ନିର୍ବାଚନ ଆୟୋଗଙ୍କ କାର୍ଯ୍ୟଧାରାକୁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ଉତ୍ତମ ରୂପେ ନିର୍ବାଚନ ପରିଚାଳନା କରିଥିବାରୁ ନିର୍ବାଚନ ଆୟୋଗଙ୍କୁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ପ୍ରଶଂସା କରିଛନ୍ତି। ବିଭିନ୍ନ ନିର୍ବାଚନ କମିଶନରମାନେ ଉଚିତ ମାର୍ଗରେ ନିର୍ବାଚନ ପରିଚାଳନା କରୁଥିବାରୁ ଭାରତରେ ଗଣତନ୍ତ୍ର ତିଷ୍ଠି ରହିଛି ବୋଲି ପ୍ରଣବ ମୁଖାର୍ଜୀ କହିଛନ୍ତି। ଏଠାରେ ଏକ ପୁସ୍ତକ ଉନ୍ମୋଚନ ଅବସରରେ ମୁଖାର୍ଜୀ କହିଛନ୍ତି, ଯଦି ଗଣତନ୍ତ୍ର ଆଜି ସଫଳ ହୋଇଛି, ତେବେ ଏହାର ମୁଖ୍ୟ କାରଣ ହେଉଛି ନିର୍ବାଚନ କମିଶନର ସୁକୁମାର ସେନଙ୍କଠାରୁ ଆରମ୍ଭ କରି ବର୍ତ୍ତମାନର ନିର୍ବାଚନ କମିଶନରଙ୍କ ଦ୍ବାରା ଉତ୍ତମ ନିର୍ବାଚନ ପରିଚାଳନା। ତେବେ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟଧାରାକୁ ବିରୋଧୀ ଦଳଗୁଡ଼ିକ କଡ଼ା ସମାଲୋଚନା କରୁଥିବାବେଳେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଏଭଳି ମନ୍ତବ୍ୟ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି କରିଛି।

ମୁଖାର୍ଜୀ କହିଛନ୍ତି, କାର୍ଯ୍ୟପାଳିକା ଦ୍ବାରା ନିଯୁକ୍ତ ସମସ୍ତ ୩ ଜଣ ନିର୍ବାଚନ କମିଶନର ସେମାନଙ୍କ କାର୍ଯ୍ୟ ଭଲ ଭାବେ ସମ୍ପାଦନ କରିଛନ୍ତି। ସେମାନଙ୍କୁ ସମାଲୋଚନା କରାଯାଇ ପାରିବ ନାହିଁ।

ସୂଚନାଯୋଗ୍ୟ, ନିର୍ବାଚନ ସମୟରେ ନିର୍ବାଚନ ଆୟୋଗ ପ୍ରବଳ ସମାଲୋଚନାର ସମ୍ମୁଖୀନ ହୋଇଥିଲେ। ଆଚରଣ ବିଧି ଉଲ୍ଲଂଘନ ନେଇ ଅନେକ ଅଭିଯୋଗ ଆସିଥିଲେ ହେଁ ଆୟୋଗ କମ୍‌ ସଂଖ୍ୟାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଏପରି କି ନିର୍ବାଚନ ଆୟୋଗ ବିଜେପିକୁ ସମର୍ଥନ କରି କାର୍ଯ୍ୟ କରୁଥିବା​‌ ନେଇ କେତେକ ବିରୋଧୀ ଦଳ ଅଭିଯୋଗ ଆଣିଥିଲେ।

Comments are closed.