ପ୍ରମୋଦ: ଏକ ଦିବ୍ୟାଙ୍ଗଙ୍କ କାହାଣୀ;ଜୀବନର ଶ୍ରେଷ୍ଠ ମୁହୂର୍ତ୍ତ, ପିତାମାତାଙ୍କୁ ପଦକ ଉତ୍ସର୍ଗ

ଟୋକିଓ: ସମାଜ ଆଖିରେ ଦିବ୍ୟାଙ୍ଗ। ପରିବାର ପାଇଁ ବୋଝ ନୁହେଁ। ନିଷ୍ଠା, ଏକାଗ୍ରତା, ଆତ୍ମବିଶ୍ବାସ ଥିଲେ ସଫଳତା ଅପହଞ୍ଚ ହୁଏନାହିଁ। ଯାହାକୁ ପ୍ରମାଣିତ କରିଛନ୍ତି ପ୍ରମୋଦ ଭଗତ । ଟୋକିଓ ପାରାଲିମ୍ପିକ୍‌ସରେ ପ୍ରଥମ ଭାରତୀୟ ଭାବେ ସ୍ବର୍ଣ୍ଣ ପଦକ ଜିତି ଭାରତୀୟ ବ୍ୟାଡ଼ମିଣ୍ଟନରେ ନୂଆ ଇତିହାସ ରଚିବା ସହିତ ଯୁବପିଢିଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।

ବରଗଡ଼ ଜିଲା ଅତାବିରାରେ ୧୯୮୪ ଜୁନ୍‌ ୪ରେ ଜନ୍ମ ଗ୍ରହଣ କରିଥିବା ପ୍ରମୋଦ ପିଲାଦିନୁ ପୋଲିଓ ଆକ୍ରାନ୍ତ ଥିଲେ। କୈଳାସ ଚନ୍ଦ୍ର ଭଗତ ଓ କୁୁସୁମ ଦେବୀଙ୍କ ପୁତ୍ର ପ୍ରମୋଦ ୪ବର୍ଷ ହୋଇଥିବା​‌େ​‌ଳ ପୋଲିଓ ଆକ୍ରାନ୍ତ ହୋଇଥିଲେ। ୩ ଭାଇ ଓ ୩ ଭଉଣୀଙ୍କୁ ନେଇ ପରିବାର। କୈଳାସ ଏକ ଧାନ ମିଲ୍‌ରେ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଆର୍ଥିକ ଅବସ୍ଥା ଭଲ ନଥିବାରୁ ପ୍ରମୋଦଙ୍କୁ​‌ ଖେଳକୁଦରେ ସହଯୋଗ କରିପାରିନଥିଲେ। ପ୍ରମୋଦ ବିଦ୍ୟାଳୟରେ ପଢିବା ସମୟରେ ଦୁଇ ସାଙ୍ଗ ଅମିତ ଚୌଧୁରୀ ଓ ପିଣ୍ଟୁ ଶର୍ମାଙ୍କ ସହିତ ମିଶି ଘର ଛାତରେ ବ୍ୟାଡ଼ମିଣ୍ଟନ ଅଭ୍ୟାସ କରୁଥିଲେ। ଘର ପାଖରେ ରହିଥିବା ଏକ ବ୍ୟାଡ଼ମିଣ୍ଟନ କୋର୍ଟରେ ପ୍ରତିଦିନ କିଛି ପିଲା ଅଭ୍ୟାସ କରିଥାନ୍ତି। ପ୍ରମୋଦ ସେଠାରେ ଖେଳିବାକୁ ଆଗ୍ରହ ପ୍ରକାଶ କରିଥିଲେ ମଧ୍ୟ ପୋଲିଓ ଆକ୍ରାନ୍ତ ଥିବାରୁ ସେମାନେ ତାଙ୍କୁ ଖେଳାଉ ନଥିଲେ। ଦିନେ ସେମାନଙ୍କର ଜଣେ ପିଲା ଆସିନଥିବାରୁ ପ୍ରମୋଦଙ୍କୁ ଖେଳିବାକୁ ଡାକିଥିଲେ। ପ୍ରମୋଦ ଭଲ ଖେଳିବା ପ​‌େ​‌ର ତାଙ୍କୁ ସବୁଦିନେ ଖେଳିବାକୁ ସୁଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ସ୍ଥାନୀୟ ଅଞ୍ଚଳରେ ଆୟୋଜିତ ବିଭିନ୍ନ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତାରେ ପ୍ରମୋଦ ଖେଳିବା ସହିତ ଚମ୍ପିଆନ ମଧ୍ୟ ହେଉଥିଲେ। ପ୍ରମୋଦ ସଫଳତାର ଶ୍ରେୟ ପରିବାରକୁ ଦେଇଛନ୍ତି। ବିଶେଷ କରି ଇଶ୍ବରଙ୍କ ଆଶୀର୍ବାଦ, ପରିବାରର ସହଯୋଗ, ପ୍ରଶିକ୍ଷକ ଶିବ ପ୍ରସାଦ ଦାସଙ୍କୁ ପ୍ରମୋଦ ଶ୍ରେୟ ଦେଇଛନ୍ତି । ପାରାଲିମ୍ପିକ୍‌ସରେ ପଦକ ଜିତିବା ନେଇ ସ୍ବପ୍ନ ପିତା ଓ ମାତାଙ୍କ ସ୍ବପ୍ନ ରହିଥିଲା। ଯାହା ଟୋକିଓରେ ସ୍ବପ୍ନ ପୂରଣ ହୋଇଛି । ମୋ ପାଇଁ ଏହା ଶ୍ରେଷ୍ଠ ମୂହର୍ତ୍ତ। ପଦକ ପିତା,ମାତା ଓ ଦେଶବାସୀଙ୍କୁ ଉତ୍ସର୍ଗ କରୁଛି ବୋଲି ପ୍ରମୋଦ କହିଛନ୍ତି।

Comments are closed.