ରାଜନୀତି ଦିଗହରା ହୋଇ ପଡିଛି – ଜାଭେଡକର

ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର ବିରୋଧୀ ଦଳ ସାଂସଦମାନେ ସଂସଦର ବର୍ଷାକାଳୀନ ଅଧିବେଶନକୁ ବର୍ଜନ କରିଥିବାରୁ ସେମାନଙ୍କର ସମାଲୋଚନା କରିଛନ୍ତି। ସେ କହିଛନ୍ତି ବିରୋଧୀଦଳ ଗୁଡ଼ିକର ରାଜନୀତି ଦିଗହରା ହୋଇ ପଡିଛି ଓ ରାଜ୍ୟସଭାରେ ସେମାନଙ୍କର ଆଚରଣ ସମସ୍ତଙ୍କୁ ବିସ୍ମିତ କରିଛି। ଜାଭେଡକର କହିଛନ୍ତି ବିରୋଧୀ ଦଳ ସଦସ୍ୟମାନଙ୍କର ସଭାକକ୍ଷରେ ବସିବା, ବିତର୍କ କରିବା ଓ ମତାମତ ଦେବାର ଅଧିକାର ରହିଛି। କିନ୍ତୁ ସେମାନେ ତାହା ନକରି ସଭାକକ୍ଷ ପରିତ୍ୟାଗ କରି ଚାଲିଯାଇଥିଲେ। ସେ କହିଛନ୍ତି ସେମାନେ ସଭାକକ୍ଷ ପରିତ୍ୟାଗ କରି ଚାଲିଗଲେ, ବିକ୍ଷୋଭ ପ୍ରଦର୍ଶନ କଲେ ଓ ରାଷ୍ଟ୍ରପତିଙ୍କୁ ସାକ୍ଷାତ୍ କଲେ।
କୃଷିକ୍ଷେତ୍ର ବିଲ୍ଗୁଡ଼ିକ ସଂକ୍ରାନ୍ତରେ ସ୍ପଷ୍ଟୀକରଣ ଦେଇ ସେ କହିଛନ୍ତି କୃଷକମାନଙ୍କୁ ସେମାନଙ୍କର ଉତ୍ପାଦିତ ପଦାର୍ଥ ପାଇଁ ମିଳୁଥିବା ସର୍ବନିମ୍ନ ସହାୟକ ମୂଲ୍ୟ ଲୋପ ହେବ ନାହିଁ ଓ କୃଷିଜାତ ପଦାର୍ଥ ବିକ୍ରୟ କମିଟି ଗୁଡ଼ିକ ପୂର୍ବଭଳି ସେମାନଙ୍କର କାର୍ଯ୍ୟ କରିବେ। ଶ୍ରମ ଆଇନ୍ ବିଲ୍ ଉପରେ ଆଲୋଚନା ସମୟରେ ବିରୋଧୀଦଳ ସଦସ୍ୟମାନେ ସଭାକାର୍ଯ୍ୟରେ ଅଂଶଗ୍ରହଣ କରିନଥିବାରୁ ଜାଭେଡକର ସେମାନଙ୍କର ସମାଲୋଚନା କରିଛନ୍ତି। ଏହି ବିଲ୍ ଗତକାଲି ପାସ୍ ହୋଇଥିଲା।