ଶିଖ ବିରୋଧୀ ଦଙ୍ଗା ପାଇଁ କଂଗ୍ରେସକୁ ଦାୟୀ କଲେ ଜାବଡେକର

ନୂଆଦିଲ୍ଲୀ: ୧୯୮୪ ଶିଖ ବିରୋଧୀ ଦଙ୍ଗା ପାଇଁ ଯେଉଁମାନେ ଦାୟୀ କଂଗ୍ରେସ ସେମାନଙ୍କୁ ପ୍ରଶ୍ରୟ ଦେଇଥିଲା ବୋଲି ବୋଲି ବିଜେପି ଦୋଷାରୋପ କରିଛି। କଂଗ୍ରେସ ପାର୍ଟି ଜାଣିଶୁଣି ତଦନ୍ତରେ ବିଳମ୍ବ ଘଟାଉଥିବାର ବିଜେପି କହିଛି। ଜଷ୍ଟିସ ଧିଙ୍ଗଡ଼ା କମିଶନଙ୍କ ରିପୋର୍ଟକୁ ଉଲ୍ଲେଖ କରି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାବଡେକର ନୂଆଦିଲ୍ଲୀରେ କହିଛନ୍ତି, ଏହି ଗଣହତ୍ୟା ଘଟଣାର ତଦନ୍ତ କରିବା ଓ ଅପରାଧିମାନଙ୍କୁ ଦଣ୍ଡିତ କରିବାରେ କଂଗ୍ରେସ ପାର୍ଟି କୌଣସି ଆଗ୍ରହ ପ୍ରକାଶ କରିନଥିବା ରିପୋର୍ଟରେ କୁହାଯାଇଛି। ସେ କହିଛନ୍ତି, କମିଶନଙ୍କର ଏହି ରିପୋର୍ଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ୧୯୮୪ ଶିଖ ବିରୋଧି ଦଙ୍ଗା ଘଟଣାର ସଠିକ୍‍ ତଦନ୍ତ ହୋଇନାହିଁ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।

ମନ୍ତ୍ରୀ କହିଛନ୍ତି, ଦିଲ୍ଲୀର ସୁଲତାନପୁର ଅଞ୍ଚଳରେ ଶିଖ୍‍ମାନଙ୍କ ବିରୁଦ୍ଧରେ ୫୦୦ ଦଙ୍ଗା ଘଟଣା ଘଟିଥିବା ବେଳେ କେବଳ ଗୋଟିଏ ମାତ୍ର ଏତଲା ରୁଜୁ କରାଯାଇଥିଲା ଓ ତଦନ୍ତ ପାଇଁ ଜଣେ ମାତ୍ର ଅଫିସରଙ୍କୁ ନିଯୁକ୍ତ କରାଯାଇଥିଲା। ସେ କହିଛନ୍ତି, ଏଥିରୁ ଦଙ୍ଗାର ତଦନ୍ତ ଓ ଅପରାଧୀମାନଙ୍କୁ ଦଣ୍ଡବିଧାନ କରିବାକୁ କଂଗ୍ରେସ କେତେ କମ୍‍ ଗୁରୁତ୍ୱ ଦେଉଥିଲା ତାହା ସ୍ପଷ୍ଟ ହୋଇଛି। ଜାବଡେକର କହିଛନ୍ତି, ସାଧାରଣତ କୌଣସି ଘଟଣା ଘଟିବାର ଠିକ୍‍ ପରେ ପରେ ଏତଲା ରୁଜୁ କରାଯାଇଥାଏ କିନ୍ତୁ ଏହି ଘଟଣାରେ ଏତଲା ରୁଜୁ ପାଇଁ ୭ବର୍ଷ ସମୟ ନିଆଯାଇଥିଲା ଓ ଫଳ ସ୍ୱରୂପ ବିଳମ୍ବ ଯୋଗୁଁ କୋର୍ଟ ଅପରାଧିମାନଙ୍କୁ ଛାଡ଼ିବାକୁ ବାଧ୍ୟ ହୋଇଥିଲେ।

Comments are closed.