ସୁଧୁରୁନି ପ୍ରଣବଙ୍କ ସ୍ବାସ୍ଥ୍ୟାବସ୍ଥା

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥାରେ​‌ କୌଣସି ସୁଧାର ଆସୁନାହିଁ। ​‌ସେ ଏବେ ବି ସଙ୍କଟାପନ୍ନ ରହିଛନ୍ତି। ଦିଲ୍ଲୀର ସେନା ହସ୍ପିଟାଲର ଆଇସିୟୁରେ ତାଙ୍କୁ ଭେଣ୍ଟଲେଟର ସପୋର୍ଟରେ ରଖାଯାଇଥିବା ଶୁକ୍ରବାର ସକାଳେ ହସ୍ପିଟାଲ ପକ୍ଷରୁ ବୁଲେଟିନ୍‌ ଜାରି କରାଯାଇ କୁହାଯାଇଛି।

ଏହାର ଦିନକ ପୂର୍ବରୁ ଅର୍ଥାତ ଗୁରୁବାର ପ୍ରଣବଙ୍କ ପୁଅ ତଥା ସାଂସଦ ଅଭିଜିତ ମୁଖାର୍ଜୀ କହିଥିଲେ ଯେ, ବାପାଙ୍କ ଉପରେ ଚିକିତ୍ସାର ପ୍ରଭାବ ପଡ଼ିଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଗତ ଗୁରୁବାର ପ୍ରଣବଙ୍କ ଦେହାନ୍ତ ହୋଇଯାଇଥିବା ନେଇ ଗୁଜବ ପ୍ରଚାରିତ ହୋଇଥିଲା। ଏହାକୁ ନେଇ ଅଭିଜିତ ଅସନ୍ତୋଷ ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ, ଗତ ଅଗଷ୍ଟ ୧୦ ତାରିଖରେ ପ୍ରଣବଙ୍କୁ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ କରୋନାରେ ଆକ୍ରାନ୍ତ ଥିଲେ। ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିବାରୁ ଜୀବନ ରକ୍ଷକ ଅପରେଶନ କରାଯାଇଛି।

Comments are closed.