍ଧ୍ବ ରାଷ୍ଟ୍ରମୁଖ୍ୟ ତଥା ରାଷ୍ଟ୍ରୀୟ ଉଚ୍ଚ ପ୍ରତିନିଧିଙ୍କୁ ସ୍ୱାଗତ କରିଛନ୍ତି। ପୂର୍ବରୁ ଡଃ କଲାମ ରାଷ୍ଟ୍ରପତି ଭବନକୁ ‘ପିପୁଲ୍ସ ଭବନ’ରେ ପରିଣତ କରିଥିଲେ। କଲାମଙ୍କର ଭବନରେ ଥିଲା ନିଜସ୍ୱ ଲାଇବ୍ରେରୀ। ସେ ଏହାର ଡିଜିଟାଇଜେସନ୍‍ କରିଥିଲେ। ତାଙ୍କର ଶୋଇବା ଘରକୁ ସମ୍ପୂର୍ଣ୍ଣ ହାଇଟେକ୍‍ କରିଥିଲେ। ସେ ଔଷଧୀୟ ବଗିଚା, ସବୁଜ ଇଲାକା, କିଚେନ୍‍ ଗାର୍ଡନ୍‍, ମ୍ୟୁଜିୟମ, ଗାର୍ଡ଼ଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା।

ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲବେଳେ ପ୍ରଣବଙ୍କୁ ତାଙ୍କର ଜଣେ ବନ୍ଧୁ ପ୍ରଶ୍ନ କରିଥିଲେ- ‘ୟୁ ଆର ଏଣ୍ଟରିଂ ଇନ୍‍ଟୁ ଏ ରିୟଲ୍‍ମ ଅଫ ବୋର୍‍ଡମ୍‍’। ଚଳଚଞ୍ଚଳ ରାଜନୀତିରେ ଏତେକାଳ ରହିବା ପରେ ରାଷ୍ଟ୍ରପତି ଭବନରେ ଆପଣ କ’ଣ କରିବେ? ସେଠି ଅଳସୁଆ ଅନୁଭବ କରିବେ ନାହିଁ ? ସେଇ ମୁହୂର୍ତ୍ତରେ ପ୍ରଣବ ସେ ବନ୍ଧୁଙ୍କୁ କିଛି ଉତ୍ତର ଦେଇନଥିଲେ; କିନ୍ତୁ ପରେ ସୂଚାଇ ଦେଇଥିଲେ ଯେ ବାସ୍ତବ କଥା ସେୟା ନୁହେଁ, ଅନେକ କିଛି କାର୍ଯ୍ୟ ରହିଛି ଜୀବନରେ କରିବା ପାଇଁ। ଯେଉଁଠି ରହିଲେ ବି କର୍ମତତ୍ପର ମଣିଷଙ୍କ ପାଇଁ କିଛି ଫରକ୍‍ ପଡ଼େ ନାହିଁ। ପ୍ରଣବ ନିଜ କାର୍ଯ୍ୟକାଳରେ ଏହାର ଉତ୍ତର ଛାଡ଼ି ଯାଇଛନ୍ତି।

Comments are closed.