ଖେଳରତ୍ନ ପୁରସ୍କାର ପାଇଁ ପ୍ରମୋଦ ମନୋନୀତ

କଟକ : ଓଡ଼ିଶା ପୁଅ ପ୍ରମୋଦ ଭଗତ ରାଜ୍ୟବାସୀଙ୍କ ପାଇଁ ଆଣିଛନ୍ତି ଆଉ ଏକ ବଡ଼ ଖୁସି ଖବର। ଟୋକିଓ ପାରାଲିମ୍ପିକ୍‌ସରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ପ୍ରମୋଦ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ୨୦୧୯ରେ ଅର୍ଜୁନ ପୁରସ୍କାର ହାସଲ କରିଥିବା ବିଶ୍ବର ଏକ ନମ୍ବର ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ପ୍ରଥମ ଓଡ଼ିଆ କ୍ରୀଡ଼ାବିତ୍‌ ଭାବେ ଖେଳରତ୍ନ ପାଇବାକୁ ମନୋନୀତ ହୋଇଛନ୍ତି।
ଅଗଷ୍ଟ ୨୪ରୁ ଜୁଲାଇ ୫ ପର୍ଯ୍ୟନ୍ତ ଆୟୋଜିତ ଟୋକିଓ ପାରାଲିିମ୍ପିକ୍‌ସରେ ପ୍ରମୋଦ ଏସ୍‌ଏଲ-୩ ପୁରୁଷ ଏକକ ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିିଥିଲେ। ଏହି ସଫଳତା ଲାଗି ପ୍ରମୋଦଙ୍କ ନାମକୁ ଖେଳରତ୍ନ ପୁରସ୍କାର ଲାଗି ଜାତୀୟ କ୍ରୀଡ଼ା ପୁରସ୍କାର ମନୋନୟନ କମିଟି ପକ୍ଷରୁ ସୁପାରିଶ କରାଯାଇଛି । ପୂର୍ବରୁ ଏକାଧିକ ଓଡ଼ିଆ କ୍ରୀଡ଼ାବିତ୍‌ ଅନ୍ୟତମ ସମ୍ମାନଜନକ ଜାତୀୟ କ୍ରୀଡ଼ା ପୁରସ୍କାର ଅର୍ଜୁନ ପୁରସ୍କାର ପାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କେହି ଖେଳରତ୍ନ ପୁରସ୍କାର ପାଇନଥିଲେ। ବରଗଡ ଜିଲା ଅତାବିରାରେ
୧୯୮୦ ଜୁନ୍‌ ୪ରେ ଜନ୍ମ ଗ୍ରହଣ କରିଥିବା ପ୍ରମୋଦ ପିଲାଦିନୁ ପୋଲିଓ ଆକ୍ରାନ୍ତ ହୋଇଥିଲେ। ପୋଲିଓ ଆକ୍ରାନ୍ତ ହୋଇଥିଲେ ମଧ୍ୟ ନିଜକୁ ଅକ୍ଷମତା ନ ଭାବି ସଂଘର୍ଷ କରି ପାରା ବ୍ୟାଡମିଣ୍ଟନର ଶୀର୍ଷ ସ୍ଥାନରେ ପହଞ୍ଚିଛନ୍ତି। ୨୦୧୫ରେ ବିଡବ୍ଲୁଏଫ୍‌ ବିଶ୍ବ ପାରା ବ୍ୟାଡ଼ମିଣ୍ଟନ ଚମ୍ପିଆନସିପ୍‌ର ଯୁଗଳ ପୁରୁଷ ଏସ୍‌ଏଲ-୩ ବିଭାଗରେ ସ୍ବର୍ଣ୍ଣ ଓ ଏକକ ବିଭାଗରେ ରୌପ୍ୟ ପଦକ ଜିତିଥିଲେ। ୨୦୧୭ ବିଡବ୍ଲୁଏଫ୍‌ ବିଶ୍ବ ପାରା ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ପୁରୁଷ ଏସ୍‌ଏଲ-୩ ଏକକ ବିଭାଗରେ କାଂସ୍ୟ, ୨୦୧୯ ବାସିଲ ବିଡବ୍ଲୁଏଫ୍‌ ବିଶ୍ବ ପାରା ବ୍ୟାଡମିଣ୍ଟନ ଚମ୍ପିଆନସିପ୍‌ର ପୁରୁଷ ଏକକ ଏସ୍‌ଏଲ-୩ରେ ସ୍ବର୍ଣ୍ଣ ଓ ଯୁଗଳ ବର୍ଗରେ ମଧ୍ୟ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିଲେ। ୨୦୧୯ ପେରୁ ପାରା ବ୍ୟାଡ଼ମିଣ୍ଟନ ଅନ୍ତର୍ଜାତୀୟରେ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିଲେ। ୨୦୨୦ରେ କରୋନା ପାଇଁ କୌଣସି ଅନ୍ତର୍ଜାତୀୟ ପ୍ରତିଯୋଗିତା ଖେଳିନଥିବାବେଳେ ୨୦୨୧ରେ ଆୟୋଜିତ ଟୋକିଓ ପାରାଲିମ୍ପିକ୍‌ସ-୨୦୨୦ରେ ଏକକ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଅନ୍ତର୍ଜାତୀୟସ୍ତରରେ ୨୦୧୪ରୁ ୨୦୨୦ ମଧ୍ୟରେ ମୋଟ ୪୬ଟି ପଦକ ବିଜୟୀ ହୋଇଛନ୍ତି। ସେଥିମଧ୍ୟରେ ରହିଛି ୨୪ଟି ସ୍ବର୍ଣ୍ଣ, ୯ଟି ରୌପ୍ୟ ଓ ୧୩ଟି କାଂସ୍ୟ ପଦକ। ୨୦୧୯ରେ ସର୍ବାଧିକ ୨୧ଟି ପଦକ ଜିତିଥିଲେ। ଯେଉଁଥିରେ ୧୨ଟି ସ୍ବର୍ଣ୍ଣ ପଦକ ରହିଥିଲା। ୨୦୧୯ରେ ସେ ସମ୍ମାନଜନକ ଅର୍ଜୁନ ପୁରସ୍କାର ଓ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ହାସଲ କରିଥିଲେ। ଟୋକିଓ ପାରାଲିମ୍ପିକ୍‌ସରେ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିବାରୁ ରାଜ୍ୟ ସରକାର ପ୍ରମୋଦଙ୍କୁ ଆର୍ଥିକ ପୁରସ୍କାର ସହ ଗ୍ରୁପ-ଏ ଶ୍ରେଣୀ ସରକାରୀ ନିଯୁକ୍ତି ପ୍ରଦାନ ଲାଗି ଘୋଷଣା କରିଥିଲେ।

Comments are closed.