‘କାଳ୍ପନିକ ବାହାଦୁରି’ରେ ଦେଶର ମଙ୍ଗଳ ହେବନି: ପ୍ରଣବ ମୁଖାର୍ଜୀ

ନୂଆଦିଲ୍ଲୀ: ଭାରତକୁ ଏଭଳି ନେତାଙ୍କ ଆବଶ୍ୟକତା ରହିଛି, ଯେଉଁମାନେ ଲୋକଙ୍କ ଆଶା ଆକାଂକ୍ଷାକୁ ପୂରଣ କରିପାରିବେ। କାରଣ ‘କାଳ୍ପନିକ ବାହାଦୁରି’ ଦେଶର ନେତୃତ୍ଵ ନେଇପାରିବ ନାହିଁ। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ସୋମବାର ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଏହା କହିଛନ୍ତି।

ପ୍ରଣବ ମୁଖାର୍ଜୀ କହିଛନ୍ତି, ଦେଶକୁ ଗରିବୀରୁ ମୁକ୍ତ କରିବାକୁ ହେଲେ ଲମ୍ବା ରାସ୍ତା ନିର୍ଣ୍ଣୟ କରିବାକୁ ହେବ। ଭାରତର ୧ ପ୍ରତିଶତ ନାଗରିକଙ୍କ ପାଖରେ ଦେଶର ୬୦ ପ୍ରତିଶତ ସମ୍ପତ୍ତି ରହିଥିବାରୁ ସେ ଚିନ୍ତାବ୍ୟକ୍ତ କରିଛନ୍ତି। ଲୋକଙ୍କୁ ଗରିବୀରୁ ମୁକ୍ତ କରିବା ଲାଗି ଉଦ୍ୟୋଗପତିମାନେ ଆଗେଇ ଆସିବାକୁ ପ୍ରଣବ କହିଛନ୍ତି। ଯେଉଁ ଲୋକମାନେ ପଛରେ ପଡ଼ିଯାଇଛନ୍ତି ସେମାନଙ୍କୁ ବିକାଶ ଦୌଡ଼ରେ ସାମିଲ କରିବା ଜରୁରୀ। ଆମକୁ ବର୍ତ୍ତମାନ ଦେଶର ସବୁ କ୍ଷେତ୍ର ଏବଂ କୋଣ ଅନୁକୋଣରେ ଗୁଣବତ୍ତାପୂର୍ଣ୍ଣ ବ୍ୟବସ୍ଥା କରିବା ଉଚିତ।

ସେ ଆହୁରି କହିଛନ୍ତି, ଆମକୁ ବାସ୍ତବରେ ଏକ ସମୃଦ୍ଧ ଏବଂ ବିକଶିତ ରାଷ୍ଟ୍ର ଗଢ଼ିବାକୁ ହେଲେ ଅଧିକ ଯୁବଗୋଷ୍ଠୀ ଆବଶ୍ୟକ। ଯଦିଓ ଭାରତରେ ଯୁବଗୋଷ୍ଠୀଙ୍କର ଅଭାବ ନାହିଁ, ତଥାପି ଆମକୁ ଗୁଣବତ୍ତା ଦୃଷ୍ଟିରୁ ବହୁତ କାମ କରିବାର ଆବଶ୍ୟକତା ରହିଛି। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଅନୁସାରେ, ଅର୍ଥବ୍ୟବସ୍ଥା କ୍ଷେତ୍ରରେ ଭାରତ ବିଶ୍ଵର ୭ମ ଶ୍ରେଷ୍ଠ ରାଷ୍ଟ୍ର। ସଂଯୁକ୍ତ ରାଷ୍ଟର ଏକ ରିପୋର୍ଟ ଆଧାରରେ ପ୍ରଣବ କହିଛନ୍ତି, ୨୦୧୯-୨୦ରେ ଭାରତରେ ଜିଡିପି ବୃଦ୍ଧି ପାଇ ୭.୬ରେ ପହଞ୍ଚିବ ବୋଲି ଅନୁମାନ କରାଯାଇଛି।

Comments are closed.